ସମାଜ ଡିଜିଟାଲ ଡେସ୍କ: ଦେଶରେ ସର୍ବାଧିକ ଇଲେକ୍ଟ୍ରିକ୍ ସ୍କୁଟର ବିକ୍ରି କରୁଥିବା ରାଜ୍ୟ ମହାରାଷ୍ଟ୍ରରେ ଓଲା ଇଲେକ୍ଟ୍ରିକ୍ର ସମସ୍ୟା ବଢିଯାଇଛି। ମହାରାଷ୍ଟ୍ରରେ କମ୍ପାନୀର ପ୍ରାୟ ୪୫୦ଟି ଶୋ’ରୁମ୍ ଅଛି, ଯେଉଁଥିରୁ ପ୍ରାୟ ୯୦ ପ୍ରତିଶତ ଶୋ’ରୁମ୍ ଏବେ ବନ୍ଦ ହେବାକୁ ଯାଉଛି। ଏହା ସେହି ଓଲା ଇଲେକ୍ଟ୍ରିକ୍ ଯାହା ଦିନେ ଦେଶର ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ବଜାରରେ ୧ ନମ୍ବର ସ୍ଥାନ ଅଧିକାର କରିଥିଲା, କିନ୍ତୁ ଏବେ ଏହା ଟିଭିଏସ ଏବଂ ବଜାଜ ଅଟୋ ପରେ ତୃତୀୟ ସ୍ଥାନରେ ପହଞ୍ଚିଛି। ଯଦି ଏହି ଶୋ’ରୁମ୍ଗୁଡ଼ିକ ବନ୍ଦ ହୋଇଯାଏ, ତେବେ କେବଳ କମ୍ପାନୀର ବିକ୍ରୟ ପ୍ରଭାବିତ ହେବ ନାହିଁ ବରଂ ଦେଶର ସବୁଠାରୁ ବଡ଼ ଇଲେକ୍ଟ୍ରିକ୍ ସ୍କୁଟର ବଜାର ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ।
ବାଣିଜ୍ୟ ପ୍ରମାଣପତ୍ର ନଥିବାରୁ କାର୍ଯ୍ୟାନୁଷ୍ଠାନ:
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମହାରାଷ୍ଟ୍ର ସରକାର ଓଲା ଇଲେକ୍ଟ୍ରିକର ଏହି ଶୋ’ରୁମ୍ଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର କାରଣ ହେଉଛି, ସେମାନଙ୍କ ପାଖରେ ଆବଶ୍ୟକ ଟ୍ରେଡ୍ ସାର୍ଟିଫିକେଟ୍ ନାହିଁ। ଏହି ପ୍ରମାଣପତ୍ର ରହିବା ଆବଶ୍ୟକ ଯଦ୍ୱାରା ଶୋ’ରୁମ୍ରେ ପଞ୍ଜିକୃତ ହୋଇନଥିବା ଯାନବାହାନ ରଖାଯାଇପାରିବ ଏବଂ ବିକ୍ରି କରାଯାଇପାରିବ। ପୂର୍ବରୁ ହିଁ ସର୍ଭିସ୍ ନେଟୱର୍କ ଅଭାବ ଏବଂ ପଞ୍ଜୀକରଣ ସମ୍ବନ୍ଧୀୟ ସମସ୍ୟା ଦେଇ ଗତି କରୁଥିବା ଓଲା ଇଲେକ୍ଟ୍ରିକ୍ ପାଇଁ ଏହା ଆଉ ଏକ ବଡ଼ ଝଟ୍କା ବୋଲି କୁହାଯାଉଛି।
ଯାଞ୍ଚରୁ ହେଲା ବଡ଼ କୁଲାସା:
ରିପୋର୍ଟ ମୁତାବକ, ଜୁଲାଇ ୩ରେ ମହାରାଷ୍ଟ୍ର ପରିବହନ ବିଭାଗ ରାଜ୍ୟ ପରିବହନ ମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଜଣାଇଥିଲା ଯେ, ଆଞ୍ଚଳିକ ଅଧିକାରୀମାନେ ଆବଶ୍ୟକ ବାଣିଜ୍ୟ ପ୍ରମାଣପତ୍ର ନଥିବା ଶୋ’ରୁମ୍ଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବିଭାଗର ଚିଠିରେ କୁହାଯାଇଛି, ‘‘ଯାଞ୍ଚ କରାଯାଇଥିବା ୪୩୨ଟି ଶୋ’ରୁମ୍ ମଧ୍ୟରୁ କେବଳ ୪୪ଟି ପାଖରେ ବାଣିଜ୍ୟ ପ୍ରମାଣପତ୍ର ମିଳିଛି ଏବଂ ୩୮୮ଟି ଶୋ’ରୁମ୍ ବିନା ପ୍ରମାଣପତ୍ରରେ ଚାଲୁଥିଲା ଏବଂ ସେଗୁଡ଼ିକୁ ବନ୍ଦ କରିଦିଆଯାଇଛି।’’ ଅପରପକ୍ଷେ ଓଲା ଇଲେକ୍ଟ୍ରିକ ଏହି ଅଭିଯୋଗକୁ ଖଣ୍ଡନ କରି କହିଛି ଯେ, ମହାରାଷ୍ଟ୍ର ସହ ଜଡ଼ିତ ଏହି ଦାବିଗୁଡ଼ିକ ‘ମିଥ୍ୟା ଏବଂ ଭିତ୍ତିହୀନ’। କିନ୍ତୁ କମ୍ପାନୀ ଏହା ମଧ୍ୟ କହିଛି ଯେ, ଏହି ପ୍ରସଙ୍ଗର ସମାଧାନ ପାଇଁ ସେମାନେ ମହାରାଷ୍ଟ୍ର ସରକାରଙ୍କ ସହିତ ଲଗାତର ଆଲୋଚନା କରୁଛନ୍ତି।
ମହାରାଷ୍ଟ୍ରରେ ସର୍ବାଧିକ ଇଭି ବିକ୍ରି, ଓଲାକୁ ଲାଗିବ ବଡ଼ ଝଟକା:
ମହାରାଷ୍ଟ୍ରରେ ଗତ ଆର୍ଥିକ ବର୍ଷରେ ପ୍ରାୟ ୨, ୧୨, ୦୦୦ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ବିକ୍ରି ହୋଇଛି, ଯାହା ଦେଶର ଯେକୌଣସି ରାଜ୍ୟ ତୁଳନାରେ ସର୍ବାଧିକ। ଗତ ବର୍ଷ ଓଲା ଇଲେକ୍ଟ୍ରିକ୍ ମୋଟ ୩, ୪୪, ୦୦୦ ୟୁନିଟ୍ ବିକ୍ରି କରିଥିଲା, ଯାହା ମଧ୍ୟରୁ ୧୨ ପ୍ରତିଶତ ବିକ୍ରି କେବଳ ମହାରାଷ୍ଟ୍ରରୁ ହୋଇଥିଲା। ଏଭଳି ସ୍ଥିତିରେ ଯଦି ରାଜ୍ୟରେ ଏହାର ୯୦ ପ୍ରତିଶତ ଶୋ’ରୁମ୍ ବନ୍ଦ ହୋଇଯାଏ, ତେବେ କମ୍ପାନୀକୁ ବହୁତ କ୍ଷତି ସହିବାକୁ ପଡ଼ିପାରେ।



