ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ଆଠମଲ୍ଲିକ ଗସ୍ତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ
ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ କୁମାର ତ୍ରିପାଠୀ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ଅଞ୍ଚଳ ଗସ୍ତ କରି ସେଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପଗୁଡ଼ିକୁ ବୁଲି ଦେଖିଛନ୍ତି। ଏଥି ସହିତ ସେ କେତେକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି, ସେଥିରେ ଆଠମଲ୍ଲିକଠାରେ ବହୁପ୍ରତିକ୍ଷିତ ପ୍ରେକ୍ଷାଳୟର ଶିଳାନ୍ୟାସ ଅନ୍ତର୍ଭୁକ୍ତ। ଏହା ଆଗାମୀ ଦିନରେ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସକାଶେ ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଗଣିତ ହେବ। ବହୁଦିନରୁ ଏଥି ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଆସୁଥିଲେ । ତା’ପରେ ମଞ୍ଜୋରଠାରେ ୨ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ମଞ୍ଜୋର ଇକୋ-ପାର୍କର ଶିଳାନ୍ୟାସ କରାଯାଇଥିଲା । ଏହି ଅବସରରେ ସେ ସେଠାରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ଏହି ଇକୋ-ପାର୍କର ସ୍ଥାନୀୟ ଲୋକଙ୍କ ସାମାଜିକ-ଆର୍ଥିକ ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବା ସହ ଆଗାମୀ ଦିନରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ ହୋଇପାରିବ ବୋଲି କହିଥିଲେ । ଏହା ସ୍ଥାନୀୟ ଲୋକଙ୍କୁ ନୂଆ ଜୀବିକା ସୃଷ୍ଟିର ସୁଯୋଗ ପ୍ରଦାନ କରିବ । ଏହାପରେ ଶ୍ରୀ ତ୍ରିପାଠୀ ମଞ୍ଜୋରସ୍ଥିର ମଧ୍ୟମ ଜଳସେଚନ ପ୍ରକଳ୍ପକୁ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ସାଏ, ଜଳସେଚନ ବିଭାଗ ମୁଖ୍ୟଯନ୍ତ୍ରୀ, ଜିଲ୍ଲାପାଳ ଅନୁଗୋଳ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣଙ୍କ ଗହଣରେ ବୁଲି ଦେଖିଥିଲେ ।
ଏହା ପରେ ଶ୍ରୀ ତ୍ରିପାଠୀ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରଦତ୍ତ ଅର୍ଥରେ ନିର୍ମିତ କିଶୋର ନଗର ଯୁକ୍ତ-୩ ଡିଗ୍ରୀ ମହାବିଦ୍ୟାଳୟର ନବନିର୍ମିତ ଉପରମହଲା ଶ୍ରେଣୀ ଗୃହର ଶୁଭ ଉଦ୍ଘାଟନ କରିଥିଲେ । ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପ୍ରକାରେ ଆଠମଲ୍ଲିକ ଉପଖଣ୍ଡର ୩ଟି ମହାବିଦ୍ୟାଳୟ ଏବଂ ୧୩ଟି ଉଚ୍ଚବିଦ୍ୟାଳୟ ନାମରେ ପ୍ରସ୍ତୁତ ଜମିପଟ୍ଟା ସଂପୃକ୍ତ ଅନୁଷ୍ଠାନଗୁଡ଼ିକୁ ପ୍ରଦାନ କରାଯାଇଥିଲା । ଏହି ଅବସରରେ ସେଠାରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖି ଶ୍ରୀ ତ୍ରିପାଠୀ ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର କେବଳ ଅନ୍ତଃକରଣ ନୁହେଁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରୁଥିବା ଦର୍ଶାଇଥିଲେ । ସଂପ୍ରତି ଶିକ୍ଷା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସମ୍ବଳ । ତେଣୁ ଯୁବବର୍ଗଙ୍କ ମଧ୍ୟରେ ଉଦ୍ୟୋଗିକ ଦକ୍ଷତା ବୃଦ୍ଧି ଉପରେ ଧ୍ୟାନ ଦିଆଯାଉଥିବା କହିଥିଲେ । କିଶୋର ନଗର ଏକ କୃଷି ସମୃଦ୍ଧ ଅଞ୍ଚଳ ତେଣୁ ଏଠାରେ କୃଷି ଉଦ୍ୟୋଗର ଯେପରି ବିକାଶ ହୋଇପାରିବ ସେ ଦିଗରେ ଛାତ୍ରଛାତ୍ରୀ ଆଗଭର ହୋଇ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସାମିଲ ହେବା ପାଇଁ ଆହ୍ୱାନ ଜଣାଇଥିଲେ । ଶିକ୍ଷକ ଅଧ୍ୟାପକଙ୍କ ଉଦ୍ଦେଶ୍ୟରେ ଶ୍ରୀ ତ୍ରିପାଠୀ ସମୟର ଚାହିଦା ଅନୁଯାୟୀ ଶିକ୍ଷା ଖସଡ଼ାକୁ ପ୍ରସ୍ତୁତ କଲେ ଛାତ୍ରଛାତ୍ରୀ ଇ-ବାଣିଜ୍ୟ ପ୍ରତି ମନବଳାଇବେ ତଥା ସ୍ଥାନୀୟ ଉତ୍ପାଦଗୁଡ଼ିକୁ ବିଶ୍ୱବଜାରରେ ପହଞ୍ଚାଇବା ପାଇଁ ଉପଯୁକ୍ତ ପ୍ୟାକେଜିଂ ଏବଂ ବ୍ରାଣ୍ଡିଂ ଆଦି ପ୍ରତି ଆଗଭର ହେବେ ବୋଲି କହିଥିଲେ । ସେ ମଧ୍ୟ ବ୍ଲକ୍ କାର୍ଯ୍ୟାଳୟ ଯାଇ ସେଠାରେ ଜନପ୍ରତିନିଧିମାନଙ୍କ ସହ ବାର୍ତ୍ତାଳାପ କହିଥିଲେ । ସ୍ଥାନୀୟ ପ୍ରତିନିଧିମାନଙ୍କଠାରୁ ସେ ଉଦ୍ୟାନ କୃଷି, କୃଷି, ପିସିକଲଚର ସଂପର୍କରେ ତଥ୍ୟ ସଂଗ୍ରହ କରି ଅଞ୍ଚଳରେ କୃଷି ପାଇଁ ସୁହାଇଲା ଭଳି ଶସ୍ୟ ଚିହ୍ନଟ କଲେ ଅଧିକ ଅମଳ ହେବା ସହ ଆର୍ଥିକ ବିକାଶ ହୋଇପାରିବ ବୋଲି କହିଥିଲେ । ଏହି ଅଞ୍ଚଳ ତୈଳବୀଜ ପାଇଁ ପ୍ରକୃଷ୍ଟ ହୋଇଥିବା ହେତୁ ଏ କ୍ଷେତ୍ରରେ କୃଷି ଉଦ୍ୟୋଗର ବିକାଶରେ ନୂତନ ସମ୍ଭାବନା ସୃଷ୍ଟି ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।
କୃଷି କ୍ଷେତ୍ରରେ କ୍ଲଷ୍ଟର ଆପ୍ରୋଚ ଆରମ୍ଭ ହୋଇ ପନିପରିବା ବ୍ୟାପକ ପରିମାଣରେ ଅମଳ ହେଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ରେଫି୍ରଜେରେଟର ଭ୍ୟାନ୍ ପ୍ରଦାନ କରିବାକୁ ଶ୍ରୀ ତ୍ରିପାଠୀ ପ୍ରତିଶ୍ରୁତି ଦେଇଥିଲେ । ମିଲକ୍ ରୁଟ୍ର ପୁନଃକାର୍ଯ୍ୟକ୍ଷମ ଓ ପ୍ରୋତ୍ସାହନ ସହ ନିୟନ୍ତ୍ରିତ ବଜାର କିମିଟିର ସୁଦୃଢ଼ୀକରଣ ଏବଂ ଘରୋଇ ସଂସ୍ଥାକୁ ଆକର୍ଷିତ କରିବା ବିଷୟବସ୍ତୁକୁ ଉପଯୁକ୍ତ ମଞ୍ଚରେ ଉପସ୍ଥାପନ କରିବେ ବୋଲି ଶ୍ରୀ ତି୍ରପାଠୀ ପ୍ରତିଶ୍ରୁତି ଦେଇଥିଲେ ।
ଏହି ଗସ୍ତର ବିଭିନ୍ନ କାର୍ଯ୍ୟକ୍ରମରେ ବିଧାୟକ ରମେଶ ଚନ୍ଦ୍ର ସାଏ, ଜିଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଆଠମଲ୍ଲିକ ବ୍ଲକ୍ ଅଧ୍ୟକ୍ଷ ଦୁଃଶାସନ ରାଉଳ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ଅଜିତ କୁମାର ମିଶ୍ର, ଅନୁଗୋଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଜନପ୍ରତିନିଧି ଉପସ୍ଥିତ ଥିଲେ।
Comments are closed.