ଓଡ଼ିଶାରେ ଏସିଆନ୍‌ ମହିଳା ହକି ଚାମ୍ପିୟନସିପ୍ ଟ୍ରଫି ଗୌରବ ଯାତ୍ରାର ଭବ୍ୟ ସ୍ୱାଗତ

ନଭେମ୍ବର ୧୧ ରୁ ୨୦ ପର୍ଯ୍ୟନ୍ତ ବିହାରର ରାଜଗିର ଠାରେ ଅନୁଷ୍ଠିତ ହେବ ଏସିଆନ୍‌ ମହିଳା ହକି ଚାମ୍ପିୟନସିପ୍

ଭୁବନେଶ୍ୱର : ଆସନ୍ତା ନଭେମ୍ବର ମାସ ୧୧ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ବିହାରର ରାଜଗିର ଠାରେ ଏସିଆନ୍ ମହିଳା ହକି ଚାମ୍ପିୟନସିପ୍ ଅନୁଷ୍ଠିତ ହେବ। ଭାରତ ସମେତ ଚୀନ୍‌, ଜାପାନ, ଦକ୍ଷିଣ କୋରିଆ, ମାଲେସିଆ ଏବଂ ଥାଇଲାଣ୍ଡ ଦେଶର ମହିଳା ହକିଦଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଏସିଆନ୍‌ ମହିଳା ହକି ଚାମ୍ପିୟନସିପ୍ ରେ ବିଜୟୀ ଦଳକୁ ମିଳିବାକୁ ଥିବା ଟ୍ରଫିର ଏକ ଗୌରବମୟ ଯାତ୍ରା ଆରମ୍ଭ ହୋଇଛି ଏବଂ ଏହି ଟ୍ରଫି ଗୌରବ ଯାତ୍ରାର ଭବ୍ୟ ସ୍ୱାଗତ ଆଜି ଭୁବନେଶ୍ୱର ଠାରେ କରାଯାଇଛି।

ଆଜି ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଠାରେ ଟ୍ରଫି ପହଂଚିବା ପରେ, ଧଉଳିଗିରି ଠାରେ ଓଡ଼ିଶା କ୍ରୀଡା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ହକି ଆସୋସିଏସନ୍‌ର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତରେ ଏସିଆନ୍‌ ମହିଳା ହକି ଚାମ୍ପିୟନସିପ୍ ଟ୍ରଫି ଅନାବରଣ କରାଯିବା ସହିତ ଏକ ଭବ୍ୟ ଗୌରବ ଯାତ୍ରା ସହିତ ଟ୍ରଫିକୁ କଳିଙ୍ଗ ଷ୍ଟାଡିୟମ୍ କୁ ଅଣାଯାଇଥିଲା।

ଟ୍ରଫି ଗୌରବ ଯାତ୍ରା କ୍ରୀଡାର ବିକାଶ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରିବା ସହ କ୍ରୀଡାବିତ୍‌ ମାନଙ୍କର ସାମଗ୍ରିକ ବିକାଶ, ମହିଳା ମାନଙ୍କର କ୍ରୀଡାରେ ଅଂଶଗ୍ରହଣ କରିବା ଏବଂ ସମସ୍ତ ହକି କ୍ରୀଡାବିତ୍‌ ଏବଂ ହକି ପ୍ରଶଂସକ ମାନଙ୍କୁ ପ୍ରୋତ୍ସାହିତ କରିବାର ଏକ ମାଧ୍ୟମ। ଏଥିସହ ଏହି ଗୌରବ ଯାତ୍ରା ରାଜ୍ୟ ତଥା ଦେଶର ବହୁ ଯୁବ କ୍ରୀଡ଼ାବିତ୍‌ ଏବଂ ବିଶେଷ ଭାବରେ ମହିଳା କ୍ରୀଡ଼ାବିତ୍‌ ମାନଙ୍କୁ ପ୍ରେରଣା ଯୋଗାଇବା ସହ ସେମାନେ ଆଗକୁ ଯେପରି ବିଭିନ୍ନ ଅନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତା ମାନଙ୍କରେ ପଦକ ହାସଲ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଅର୍ଜନ କରିବେ ତାହା ଆଶା ରଖାଯାଇଛି।

ଆଜିର ଟ୍ରଫି ଗୌରବ ଯାତ୍ରା ସଂମ୍ପର୍କରେ ହକି ପ୍ରୋମସନ କାଉନସିଲ ଅଫ୍ ଓଡ଼ିଶାର ସିଇଓ ଶ୍ରୀ ଦୀପଙ୍କର ମହାପାତ୍ର କହିଛନ୍ତି ଯେ, ଓଡ଼ିଶାରେ ଏସିଆନ୍‌ ମହିଳା ହକି ଚାମ୍ପିୟନସିପ୍ ଟ୍ରଫି ଗୌରବ ଯାତ୍ରା ଅନୁଷ୍ଠିତ ହେବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ହକିର ବିକାଶ ଓ ହକି କ୍ରୀଡାବିତ୍‌ ମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଓ ସୁବିଧା ଯୋଗାଇଦେବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଆଗାମୀ ଦିନରେ ବିହାରରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ୍ ମହିଳା ହକି ଚାମ୍ପିୟନସିପ୍ ରେ ଭାରତୀୟ ମହିଳା ହକିଦଳ ନିଜର ଉତ୍କୃଷ୍ଟ ପ୍ରଦର୍ଶନ ମାଧ୍ୟମରେ ଆମ ଦେଶକୁ ଗୌରବାନିତ୍ୱ କରିବେ ବୋଲି ଆମର ଆଶା ରହିଛି।

ପ୍ରକାଶଯୋଗ୍ୟ ଯେ, ହକିରେ ଓଡ଼ିଶାର ଅନେକ ମହିଳା ହକି କ୍ରୀଡ଼ାବିତ୍‌ମାନେ ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଅନୁଷ୍ଠିତ ହେଉଥିବା ପ୍ରତିଯୋଗିତା ମାନଙ୍କରେ ନିଜର ଉତ୍କୃଷ୍ଟ ପ୍ରଦର୍ଶନ ମାଧ୍ୟମରେ ରାଜ୍ୟ ପାଇଁ ଗୌରବ ଅର୍ଜନ କରିଛନ୍ତି। ଓଡ଼ିଶାର ହକି କ୍ରୀଡାବିତ୍‌ ଦୀପ ଗ୍ରେସ୍‌ ଏକ୍କା, ଲିଲିମା ମିଂଜ୍‌, ସୁନିତା ଲାକ୍ରା, ନମିତା ଟପ୍ପୋ, ସୁନେଲିତା ଟପ୍ପୋ, ଜ୍ୟୋତି ଛତ୍ରୀ ହେଲେ ସମସ୍ତ ଯୁବ ମହିଳା ହକି କ୍ରୀଡ଼ାବିତ୍‌ ମାନଙ୍କ ପାଇଁ ପ୍ରେରଣାର ଉତ୍ସ। ଆଗକୁ ମଧ୍ୟ ହକିର ବିକାଶ ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରି ରହିବ ବୋଲି ସୂଚନା ମିଳିଛି।

ଆଜିର କାର୍ଯ୍ୟକ୍ରମରେ ଓଡ଼ିଶା କ୍ରୀଡା ଓ ଯୁବସେବା ବିଭାଗର ନିର୍ଦ୍ଦେଶକ ଶ୍ରୀ ସିଦ୍ଧାର୍ଥ ଦାସ, ଓଡ଼ିଶା ହକି ଆସୋସିଏସନ୍‌ର ପ୍ରେସିଡେଣ୍ଟ ଶ୍ରୀ ଦିଲୀପ ତିର୍କୀ,ହକି ପ୍ରୋମସନ କାଉନସିଲ ଅଫ୍ ଓଡ଼ିଶାର ସିଇଓ ଶ୍ରୀ ଦୀପଙ୍କର ମହାପାତ୍ର, କ୍ରୀଡ଼ା ଓ ଯୁବସେବା ବିଭାଗର ଅତିରିକ୍ତ ସଚିବ ଶ୍ରୀ ବିଜୟ କୁମାର ସ୍ୱାଇଁ, ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ, ଓଡ଼ିଶା ହକି ଆସୋସିଏସନ୍‌ ର ଅଧିକାରୀଗଣ ଏବଂ କ୍ରୀଡାବିତ୍ ମାନେ ଉପସ୍ଥିତ ଥିଲେ।

Comments are closed.