କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତର ସଦରରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଯାହାଫଳରେ ଗ୍ରାମର ସମସ୍ତ ମହିଳା ମାନେ ଏକତ୍ରିତ ହୋଇ ବାଉଁଶ ବାନ୍ଧିବା ସହ ନିଜ ନିଜ ଘରୁ ହାଣ୍ଡି, ବାଲ୍ଟି, ଡେକିଚି ଧରି କୋରାପୁଟ, କାଶୀପୁର, ମାଣ୍ଡିବିଶି ରାଜରାସ୍ତା ଅବରୋଧ କରିଥିଲେ ।
ଉକ୍ତ ଗ୍ରାମରେ ୬ଟି ନଳକୂପ ରହିଛି କିନ୍ତୁ ଏକ ହାଣ୍ଡି ପାଣି ମଧ୍ୟ ବାହାରୁ ନାହିଁ। ଯେଉଁ ନଳକୂପରୁ ପାଣି ବାହାରୁଚି ତାହା ବ୍ୟବହାରେ ଉପଯୋଗୀ ନୁହେଁ। ସେଥିରୁ କେବଳ ଲୁହା ଗୁଣ୍ଡ ଭଳି ପାଣି ବାହାରୁଛି। ଗ୍ରାମରେ ଦୁଇଟି ସ୍ୱଜଳ ଧାରା ରହିଛି। ତାହାର ମୋଟର ପୋଡ଼ିଯାଇଛି ବୋଲି ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହୋଇପାରୁନାହିଁ ।ଗ୍ରାମବାସୀ ନଳକୂପ ଖରାପ ହୋଇଥିବା ନେଇ ପଞ୍ଚାୟତରେ କହି ଆସୁଥିଲେ କିନ୍ତୁ କିଛି ପ୍ରଭାବ ପଡୁନଥିଲା। ଗ୍ରାମ ନିକଟରେ ଏକ ନାଳ ଅଛି, ସେଠାରେ ଗାଈଗୋରୁ ଗାଧୋଇବାଠୁ ଆରମ୍ଭକରି ଲୋକମାନେ ଓ ଲୁଗାପଟା ସଫା ପାଇଁ ବ୍ୟବହାର କରୁଛନ୍ତି ।
ଏହାକୁ ବ୍ୟବହାର କରି ଗ୍ରାମର ଅନେକ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇଥିବା ଜଣାପଡିଛି। ତୁରନ୍ତ ପାନୀୟ ଜଳ ସମସ୍ୟାର ସମାଧାନ କରା ନ ଗଲେ ଦିନ ରାତି ଏମିତି ରାସ୍ତାରେ ବସି ରହିବୁ ବୋଲି ସତୀ ହୁଇକା, ମେଲା ମାଣ୍ଡିକା, ଲୁକି ପ୍ରାସ୍କା, କାଳିଙ୍ଗ ପ୍ରାସ୍କା ପ୍ରମୁଖ କହିଥିଲେ । ରାସ୍ତା ଅବରୋଧ କରି ପ୍ରାୟ ୬ଘଣ୍ଟା ହେବ ବସି ରହିବା ପରେ ଜିପିଓ ଶ୍ଵେତାମ୍ବର ପଦାନ ଘୋଟଣା ସ୍ଥଳରେ ପହଞ୍ଚି ଉତ୍ତେଜିତ ମହିଳାଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା କୌଣସି କଥାକୁ ମହିଳା ମାନେ ଶୁଣି ନ ଥିଲେ। ଉକ୍ତ ଖବର ପାଇ ଥାନା ଅଧିକାରୀ ନୀଳକଣ୍ଠ ବେହେରା ପହଞ୍ଚି ମହିଳାଙ୍କୁ ବୁଝା ସୁଝା କରିଥିଲେ । ଜଳ ଯୋଗାଣ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ରମେଶ ମିଞ୍ଜ ଦୁଇଟି ମୋଟର ଆଣି ସ୍ୱଜଳ ଧାରାରେ ସଂଯୋଗ କରିବା ପରେ ମହିଳା ମାନେ ରାଜ ରାସ୍ତାରୁ ଓହରିଥିଲେ। ଉକ୍ତ ବିଷୟରେ ସହକାରୀ ଯନ୍ତ୍ରୀ ରମେଶ ମିଞ୍ଜଙ୍କୁ ପଚାରିବାରୁ ଆଜି ଟାଙ୍କିକୁ ପାଣି ଛଡାଇବା ପରେ କାଲିକୁ ପାଣି ଯୋଗାଣ କରାଯିବ ବୋଲି ସେ କହିଛନ୍ତି ।



