ପାଟଣା : ଗାଁକୁ ଭଲ ରାସ୍ତା ନଥିବାରୁ ଚାଲି ଚାଲି ଆମ୍ବୁଲାନ୍ସ ନିକଟକୁ ଗଲେ ଗର୍ଭବତୀ ମହିଳା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଘଟଗାଁ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ପଞ୍ଚାୟତ ମେଣ୍ଢାମୁଣ୍ଡି ସାହିରେ। ମିଳିଥିବା ସୂଚନା ଅନୁଯାୟୀ ଆଜି ଗ୍ରାମର ଜନାର୍ଦ୍ଦନ ମୁଣ୍ଡାଙ୍କ ପତ୍ନୀ ଶାନ୍ତି ମୁଣ୍ଡାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା। ହେଲେ ଗାଁକୁ ଭଲ ରାସ୍ତା ନଥିବାରୁ ଗାଁ ମୁଣ୍ଡରେ ହିଁ ଆମ୍ବୁଲାନ୍ସ ଅଟକି ରହିଥିଲା। ଶେଷରେ ଜନାର୍ଦ୍ଦନ ଓ ତାଙ୍କ ପରିବାର ଲୋକେ ନିଜ ପତ୍ନୀ ଶାନ୍ତିଙ୍କୁ ଧରି ଚାଲି ଚାଲି ଆମ୍ବୁଲାନ୍ସ ନିକଟରେ ପହଁଚିଥିଲେ ଓ ସେଠାରୁ ତାଙ୍କୁ କେନ୍ଦୁଝର ମେଡ଼ିକାଲକୁ ନିଆଯାଇଥିବା ସୂଚନା ମିଳିଛି। ତେବେ ଏହି ସାହି ବାସିନ୍ଦା ବର୍ଷ ବର୍ଷ ଧରି ଏଭଳି ସମସ୍ୟା ଭିତରେ ଯୁଝି ହେଉଛନ୍ତି। ସାହିକୁ ଆଜିଯାଏ ପକ୍କା ରାସ୍ତାଟିଏ ହୋଇପାରି ନାହିଁ ଯାହା ଫଳରେ ବର୍ଷ ତମାମ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଥାଏ। ପକ୍କା ରାସ୍ତା ପାଇଁ ବହୁ ବାର ଦାବି ସତ୍ତ୍ୱେ ଆଜିଯାଏ ପ୍ରଶାସନ କିମ୍ବା ଲୋକ ପ୍ରତିନିଧି କେହିବି ସାହିବାସୀଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି। ଯଦି ଗାଁରେ ପକ୍କା ରାସ୍ତା ହୋଇପାରନ୍ତା ତେବେ ସରକାରଙ୍କ ସମସ୍ତ ଯୋଜନା ପହଁଚି ପାରନ୍ତା ବୋଲି ସାହି ବାସିନ୍ଦା କହିଛନ୍ତି।
Popular Categories



