ଲକ୍ଷ୍ମୀପୁର : ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ଯୁତ ତାର ସଂସ୍ପର୍ଶରେ ଆସି ଜଣେ ମହିଳା ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ନାଁ ରେବତୀ ବାଘ। ଘର ନିକଟସ୍ଥ ବୁର୍ଜା ଗ୍ରାମରେ। ସେ ଲକ୍ଷ୍ମୀପୁର ସଦର ମହକୁମା ସ୍ଥିତ ଅଲେଖ ପାଇକରାୟଙ୍କ ନିର୍ମାଣଧୀନ ଘର କାମରେ ପ୍ରାୟ ୩ ମାସ ହେଲା ଶ୍ରମିକ ଭାବେ କାମ କରୁଥିଲେ। ଉକ୍ତ ଘର ଛାତ ଉପରେ ଯାଇଛି ଉଚ୍ଚ କ୍ଷମତା ସମ୍ପନ୍ନ ୧୧ କେଭି ତାର। ସେଠାରେ ରେବତୀ କାମ କରୁଥିବା ବେଳେ ଏକ ବାଉଁଶ ଯାହା କି ବର୍ଷା ପାଣି ଖାଇ ଓଦା ହୋଇଥିଲା ତାକୁ କାଢ଼ିବା ବେଳେ ଅସାବଧାନତା ବଶତଃ ତାହା ତାର ସହ ଲାଗି ଯାଇଥିଲା। ସେ ସେଠାରେ ଛଟପଟ ହେଉଥିବା ଦେଖି ଅନ୍ୟ ଶ୍ରମିକ ମାନେ ପାଟି କରିଥିଲେ। ନିକଟରେ ଭଡ଼ା ଥିବା ଜଣେ ବିଦ୍ଯୁତ ବିଭାଗ କର୍ମଚାରୀ ତାହା ଜଣି ଫୋନ୍ କରିବା ପରେ ବିଦ୍ଯୁତ ସରବରାହ ବିଛିନ୍ନ କରି ସମ୍ପୃକ୍ତ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଖବର ପାଇ ସେଠାରେ ସ୍ଥାନୀୟ ପୁଲିସ ପହଞ୍ଚି ଥାନା ଗାଡ଼ିରେ ତାଙ୍କୁ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା।
ତେବେ ଅବସ୍ଥା ଗୁରୁତର ଥିବାରୁ କୋରାପୁଟ ସ୍ଥିତ ଏସଏନଏଲ ଭେଷଜ ମହାବିଦ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଉପରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ଯୁତ ତାର ଯାଇଥିଲା ବେଳେ ବିଦ୍ୟୁତ ବିଭାଗ ତିନି ମହଲା କୋଠା ସହିତ ତାର ତଳେ ଏକମହଲା କରିବା ପାଇଁ ଅନୁମତି ଦେଲା କିପରି। ଏପରିକି ନିୟମ ଅନୁସାରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲା ପରେ ବିଦ୍ଯୁତ ସଂଯୋଗ ଦିଆଯିବାର ନିୟମ ଥିବା ବେଳେ ଉକ୍ତ କୋଠାକୁ ୯ଟି ମିଟର ସ୍ଥାପନ କରାଗଲା କିପରି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। କାରଣ ଜଣେ ବିଦ୍ଯୁତ ସଂଯୋଗ ପାଇଁ ଆବେଦନ କଲେ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇନଥିବା ଆଦି ବିଭିନ୍ନ କଥା କହି ମାସ ମାସ ବୁଲା ଯାଉଥିବା ବେଳେ ଅସମ୍ପୂର୍ଣ୍ଣ କୋଠା କୁ ୯ ଟି ମିଟର ସହିତ ବିଦ୍ଯୁତ ସଂଯୋଗ ଦିଆଗଲା କିପରି, ଯେଉଁଥିପାଇଁ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଦିନ ମଜୁରିଆ ଭାବେ କାମ କରୁଥିବା ଜଣେ ମହିଳା ଏଥିପାଇଁ ଜୀବନ ମରଣ ସହିତ ଡାକ୍ତରଖାନାରେ ଲଢ଼େଇ କରୁଛନ୍ତି।



