ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ମୁଖ୍ୟାଳୟ ବଜାର ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ କରାଯିବାର ୩ ମାସ ବିତିଗଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ଡ୍ରେନ କାମ ହୋଇ ପାରିଲା ନାହିଁ। ସୂଚନା ଅନୁଯାୟୀ ଆଜିକୁ ୩ ମାସ ହେବ ମଇ ମାସ ୨୩ ତାରିଖ ଶୁକ୍ରବାର ଦିନ ଦୁଇ ଦୁଇଟା ବୁଲଡୋଜର ଦ୍ୱାରା ଘର ଭଙ୍ଗା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାରେ ମାଜିଷ୍ଟ୍ରେଟ ଭାବେ ପରମାନନ୍ଦ ଖଣ୍ଡେଇଙ୍କ ନେତୃତରେ ଉଚ୍ଛେଦ କାର୍ଯ୍ୟ କରାଯାଇଥିଲା। ଏଥିରେ ଘଟଗାଁ ଏସଡିପିଓ ବିଜୟ କୃଷ୍ଣ ମହାପାତ୍ର, ପାଟଣା ତହସିଲର ପୂର୍ବତନ ତହସିଲଦାର ଲିଳାବତୀ ନାଏକ, ଅତିରିକ୍ତ ତହସିଲଦାର ଶ୍ରବଣ କୁମାର ଜେନା ରାଜସ୍ବ ପରିଦର୍ଶକ ବନମାଳୀ ନାୟକ ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଳ, ଏସ ଆଇ ଲକ୍ଷ୍ମଣ ମାଝୀ, ସରୋଜ କୁମାର ସେଠୀ ପ୍ରମୁଖ ଦୁଇ ପ୍ଲାଟନ ପୁଲିସ ଫୋର୍ସ ମୂତୟନ ସହିତ ଘଟଗାଁ ପୂର୍ତ୍ତି ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ସୋମନାଥ ପ୍ରଧାନ ସହକାରୀ ଯନ୍ତ୍ରୀ ମହେଶ୍ୱର ପାସାଙ୍କ ଉପସ୍ଥିତିରେ ଶାନ୍ତି ଶୃଙ୍ଖଳାର ସହ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ସଂପୂର୍ଣ୍ଣ କରି ଦେଇ ତାଙ୍କ କାମ ସାରି ଦେଇଥିବାବେଳେ ଏବେ ପାଟଣା ବଜାରରେ ବ୍ୟବସାୟୀମାନେ ବହୁତ ହଇରାଣ ହେଉଛନ୍ତି। ତେବେ ଜୁନ୍ ମାସଠାରୁ ଅଗଷ୍ଟ ମାସ ଯାଏ ଲଗାଣ ବର୍ଷା ଯୋଗୁ ଦୋକାନରେ ପାଣି ପଶୁଥିବା ଦେଖିବାକୁ ମିଳିଛି। ଏହି ସମସ୍ୟା ସମ୍ପର୍କରେ ପାଟଣା ବ୍ଲକରେ ହୋଇଥିବା ଜନଶୁଣାଣୀରେ ଜିଲ୍ଲାପାଳଙ୍କୁ ମଧ୍ୟ ପାଟଣା ବଜାର କମିଟି ଜଣାଇଥିଲେ ମଧ୍ୟ ଏଥିପ୍ରତି ଆଜି ପର୍ଯ୍ୟନ୍ତ ଦୃଷ୍ଟି ଦିଆଯାଇନାହିଁ। ଯଥାଶୀଘ୍ର ପାଟଣା ବଜାରର ଡ୍ରେନ୍ କାମକୁ ଆରମ୍ଭ କରିବା ପାଇଁ ପାଟଣା ବଜାର କମିଟି ଦାବି କରିଛି।
Popular Categories



