ପିପିଲି: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ଦଶମ ଶ୍ରେଣୀ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ (ସମ୍ମେଟିଭ ଆସେସ୍ମେଣ୍ଟ -୨) ପରୀକ୍ଷା ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ପିପିଲି ବ୍ଲକରେ ପରୀକ୍ଷାର୍ଥୀମାନେ ବେଶ୍ ଉତ୍ସାହର ସହ ପରୀକ୍ଷା ଦେଉଥିବା ସୂଚନା ମିଳିଛି। ପିପିଲି ବ୍ଲକ ଅଞ୍ଚଳରେ ମୋଟ୍ ୧୩ଗୋଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଥିବା ବେଳେ ପିପିଲି ନୋଡାଲ ହାଇସ୍କୁଲକୁ ବ୍ଳକର ନୋଡାଲ ସେଣ୍ଟର କରାଯାଇଛି। ଆଜି ପ୍ରଥମ ଦିନରେ ବ୍ଳକର ୨୩୭୪ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୩୨୬ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୪୮ଜଣ ଅନୁପସ୍ଥିତ ଥିବା ସଂପର୍କରେ ପିପିଲି ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ତଥା ନୋଡାଲ ଇନଚାର୍ଜ ନିବେଦିତା ମହାନ୍ତି ସୂଚନା ଦେଇଛନ୍ତି।
ଏହି ନୋଡାଲ କେନ୍ଦ୍ରରେ ପ୍ରଶ୍ନପତ୍ରକୁ ଗଚ୍ଛିତ ରଖାଯାଇଥିବା ବେଳେ ସେଠାରେ ୨୪ ଘଣ୍ଟିଆ କଡା ପୁଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହି ନୋଡାଲ ସେଣ୍ଟରରୁ ପ୍ରଶ୍ନପତ୍ର ନିଆଯାଇ ପରୀକ୍ଷା କେନ୍ଦ୍ର ଗୁଡିକରେ ପହଞ୍ଚାଯାଉଛି। ଏଥିପାଇଁ ସ୍ୱତନ୍ତ୍ର ଭାବେ ଦୁଇଟି ଟିମ୍ ଗଠନ କରାଯାଇଛି। ପ୍ରତ୍ୟେକ ଟିମରେ ଦୁଇଜଣ ଶିକ୍ଷକ ଓ ଜଣେ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏହି ଟିମ ଦ୍ୱୟକୁ ଆବଣ୍ଟିତ ହୋଇଥିବା ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚାଇବା ଓ ପରୀକ୍ଷା ପରେ ସେଠାରୁ ଉତ୍ତର ଖାତା ଆଣି ନୋଡାଲ ସେଣ୍ଟରରେ ପହଞ୍ଚାଇବା ଦାୟିତ୍ୱ ଦିଆଯାଇଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ନୋଡାଲ ସେଣ୍ଟର ପାଇଁ ସତ୍ୟବାଦୀ ଦାଶଙ୍କୁ ନୋଡାଲ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ପିପିଲି ନୋଡାଲ ହାଇସ୍କୁଲ୍ରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ହାଟସାହି ପଞ୍ଚାୟତ ହାଇସ୍କୁଲ, ଓରକଳ ହାଇସ୍କୁଲ ଓ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ମୋଟ୍ ୨୨୮ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ବେଳେ ଆଜି ପ୍ରଥମ ଦିନରେ ଜଣେ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ସୂଚନା ମିଳିଛି।



