ସମ୍ବଲପୁର: ସମ୍ବଲପୁରର ଅଇଁଠାପାଲି ସ୍ଥିତ ପିଏଚଡି ପଡ଼ିଆ ଠାରେ ମିଶନ ଶକ୍ତି ପକ୍ଷରୁ ଏକ ଋଣ ମେଳା ଆୟୋଜିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ତରଫରୁ ଚାଲିଥିବା ଉଦ୍ୟୋଗ ମେଳାର ଉଦଯାପନୀ ଦିବସରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଜିଲାର ୨୬୭ଟି ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ୨ କୋଟି ୮୯ ଲକ୍ଷ ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ କରାଯାଇଛି। ବ୍ୟାଙ୍କ ମାନଙ୍କ ତରଫରୁ ଭାରତୀୟ ଷ୍ଟେଟ ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ, କାନାରା ବ୍ୟାଙ୍କ, ସମ୍ବଲପୁର ଜିଲା ସମବାୟ ବ୍ୟାଙ୍କ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ, ୟୁକୋ ବ୍ୟାଙ୍କ ପ୍ରମୁଖ ଏହି କାର୍ୟ୍ୟକ୍ରମରେ ଅଂଶ ଗ୍ରହଣ କରି ବ୍ୟାଙ୍କ ଋଣର ନିର୍ଦ୍ଦେଶକ ଚିଠି ପ୍ରଦାନ କରାଯାଇଛି। ଉଦ୍ୟୋଗ ସପ୍ତାହ ପାଳନର ଶେଷ ଦିବସରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ଜିଲା ପ୍ରଶାସନ ତରଫରୁ ଏହି କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା। ଧନକଉଡା, ମାନେଶ୍ୱର, ଯୁଯୁମୁରା, ରେଙ୍ଗାଲି ଓ ସମ୍ବଲପୁର ମହାନଗର ନିଗମ ଅର୍ନ୍ତଗତ ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ଏଥିରେ ଅଂଶଗ୍ରହଣ କରିଥିଲେ।
ଜିଲା ସମାଜ ମଙ୍ଗଳ ଅଧିାକରିଣୀ ଗୀତାଞ୍ଜଳି ମହାପାତ୍ର ଙ୍କ ସଂଯୋଜନାରେ ଜିଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ରମେଶ କୁମାର ହଂସଦା ସଭାପତିତ୍ୱ କରିଥିଲେ। ଅଗ୍ରଣୀ ଜିଲା ପରିଚାଳକ ଶିବାଜି ପଟେଲ, ଏଡିଭିଓ ଡ. ଆକାଶ ଶତପଥୀ, ଏଫଆଇସି ଶିବ ପ୍ରସାଦ ବେହେରା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଉତ୍ସାହିତ କରିବା ସହିତ ବିଭିନ୍ନ କାର୍ୟ୍ୟପନ୍ଥା ସର୍ମ୍ପକରେ ଆଲୋକପାତ କରିଥିଲେ। ମିଶନ ଶକ୍ତିର ଜିଲା ପ୍ରକଳ୍ପ ପରିଚାଳକ ଓ ଜିଲା ପ୍ରକଳ୍ପ ସଂଯୋଜକ ଏହି ଋଣ ପ୍ରଦାନ କାର୍ୟ୍ୟକ୍ରମରେ ପୁଙ୍ଖାନୁପୁଙ୍ଖ ପରିଚାଳନା କରିଥିଲେ।



