କେନ୍ଦୁଝରରେ ୧୩୮ କେନ୍ଦ୍ରରେ ୨୩୦୩୭ଜଣ ଦେବେ ମାଟ୍ରିକ ପରୀକ୍ଷା

କେନ୍ଦୁଝରଗଡ଼଼: ମାର୍ଚ୍ଚ ୧୦ରୁ ୨୦ ତାରିଖ ସକାଳ ୮ଟାରୁ ୧୦ଟା ପର୍ୟ୍ୟନ୍ତ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌‌ ପରୀକ୍ଷା-୨୦୨୩ ଶୁକ୍ରବାର ଠାରୁ ଆରମ୍ଭ ଯାଉଛି। ଚଳିତବର୍ଷ କେନ୍ଦୁଝର ଜିଲାର ୪୭୭ଟି ହାଇସ୍କୁଲର ରେଗୁଲାର ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କୁ ମିଶାଇ ୨୩୦୩୭ଜଣ ପରୀକ୍ଷାର୍ଥୀ ୧୩୮ ପରୀକ୍ଷାକେନ୍ଦ୍ରରେ ପରୀକ୍ଷା ଦେବା ନିମନ୍ତେ ଚୂଡାନ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ୨ଟି ବିଦ୍ୟାଳୟର ୬୧ଜଣ ଛାତ୍ରଛାତ୍ରୀ ମଧ୍ୟମା ପରୀକ୍ଷା ଏବଂ ଡି.ଏନ.ହାଇସ୍କୁଲ କେନ୍ଦୁଝର ଓ ବନେଇକଳା ଉଚ୍ଚ ବିଦ୍ୟାଳୟ ପରୀକ୍ଷାକେନ୍ଦ୍ରରେ ୧୧୮ଜଣ ରାଜ୍ୟ ମୁକ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି। ପ୍ରଶ୍ନପତ୍ର ମହଜୁଦ୍‌‌ ପାଇଁ ୧୧ଟି ହାଇସ୍କୁଲକୁ ନୋଡାଲ କେନ୍ଦ୍ର ଗଠନ କରାଯାଇ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମସ୍ତ ବ୍ଲକ ମୁଖ୍ୟାଳୟସ୍ଥିତ ହାଇସ୍କୁଲକୁ ପ୍ରଶ୍ନପତ୍ର ଗଛିତ ପାଇଁ ନୋଡାଲ କେନ୍ଦ୍ର କରାଯାଇଥିବା ବେଳେ ବାଂଶପାଳ ବ୍ଲକକୁ ଡି.ଏନ୍‌‌.ହାଇସ୍କୁଲ କେନ୍ଦୁଝର ଏବଂ ଘସିପୁରା ବ୍ଲକକୁ ବି.ଏନ୍‌‌.ହାଇସ୍କୁଲ ଆନନ୍ଦପୁର ସହ ସାମିଲ କରାଯାଇଛି। ଏହିସବୁ ନୋଡାଲ କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥାରେ ପ୍ରଶ୍ନପତ୍ର ପହଞ୍ଚିସାରିଛି। ପରୀକ୍ଷା ପୂର୍ବଦିନ ପ୍ରଶ୍ନପତ୍ର ମହଜୁଦ୍‌‌ ପାଇଁ ୧୧ଟି ନୋଡାଲକେନ୍ଦ୍ରରୁ ୩୯ଟି ଡେସପାଚ୍‌‌ ଦଳ ସହାୟତାରେ ଗୁରୁବାର ସନ୍ଧ୍ୟା ସୁଦ୍ଧା ଜିଲାର ସମସ୍ତ ପରୀକ୍ଷା କେନ୍ଦ୍ରକୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରଶ୍ନପତ୍ର ପହଞ୍ଚା ଯାଇଥିବା ଜିଲା ଶିକ୍ଷା ଅଧିକାରୀ ଶ୍ରୀ ସେଠୀ କହିଛନ୍ତି। ପ୍ରଶ୍ନପତ୍ର କୌଣସି ପରିସ୍ଥିତିରେ ଯେପରି ପ୍ରଘଟ ନହୁଏ ସେଥିପାଇଁ ରାତିବେଳା ପାଟ୍ରୋଲିଂ ବ୍ୟବସ୍ଥା ସହ ପରୀକ୍ଷାକେନ୍ଦ୍ରକୁ ଅତର୍କିତ ଯାଞ୍ଚ କରାଯାଇ ପଦକ୍ଷେପ ନିଆଯାଇଥିବା ଜିଲା ଶିକ୍ଷା ଅଧିକାରୀ ଶ୍ରୀ ସେଠୀ କହିଛନ୍ତି।

ପରୀକ୍ଷାରେ ଅସାଧୁ ଉପାୟକୁ ରୋକିବା ପାଇଁ ଜିଲାପାଳଙ୍କ ନେତ୍ତୃତ୍ୱରେ ଉପଜିଲାପାଳ, ବିଡିଓ, ତହସିଲଦାରଙ୍କ ସମେତ ପ୍ରଶାସନିକ ଓ ପୁଲିସ ଅଧିକାରୀ, ଜିଲା ଶିକ୍ଷା ଅଧିକାରୀ ଓ ବୋର୍ଡ ପକ୍ଷରୁ ଅବସରପ୍ରାପ୍ତ ଅଭିଜ୍ଞ ଶିକ୍ଷକମାନଙ୍କୁ ନେଇ ତ୍ରିସ୍ତରୀୟ ସ୍କ୍ୱାର୍ଡ ଗଠନ କରାଯାଇଛି। ସେହିଭଳି କେବଳ ସୁପରିଟେଣ୍ଡେଣ୍ଟଙ୍କୁ ବାଦ୍‌‌ଦେଲେ ନିରୀକ୍ଷକ ଏବଂ ପରୀକ୍ଷାର୍ଥୀଙ୍କୁ ପରୀକ୍ଷାକେନ୍ଦ୍ର ମଧ୍ୟକୁ ମୋବାଇଲ, ସ୍ମାର୍ଟୱାଚ୍‌‌ ସମେତ ଇଲେକ୍ଟ୍ରୋନିକ୍ସ ସାମଗ୍ରୀକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ପ୍ରତି ପରୀକ୍ଷାକେନ୍ଦ୍ରରେ ୨ଜଣ ନିରୀକ୍ଷକଙ୍କୁ ତଦାରଖ ଦାୟିତ୍ୱ ଦିଆଯାଇଥିବା ବେଳେ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନକାରୀଙ୍କ ବିରୋଧରେ ଓଡ଼ିଶା ଶିକ୍ଷା ଅଧିନିୟମ-୧୯୮୮ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲା ଶିକ୍ଷା ଅଧିକାରୀ ଶ୍ରୀ ସେଠୀ ସତର୍କ କରିଛନ୍ତି। ଏତଦ୍‌‌ବ୍ୟତୀତ ପରୀକ୍ଷାକେନ୍ଦ୍ରର ୨୦୦ମିଟର ଦୂରତ୍ୱକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇ କେବଳ ପରୀକ୍ଷା ସହ ଜଡିତ ବ୍ୟକ୍ତି ବିଶେଷଙ୍କୁ ବାଦ୍‌‌ଦେଲେ ଅନ୍ୟମାନଙ୍କୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।

ଜିଲା ଶିକ୍ଷା ବିଭାଗ ପକ୍ଷରୁ ଜିଲାର ୨୪ଟି ପରୀକ୍ଷାକେନ୍ଦ୍ରକୁ ସମ୍ବେଦନଶୀଳ କେନ୍ଦ୍ର ଭାବେ ଚିହ୍ନଟ କରାଯାଇ କଡା ନଜର ରଖାଯାଇଛି। ୨୪ଟି ସମ୍ବେଦନଶୀଳ କେନ୍ଦ୍ର ମଧ୍ୟରୁ କେବଳ ଆନନ୍ଦପୁର ଉପଖଣ୍ଡରୁ ୧୪ଟି ଥିବାବେଳେ ହରିଚନ୍ଦନପୁର ବ୍ଲକରୁ ୩ଟି ଏବଂ ଚମ୍ପୁଆ, ଝୁମ୍ପୁରା, ସଦର, ତେଲକୋଇ, ଘଟଗାଁ, ପାଟଣା ଓ ସାହାରପଡ଼ା ବ୍ଲକରୁ ଗେଟିଏ ଲେଖାଏଁ କେନ୍ଦ୍ରକୁ ସମ୍ବେଦନଶୀଳ କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି। ହାଟଡିହି ବ୍ଲକର ସଡଙ୍ଗ, ଡଅଁର, ନନ୍ଦିପଡ଼ାହାଟ, ଢ଼େଙ୍କା, ବାଲିବରେଇ ଓ କଳିଙ୍ଗା, ଘସିପୁରା ବ୍ଲକର ଖାଳିଆମେଣ୍ଟା, ଖାଲପାଳ, କେଶଦୁରାପାଳ, ଗଡ଼ବାନ୍ଧଗୋଡା ଓ ପୁରୁଣାବାନ୍ଧଗୋଡା, ହରିଚନ୍ଦନପୁର ବ୍ଲକର ସୁନାପେଣ୍ଠ, ଜଂଘିରା ଓ ଜିରାଙ୍ଗ ଏବଂ ଚମ୍ପୁଆ ବ୍ଲକର ଜ୍ୟୋତିପୁର, ଝୁମ୍ପୁରା ବ୍ଲକର ଝୁମ୍ପୁରା, ସଦର ବ୍ଲକର ବୋଦାପଳସା, ତେଲକୋଇ ବ୍ଲକର ଦେଉଳଡିହା, ଘଟଗାଁ ବ୍ଲକର ପଣ୍ଡାପଡ଼ା, ପାଟଣା ବ୍ଲକର ରାଜନଗର ଓ ସାହାରପଡ଼ା ବ୍ଲକର ଉଦୟପୁର ପରୀକ୍ଷାକେନ୍ଦ୍ରକୁ ସମ୍ବେଦନଶୀଳ କେନ୍ଦ୍ର ଭାବେ ଚିହ୍ନଟ କରାଯାଇ ଜିଲା ଓ ପୁଲିସ ପ୍ରଶାସନ ପକ୍ଷରୁ କଡା ନଜର ରଖାଯାଇଛି। ତେବେ ପରୀକ୍ଷାର୍ଥୀ କୌଣସି ପ୍ରକାର ଭୟ ଓ ଚାପର ବଶବର୍ତ୍ତୀ ନହୋଇ ପରୀକ୍ଷା ଦେବାପାଇଁ ଜିଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ପରୀକ୍ଷାର୍ଥୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିବା ବେଳେ ପରୀକ୍ଷା ସୁପରିଚାଳନା ନେଇ ଅଭିଭାବକଙ୍କ ସହଯୋଗ କାମନା କରିଛନ୍ତି।

Comments are closed.