ଜାତୀୟ ସୁରକ୍ଷା ଦିବସ ପାଳିତ

ତିଗିରିଆ: ତିଗିରିଆ ବ୍ଲକ ନୂଆପାଟଣା ବିଦ୍ୟୁତ ବିଭାଗ କାର୍ୟ୍ୟାଳୟ ଠାରେ ଆୟୋଜିତ ୫୨ ତମ ଜାତୀୟ ସୁରକ୍ଷା ଦିବସ ଶନିବାର ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଏକ ସଚେତନତା ସଭାରେ ମୁଖ୍ୟ ଅତିଥି ଭାବେ କନିଷ୍ଠ ଯନ୍ତ୍ରୀ ମହମ୍ମଦ ଖାଲିଦ ଯୋଗଦେଇ କାର୍ୟ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ସାଧାରଣ ଲୋକ ଓ କର୍ମଚାରୀଙ୍କ ଜୀବନକୁ ସୁରକ୍ଷିତ କରିବା ଆମ ସମସ୍ତଙ୍କର ପ୍ରାଥମିକତା ହେବା ଦରକାର ବୋଲି କହିଥିଲେ। ଆକସ୍ମିକ ଦୁର୍ଘଟଣାକୁ ହୁଏତ ରୋକା ଯାଇନପାରେ କିନ୍ତୁ ଦୁର୍ଘଟଣାରେ ଘଟୁଥିବା ଧନ ଓ ପ୍ରାଣହାନିକୁ ଆମେ ରୋକିପାରିବା ସେଥିପାଇଁ ଆମକୁ ସଚେତନ ଏବଂ ସତର୍କତା ଅବଲମ୍ବନ କରିବାକୁ ହେବ। ପ୍ରତ୍ୟେକ ଦାୟିତ୍ଵବାନ କର୍ମଚାରୀ ଭାବେ ନିଜ ନିଜର କର୍ତ୍ତବ୍ୟକୁ ସୂଚାରୁ ରୂପେ ସଂପାଦନ ପ୍ରତି ଧ୍ୟାନଦେବା, ନିଷ୍ଠାର ସହ କାର୍ୟ୍ୟ କରିବା ଏବଂ କାର୍ୟ୍ୟରେ କୌଣସି ତ୍ରୁଟିକୁ ପ୍ରଶ୍ରୟ ଦେବା ନାହିଁ ତେବେ ମଣିଷ ଭଳି ଅମୂଲ୍ୟ ଜୀବନକୁ ସୁରକ୍ଷିତ ରଖି ପାରିବା ବୋଲି ସେ କହିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ’ନିଜ ସୁରକ୍ଷା ନିଜ ହାତରେ’ ବିଷୟରେ ଆଲୋଚନା କରିବା ସହିତ ଉପସ୍ଥିତ ସମସ୍ତ କର୍ମଚାରୀମାନଙ୍କୁ ସୁରକ୍ଷା ଶପଥ ପାଠ କରାଇଥିଲେ। ଶ୍ରୀ ଖାଲିଦ ’ଆମର ଲକ୍ଷ୍ୟ ଶୂନ୍ୟ କ୍ଷତି’କୁ ମୂଳମନ୍ତ୍ର କରିବାପାଇଁ କର୍ମଚାରୀମାନଙ୍କୁ ବୁଝାଇଥିଲେ।

Comments are closed.