ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର କାର୍ଯ୍ୟଶୈଳୀରେ ସ୍ବଚ୍ଛତା ଆଣିବାକୁ ଏପ୍ରିଲରୁ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ ଯେଭଳି କାର୍ଯ୍ୟାଳୟ ନ ଆସିବେ ସେନେଇ ନିଷ୍ପତ୍ତି ହୋଇଥିଲା। ଏନେଇ ନିର୍ଦେଶନାମା ଜାରି କରାଯିବା ସହ କାର୍ଯ୍ୟକାରୀ କରିବାକୁ କୁହାଯାଇଥିଲା ସମସ୍ତ ଫାଇଲ କାମକୁ ଡିଜିଟାଲ କରାଯିବା ସହ ଶିକ୍ଷାନୁଷ୍ଠାନ ଓ ପରିଷଦ ମଧ୍ୟରେ ସମସ୍ତ କାମ ଅନ୍ଲାଇନ୍ରେ କରିବାକୁ କୁହାଯାଇଥିଲା। ମାତ୍ର ଏହା ଠିକଣା ଢଙ୍ଗରେ କାର୍ଯ୍ୟକାରୀ ହୋଇପାରୁନି। ଏହାକୁ ନେଇ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ସୂଚନା ଅନୁଯାୟୀ ୨୦୦୦ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷଙ୍କୁ ପରିଷଦର ମୁଖ୍ୟ ଏବଂ ଶାଖା କାର୍ଯ୍ୟାଳୟରେ ଥିବା କୌଣସି କାର୍ଯ୍ୟପାଇଁ ସେମାନଙ୍କର କର୍ମଚାରୀଙ୍କୁ pathaibaa ପରିବର୍ତ୍ତେ, ପରିଷଦ ସହିତ ସମସ୍ତ ପତ୍ର ବିନିମୟ, ଦସ୍ତାବିଜ୍ ଉପସ୍ଥାପନ ଏବଂ ଫି ଜମା କରିବା ଇତ୍ୟାଦି କାର୍ଯ୍ୟ ଡାକ, ଇ ମେଲ୍ କିମ୍ବା ଅନ୍ଲାଇନ୍ ମାଧ୍ୟମରେ ପ୍ରଦାନ କରିବା ପାଇଁ ନିର୍ଦେଶ ଦିଆଯାଇଥିଲା। ମାତ୍ର ଏହି ନିର୍ଦେଶକୁ ବେଖାତିର କରି କିଛି ଅସାଧୁ କର୍ମଚାରୀ ମହାବିଦ୍ୟାଳୟ ଗୁଡିକୁ ଫୋନ୍ ମାଧ୍ୟମରେ ପରିଷଦକୁ ଆସିବା ପାଇଁ ବାଧ୍ୟ କରୁଛନ୍ତି। ଯେଉଁମାନେ ଆସିବା ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି ସେମାନଙ୍କୁ ଛାତ୍ରଛାତ୍ରୀଙ୍କର ପଞ୍ଜୀକରଣ ଆଳରେ ଡ଼କା ଯାଉଥିବା ବେଳେ ଧମକ ମଧ୍ୟ ଦିଆଯାଉଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର କାର୍ଯ୍ୟଶୈଳୀରେ ଏବେ ଅନେକ ସ୍ବଚ୍ଛତା ଆସିଥିଲେ ସୁଦ୍ଧା କିଛି ଅସାଧୁ କର୍ମଚାରୀ, ଅଧିକାରୀଙ୍କ ହାତମୁଠାରେ ରଖି ସେମାନଙ୍କର ମନପସନ୍ଦର ବିଭାଗକୁ ବାରମ୍ବାର ବଦଳି ହୋଇ ଆସୁଛନ୍ତି।
ପରୀକ୍ଷା ନିୟନ୍ତ୍ରକ ଡ.ପ୍ରଶାନ୍ତ କୁମାର ପରିଡ଼ା କହିଛନ୍ତି, ପରିଷଦରେ ସମସ୍ତ କାମକୁ ଡିଜିଟାଲ କରିବାକୁ ଆମେ ଧ୍ୟାନ ଦେଉଛୁ। ଅଧିକାଂଶ କାର୍ଯ୍ୟ ଅନ୍ଲାଇନ୍ରେ ହେଉଛି। କୌଣସି ଶିକ୍ଷାନୁଷ୍ଠାନର କର୍ମଚାରୀଙ୍କୁ ଆସିବାକୁ ଆମେ କହୁନୁ। ଯଦି କୌଣସି ପରିଷଦ କର୍ମଚାରୀ ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କୁ ଡ଼ାକୁଛନ୍ତି ତେବେ ଅଭିଯୋଗ ଆସିଲେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।



