ପଦ୍ମପୁର: ଓଡ଼ିଶା କଂଗ୍ରେସର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନର ଡାକରାକୁ ପୂର୍ଣ୍ଣ ସମର୍ଥନ ଜଣାଇ ପଦ୍ମପୁରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। କଂଗ୍ରେସ କର୍ମୀମାନେ ପଦ୍ମପୁର ସହର ଠାରୁ ଆରମ୍ଭ କରି ଗାଆଁ ପର୍ଯ୍ୟନ୍ତ ପ୍ରତ୍ୟେକ ଛକ ମାନଙ୍କରେ ପିକେଟିଂ କରିବା ସହ କଂଗ୍ରେସ କର୍ମୀମାନେ ନାରାବାଜି କରି ସୁନାରିଘାଇ ଛକ, ମୁଚିକିପଦର ଛକ, ଅରୁଣଝୋଲି ଛକ, ଖିଲାମୁଣ୍ଡା ଛକରେ ରାସ୍ତାରେ ଟାଇର ଜାଳି ଜାତୀୟ ରାଜପଥ ଅବରୋଧ କରିଥିଲେ। ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ କରିବା ପାଇଁ ଜନସାଧାରଣଙ୍କୁ ବୁଝାଇଥିଲେ।
ଜନସାଧାରଣ ମାନେ ମଧ୍ୟ ସ୍ୱତଃପ୍ରବୃତ ଭାବରେ ଦୋକାନ ବଜାର ବନ୍ଦ କରି ବନ୍ଦକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା। ସମସ୍ତ ବ୍ୟାଙ୍କ୍, ସ୍କୁଲ୍, କଲେଜ, ଡାକବିଭାଗ, ଦୈନିକ ପରିବା ବଜାର ତଥା ସମସ୍ତ ଦୋକାନ ବଜାର ଆଜି ବନ୍ଦ ରହିଥିଲା। ବାଲେଶ୍ୱର ପୀଡିତାଙ୍କୁ ନ୍ୟାୟ ଦାବି ନେଇ କଂଗ୍ରେସ ପକ୍ଷରୁ ଆଜି ଜୋରଦାର ବିକ୍ଷୋଭ ପ୍ରଦର୍ଶନ ସହ ବନ୍ଦ ପାଳନ କରାଯାଇଥିଲା। କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକ ସନ୍ତପ୍ତ ପରିବାରଙ୍କ ପ୍ରତି ସମବେଦନା ଜଣାଇଥିଲେ। ପଦ୍ମପୁର ବ୍ଲକ କଂଗ୍ରେସ କମିଟିର ସଭାପତି ସାହେବ ଶବର, କୋରାପୁଟ ଲୋକସଭା ସାଂସଦ ପ୍ରତିନିଧି ଏମ ସୁରେଶ କୁମାର, ଜିଲାପରିଷଦ କଂଗ୍ରେସ ପ୍ରାର୍ଥୀ ସୁନୀଲ ଚୌଧୁରୀ, ଟୁକୁଲୁ ପାଣିଗ୍ରାହୀ, ସୂର୍ଯ୍ୟନାରାୟଣ ସାହୁ, ନବୀନ ଲିମା, ଖଇରା ମାଝୀ, ବୁଦ୍ଧ ଶବର, କିଶୋର ପାଲାକା, ରାମକୃଷ୍ଣ ପାଣିଗ୍ରାହୀ, ପାଉଲ ମାଝୀ ସମେତ ଶତାଧିକ କଂଗ୍ରେସକର୍ମୀ ବନ୍ଦ ପାଳନରେ ସାମିଲ ହୋଇଥିଲେ। ପୂର୍ବତନ ବ୍ଲକ ଅଧ୍ୟକ୍ଷ ରମାକାନ୍ତ ମାଝୀଙ୍କ ନେତୃତ୍ୱରେ କଂଗ୍ରେସର ଅନ୍ୟ ଏକ ଗୋଷ୍ଟି ପୃଥକ ଭାବରେ ଏମ ଏଲ ଏ କ୍ୱାଟର ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା। ପଦ୍ମପୁର ଥାନା ଅଧିକାରୀ ଧରଣୀଧର ପ୍ରଧାନଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇ ସୁନାରିଘାଇ ଛକ, ମୁଚିକିପଦର ଛକ, ଅରୁଣଝୋଲି ଛକ, ଖିଲାମୁଣ୍ଡା ଛକରେ ପୁଲିସ ମୁତୟନ ହୋଇଥିଲେ।



