ସମ୍ବଲପୁର: ବିଦ୍ୟା ବିକାଶ ଅନୁଷ୍ଠାନ ସମୂହ ସମ୍ବଲପୁରର ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଜାତୀୟ ସେବା ଯୋଜନା ଦ୍ୱାରା ସମିକ୍ଷା ବୈଠକ ତଥା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଇଯାଇଅଛି। ଏଥିରେ ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବରଗଡ଼, ଝାରସୁଗୁଡା, ନୁଆଁପଡ଼ା, ସୁନ୍ଦରଗଡ଼, ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ, ଦେବଗଡ଼ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏନ୍ଏସ୍ଏସ୍ ଶାଖାର କାର୍ଯ୍ୟକାରି ସଂଯୋଜକ ଏବଂ ଜିଲା ସଂଯୋଜକ ଯୋଗ ଦେଇଥିଲେ। ମୁଖ୍ୟ ପ୍ରଶାସନିକ ଅଧିକାରି ସଞ୍ଜିବ କୁମାର ବାବୁ ସ୍ୱାଗତ ଭାଷଣରେ ଅତିଥି ପରିଚୟ ପ୍ରଦାନ କରିଥିଲେ।
ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଚେୟାରମେନ ମୃଣାଲ କାନ୍ତି ଦାଶ (ଆଇଏଏସ୍) ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରତ୍ୟକ୍ଷ ଭାବରେ ପ୍ରତ୍ୟେକ ସଂଯୋଜକଙ୍କ ସହିତ ତାଙ୍କ ଶାଖାର ବିଭିନ୍ନ କାର୍ଯ୍ୟକଳାପ ଉପରେ ଆଲୋଚନା କରିଥିଲେ ଏବଂ ଅଗାମି ଦିନରେ କିପରି ଏନ୍ଏସ୍ଏସ୍ ଆହୁରି ଲୋକାଭିମୁଖି ହେବ ସେ ବିଷୟରେ ମାର୍ଗଦର୍ଶନ ଦେଇଥିଲେ। କ୍ୟାମ୍ପସରୁ ବାହାରି ଗୋଷ୍ଠି ସେବା ପାଇଁ ଉତ୍ସର୍ଗୀକୃତ ହେବା ହିଁ ପ୍ରକୃତ ସ୍ୱେଚ୍ଛାସେବୀର ପରିଚୟ ବୋଲି ଆ ଳିକ ନିର୍ଦ୍ଦେଶିକା ସରିତା ପଟେଲ ମତବ୍ୟକ୍ତ କରିଥିଲେ। ଏନ୍ଏସ୍ଏସ୍ ଯୁବ ଅଧିକାରି ଅଜିତ କୁମାର ଓ ବରିଷ୍ଠ ଜିଲା ସଂଯୋଜକ ପ୍ରତାପ ଚନ୍ଦ୍ର ଦାସ ପ୍ରଶିକ୍ଷକ ଭାବରେ ଯୋଗ ଦେଇ ଯଥାକ୍ରମେ ‘ମାଏ ଭାରତ’ ପୋର୍ଟାଲରେ ପଞ୍ଜିକରଣ ଓ ଶାରୀରିକ ସୁସ୍ଥତା ଉପରେ ଗୁରୁ୍ତ୍ୱାରୋପ କରିଥିଲେ।
ଶିବିରରେ ବିଦ୍ୟାବିକାଶ ସମୂହର ଚେୟାରମେନ ତଥା ପରିଚାଳନା ନିର୍ଦ୍ଦେଶକ ଜି. ଭାସ୍କର ରାଓ, ନିର୍ଦ୍ଦେଶକ ଜି ରାମକ୍ରିଷ୍ଣା, ମୁଖ୍ୟ ପ୍ରଶାସନିକ ଅଧିକାରି ସଞ୍ଜିବ କୁମାର ବାବୁ, ବିକାଶ ଦ କନସେପ୍ଟ ସ୍କୁଲର ଅଧ୍ୟକ୍ଷ ମନୋରଂଜନ ପତି, ବିକାଶ ସିନିୟର ସେକେଣ୍ଡାରି ସ୍କୁଲର ଅଧ୍ୟକ୍ଷା ଡଃ ପୁଷ୍ପିତା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏନ୍ଏସ୍ଏସ୍ ରାଜ୍ୟ ସଂଯୋଜକ ଡଃ ବିଶ୍ୱ ମୋହନ ଜେନା ଏବଂ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏନ୍ଏସ୍ଏସ୍ ସଂଯୋଜକ ମନୋରଂଜନ ମିଶ୍ର। ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡଃ ଦିବ୍ୟସିଂହ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।



