ରେଙ୍ଗାଲିକ୍ୟାମ୍ପ: ବରଗଡ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ଗୋଡଭଗାରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଗତ ରାତି ପ୍ରାୟ ୨ଟାରେ ଖବର ପାଇ ଅତାବିରା ପୋଲିସ ଏକ ଦଶ ଚକିଆ ଟ୍ରକକୁ ଜବତ କରିଛି। ଗାଡିର ଚାଳକ ଗୋଖାଦ୍ୟ ଯାଉଥିବା କହିଥିଲା ଓ ଏକ ନକଲି ବିଲ ମଧ୍ୟ ଦେଖାଇଥିଲା। କିନ୍ତୁ ପୋଲିସ ସନ୍ଦେହ କରି ଟ୍ରକରେ ଥିବା ମାଲକୁ ଦେଖିବାରୁ ଟ୍ରକରେ କେନ୍ଦୁପତ୍ର ଭର୍ତ୍ତି ରହିଥିଲା। ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି। ଏହି କେନ୍ଦୁପତ୍ର ରେଢ଼ାଖୋଲରୁ କୋଲକାତାକୁ ପଠାଯାଉଥିବା ଜଣାପଡ଼ିଛି। ହେଲେ ଆଜି ପ୍ରାୟ ସବୁ ରାସ୍ତାରେ ପୋଲିସ ପେଟ୍ରୋଲିଂ ହେଉଥିବା ଯୋଗୁଁ ଜାତୀୟ ରାଜପଥରେ ନ ଯାଇ ଟ୍ରକ୍ ସୋନପୁର, ବୌଦ୍ଧ, ବରପାଲି, ବରଗଡ ଦେଇ ପୁଣି ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ଧରା ପଡ଼ିଥିଲା।
ଚାଳକ ଜଣକ ବିହାରର ନାୱାଡ ଜିଲ୍ଲାର ଆକବର ପୁର ଥାନା ଅଧୀନସ୍ଥ ପିଥୋରି ଗ୍ରାମର ସଞ୍ଜୟ ରାୟ ଓରଫ ପ୍ରସାଦ (୪୮) ବୋଲି ଜଣାପଡିଛି। କେନ୍ଦୁପତ୍ର ବୋଝେଇ ହୋଇଥିବା ଟ୍ରକ୍ ସହ ଦୁଇଟି ମୋବାଇଲ ଜବତ କରି ପୋଲିସ ଚାଳକକୁ କୋର୍ଟ ଚାଲାଣ କରିଛି।



