ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ଥମିବାରେ ନା ଧରୁନି ଜନନୀ ଯନ୍ତ୍ରଣା। ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଞ୍ଚାୟତ ପାଣ୍ଡୁ ପଦର ଗାଁକୁ ଆଜି ପର୍ଯ୍ୟନ୍ତ ରାସ୍ତା ଟିଏ ନ ଥିବାରୁ ଲୋକେ ଯାତାୟତ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଜି ଏହି ପାଣ୍ଡୁପଦର ଗାଁର ତପୋବନ ମଲିକଙ୍କ ସ୍ତ୍ରୀ ତପସ୍ୱିନୀ କହଁର (୨୬)ଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ଫିରିଙ୍ଗିଆ ମେଡିକାଲକୁ ଯିବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। କିନ୍ତୁ ରାସ୍ତା ନ ଥିବାରୁ ଏବଂ କାଦୁଅ ପଚ ପଚ ହୋଇଥିବାରୁ ଆମ୍ବୁଲାନ୍ସ ପାଣ୍ଡୁ ପଦର ଗାଁକୁ ଯାଇପାରିନଥିବା ବେଳେ ପ୍ରାୟ ୪ କିଲୋମିଟର ଦୂରରେ ଅଟକି ଯାଇଥିଲା। ତେବେ ଆମ୍ବୁଲାନ୍ସ ଯିବାରେ ବିଳମ୍ବ ହେବା ସହ ରାସ୍ତା ନ ଥିବାରୁ ପରିବାର ଏବଂ ଗାଁ ଲୋକେ ଏକ ଅଟୋରେ ବସାଇ କାଦୁଅ ରାସ୍ତାରେ ଠେଲି ଠେଲି ୪ କିଲୋମିଟର ଦୂର ନେବା ବାଟରେ ଗର୍ଭବତୀ ମହିଳା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ।
ନିଜେ ଆଶା ଦିଦି ପୁଷ୍ପା ମଲିକ ପିଲାକୁ ଧରି କିଛି ବାଟ ଚାଲି ଚାଲି ଆସିଥିଲେ ଆଉ ଡେଲିଭରି ମା’କୁ ଅଟୋରେ ବିଲ ମଝିରେ ଠେଲି ଠେଲି ଆଣିଥିଲେ। ଗ୍ରାମବାସୀଙ୍କ ସହଯୋଗରେ ଆମ୍ବୁଲାନ୍ସ ପାଖକୁ ନେଇଥିଲେ ଓ ଅସହାୟ ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ପ୍ରସୁତି ମହିଳାଙ୍କୁ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।



