ଭବାନୀପାଟଣା: ସମାଜସେବାର ଅନନ୍ୟ ଚରିତ୍ର ପଣ୍ଡିତ ଗୋପବନ୍ଧୁ ଦାସ। ବୁଭୁକ୍ଷୁ ଜନତାଙ୍କ ତ୍ରାଣକର୍ତ୍ତା ଭାବେ ତାଙ୍କର ସ୍ବତନ୍ତ୍ର ପରିଚୟ ରହିଛି। ତାଙ୍କ ପୁଣ୍ୟ ତିଥିରେ ସମାଜର ବିଭିନ୍ନ ବର୍ଗ, ସମ୍ପ୍ରଦାୟର ଲୋକ ତାଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଦେବା ହିଁ ପ୍ରମାଣିତ କରୁଛି, ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସେ ଲୋକଙ୍କୁ ସାହାଯ୍ୟ କରୁଥିଲେ। ସେଇଥିପାଇଁ ତ ରାଜ୍ୟର ସବୁ ସ୍ଥାନରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେଇଛି। ହେଲେ ଏବେ ତରଭୁଜ ଫଳରେ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଚିତ୍ର ଆଙ୍କିଛନ୍ତି ଦେଶର ନାମୀ ଫ୍ରୁଟକାର୍ଭିଙ୍ଗ ବା ଫଳ ଚିତ୍ରକର ଓଡ଼ିଆ ପୁଅ ସେଫ ସପନ ନାଏକ।
ନିକଟରେ ଭବାନୀପାଟଣାରେ ଅନୁଷ୍ଠିତ ଏକ ଫଳଚିତ୍ର ପ୍ରଦର୍ଶନୀରେ ସେ ଆଙ୍କିଥିବା ଦେଶର ୧୩ ଜଣ ବ୍ୟକ୍ତିତ୍ଵଙ୍କ ମଧ୍ୟରେ ଉତ୍କଳମଣିଙ୍କ ଫଳଚିତ୍ର ସ୍ଥାନ ପାଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ଅନେକ ଦେବାଦେବୀ, ମହାପୁରୁଷ, ରାଜନୈତିକ ବ୍ୟକ୍ତିତ୍ଵ, କ୍ରୀଡା, ସାମାଜିକ ବ୍ୟକ୍ତିତ୍ଵଙ୍କ ଚିତ୍ର ସେ ଆଙ୍କୁଥିବା “ସମାଜ” ସହିତ କଥାବାର୍ତ୍ତା ବେଳେ କହିଛନ୍ତି। ଭଦ୍ରକ ଜିଲ୍ଲା ଜନ୍ମିତ ସେଫ ସପନ ସଂପ୍ରତି ବେଙ୍ଗଲୁରୁର ହୋଟେଲ କ୍ଲାର୍କ ଇନରେ କାର୍ଯ୍ୟ କରୁଛନ୍ତି। ଓଡ଼ିଶା ଯାହାଙ୍କ ପାଇଁ ଗର୍ବିତ ସେଇ ମହାପୁରୁଷ ପଣ୍ଡିତ ଗୋପବନ୍ଧୁଙ୍କ ଫଳଚିତ୍ର ସବୁ ପ୍ରଦର୍ଶନୀରେ ଆଙ୍କି ଜଣେ ଓଡ଼ିଆ ଭାବେ ଗର୍ବ ଅନୁଭବ କରନ୍ତି ବୋଲି ସେଫ ସପନ କହିଥିଲେ। ଏହାହିଁ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତି ତାଙ୍କର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ବୋଲି ସେ କହିଛନ୍ତି।



