ଆଠଗଡ: ସରକାରୀ ପରିଚାଳନାରେ ଥିବା ଭାରତ ସଞ୍ଚାର ନିଗମ ଲିମିଟେଡ଼ (ବିଏସଏନଏଲ) ସରକାରଙ୍କ ସମସ୍ତ ପ୍ରୋତ୍ସାହନ ସତ୍ତ୍ୱେ ଯୁଗୋପଯୋଗୀ ସଞ୍ଚାର ସେବା ଯୋଗାଇବାରେ ସମ୍ପୂର୍ଣ୍ଣ ବିଫଳ ହେଉଥିବା ଦେଖିବାକୁ ମିଳୁଛି। ବିଶେଷକରି କଟକ ଜିଲ୍ଲାର ଅନ୍ୟତମ ପ୍ରମୁଖ ତଥା ଗୁରୁତ୍ୱପୂର୍ଣ୍ଣ ଉପଖଣ୍ଡ ଭାବେ ପରିଗଣିତ ଆଠଗଡ ଉପଖଣ୍ଡରେ ବିଏସଏନଏଲ ମୋବାଇଲ ଓ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଦିଗହରା ହୋଇପଡିଛି। ଫଳରେ ନିମ୍ନମାନର ସେବା ଯୋଗୁଁ ଆଠଗଡ ଅଞ୍ଚଳର ଅଧିକାଂଶ ଗ୍ରାହକ ବିଏସଏନଏଲ ପ୍ରତି ବିମୁଖ ହୋଇ ଘରୋଇ ଦୂର ସଞ୍ଚାର କମ୍ପାନୀ ପ୍ରତି ଆକୃଷ୍ଟ ହେଉଛନ୍ତି। ଆଠଗଡ ସହରରେ ଥିବା ବିଏସଏନଏଲର ମୁଖ୍ୟ କାର୍ଯ୍ୟାଳୟରେ ବୈଷୟିକ ଅଧିକାରୀ ଓ କ୍ଷେତ୍ର କର୍ମଚାରୀଙ୍କ ଅଭାବ ଥିବାବେଳେ କାର୍ଯ୍ୟରତ ଯନ୍ତ୍ରୀଙ୍କ ଖାମଖିଆଲ ମନୋଭାବ ଏବଂ ଅବହେଳା ଫଳରେ ଇଣ୍ଟରନେଟ ଓ ମୋବାଇଲ ସେବା ବିପର୍ଯ୍ୟସ୍ତ ହୋଇପଡିଛି।
ଫାଇବର କେବୁଲ ମାଧ୍ୟମରେ ଇଣ୍ଟରନେଟ ସେବା ଗତିଶୀଳ ହେଉଥିବାରୁ ଆଠଗଡ ଅଞ୍ଚଳର ଶହ ଶହ ଉପଭୋକ୍ତା ବିଏସଏନଏଲ ଦୂର ସଞ୍ଚାର ସେବା ପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ତେବେ ବିଭାଗ ପକ୍ଷରୁ ଅତ୍ୟନ୍ତ ନିମ୍ନମାନର ସେବା ଗ୍ରାହକଙ୍କୁ ଅତିଷ୍ଠ କରୁଛି। ପ୍ରାୟ ସମସ୍ତ ସରକାରୀ କାର୍ଯ୍ୟାଳୟ ବିଏସଏନଏଲ ଇଣ୍ଟରନେଟ ସେବା ଉପରେ ନିର୍ଭରଶୀଳ। ତେବେ ନିମ୍ନମାନର ବିଏସଏନଏଲ ଇଣ୍ଟରନେଟ ସେବା ଯୋଗୁଁ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଦୈନନ୍ଦିନ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ଜନସାଧାରଣ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ବିଭିନ୍ନ କାରଣରୁ ମାସରେ ପ୍ରାୟ ୧୫ ଦିନ ବିଏସଏନଏଲ ଇଣ୍ଟରନେଟ ଓ ମୋବାଇଲ ସେବାରେ ଗୁରୁତର ତୃଟି ପରିଲକ୍ଷିତ ହେଉଛି। କେତେବେଳେ ରାସ୍ତା କାମରେ କେବୁଲ କଟିବା ହେଉ କିମ୍ବା ବଜ୍ରପାତରେ ନିମ୍ନମାନର ଉପକରଣ ଖରାପ ହେବା ଅଥବା ଅନ୍ୟ କାରଣରୁ ଏସବୁ ସମସ୍ୟା ସୃଷ୍ଟି ହେଉଛି। ଆଠଗଡ ବିଏସଏନଏଲ ଏକ୍ସଚେଞ୍ଜରେ କେହି ସ୍ଥାୟୀ ଜେଟିଓ ଏବଂ ଏସଡିଓ ନାହାନ୍ତି। ବାଙ୍କୀ ଜେଟିଓ ଏବଂ କଟକ ସଦର ଏସଡିଓଙ୍କୁ ଆଠଗଡର ଅତିରିକ୍ତ ଦାୟିତ୍ବ ଦିଆଯାଇଥିବାରୁ ସେମାନେ ଠିକଣା ଭାବେ ନିଜ କର୍ତ୍ତବ୍ୟ ନିର୍ବାହ କରିପାରୁନାହାନ୍ତି। ସେହିପରି ଆଠଗଡ ଉପଖଣ୍ଡର ତିଗିରିଆ, ନୂଆପାଟଣା, ବଡମ୍ବା, କାନପୁର, ନରସିଂହପୁର, ଖୁଣ୍ଟୁଣୀ ଓ ଗୁରୁଝାଟିଆ ସମେତ ବାଙ୍କି ବ୍ଲକର ସୁବର୍ଣ୍ଣପୁର ଆଦି ଅଞ୍ଚଳରେ ଥିବା ବିଏସଏନଏଲର ଛୋଟ ଛୋଟ ଏକ୍ସଚେଞ୍ଜ ଗୁଡିକ ଆଠଗଡ ମୁଖ୍ୟ ଏକ୍ସଚେଞ୍ଜ ଅଧିନରେ ରହିଛି। ହେଲେ ସେସବୁ ଛୋଟ ଏକ୍ସଚେଞ୍ଜରେ କେଉଁଠି ଜଣେ ମାତ୍ର ଅସ୍ଥାୟୀ କର୍ମଚାରୀ ଅବା କେଉଁଠି ଆଦୌ କର୍ମଚାରୀ ନଥିବାରୁ ସେ ଅମଳରେ ଇଣ୍ଟରନେଟ ଓ ମୋବାଇଲ ସେବା ଅବସ୍ଥା ନ କହିଲେ ଭଲ। ତେଣୁ ସରକାରୀ ପରିଚାଳିତ ଦୂର ସଞ୍ଚାର ସେବା ପ୍ରତି ଲୋକଙ୍କ ଆସ୍ଥା ତୁଟିଯାଉଛି। ଏପରି ସ୍ଥିତିରେ ଘରୋଇ ଟେଲି ଯୋଗାଯୋଗ କମ୍ପାନୀଗୁଡ଼ିକ ଉନ୍ନତ ସେବା ଯୋଗାଇ ଦେଉଥିବାରୁ ଗ୍ରାହକ ଘରୋଇ କମ୍ପାନୀ ଆଡକୁ ମୁହାଁଉଛନ୍ତି। ଏଭଳି ପରିସ୍ଥିତିରେ ବିଏସଏନଏଲ କର୍ତୃପକ୍ଷ ଉନ୍ନତ ସେବା ଯୋଗାଇ ଦେବା ଲାଗି ଦୃଢ ପଦକ୍ଷେପ ନନେଲେ ଉକ୍ତ ସରକାରୀ ପରିଚାଳିତ ସଂସ୍ଥା ନିଜର ସତ୍ତା ହରାଇବ ବୋଲି ସାଧାରଣରେ ମତପ୍ରକାଶ ପାଉଛି।



