ପାଟଣା : ରୋଜଗାର ଯୋଗାଇଛି ଜିଆ ଖତ। ଏହି ଜିଆ ଖତ ଚାଷ କରି ଆତ୍ମନିର୍ଭରଶୀଳ ହୋଇଛନ୍ତି ୧୦୫ ପରିବାର। ପାଟଣା ବ୍ଲକ ଅନ୍ତର୍ଗତ ରୋହିଣୀଦୁମା ଗ୍ରାମରେ ୧୨୭ ଟି ପରିବାର ବସବାସ କରୁଥିଲେ ମଧ୍ୟ ୧୦୫ ଟି ପରିବାର ଗୋରୁ ଓ ଛେଳି ପାଳନ କରୁଥିବାରୁ ସେମାନଙ୍କ ପାଇଁ ଜିଆ ଖତ ପ୍ରସ୍ତୁତ କରିବା ସୁବିଧା ଜନକ ମନେ କରି ବନ ବିଭାଗ ସେମାନଙ୍କୁ ଏହି ସୁଯୋଗ ଦେଇଛି। ବିଭିନ୍ନ ପ୍ରକାରର ରାସାୟନିକ ସାରର କୁପ୍ରଭାବରୁ ରକ୍ଷା ପାଇଁ ଜିଆ ଚାଷକୁ ବିକଳ୍ପ ଭାବେ ବିଚାର କରାଯାଇଥିବାବେଳେ ଏବେ ଏହା ବେଶ ଆଦୃତ ହୋଇଛି। ଏହି ଜିଆ ଖତ ପାଇଁ ମାଟି ଗୋବର ବିଭିନ୍ନ ଗଛର ଶୁଖିଲା ଓ କଞ୍ଚା ପତ୍ର ଆଦି ସାହାଯ୍ୟ କରି ହୋଇଥିବାରୁ ଏହି ସବୁ ଉପାଦାନ ଜଙ୍ଗଲ ଅଧ୍ୟୁଷିତ ରୋହିଣୀଦୁମା ବାସୀଙ୍କୁ ଜିଆ ଖତ ପ୍ରସ୍ତୁତ ପାଇଁ ବେଶ ସହାୟକ ହୋଇଛି। ଗ୍ରାମର ୧୦୫ ପରିବାରକୁ ଜିଆ ଖତ ପ୍ରସ୍ତୁତ ପାଇଁ ବଡ ବଡ ପ୍ଲାଷ୍ଟିକ ଡୋଲି ଦିଆଯିବା ସହ ପ୍ରକଳ୍ପ ସଂଗଠନର ଲୋକମାନେ ସେମାନଙ୍କୁ ଜିଆ ଖତ ପ୍ରସ୍ତୁତ ସମ୍ବନ୍ଧୀୟ ତାଲିମ ମଧ୍ୟ ଦେଇଛନ୍ତି। ପାଟଣା ବନପାଳ ପିଅନ ନାଏକ ଓ ବନରକ୍ଷୀ ଦେବଜାନୀ ମହାନ୍ତ ଏହାର ମଝିରେ ମଝିରେ ତଦାରଖ କରୁଥିବାବେଳେ ପ୍ରସ୍ତୁତ ଶୁଖିଲା ଜିଆ ଖତ ଗୁଡିକ ବନବିଭାଗ କିଲୋ ପ୍ରତି ୨୦ ଟଙ୍କା ଦରରେ କିଣି ନେଉ ଥିବାରୁ ରୋହିଣୀଦୁମାର ବନ ସୁରକ୍ଷା ସମିତି କର୍ମକର୍ତ୍ତାଙ୍କ ସହ ଜିଆଖତ ଚାଷୀମାନେ ମଧ୍ୟ ବେଶ ଖୁସି ଅଛନ୍ତି।
Popular Categories



