ଫୁଲବାଣୀ: ଦେଶରେ ପ୍ରଥମ ଥର ପାଇଁ ସରକାରୀ ଡାକ୍ତରଖାନାରେ ଲାଗିଲା ଫିଡ଼ବ୍ୟାକ କିଓସ୍କ। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଡିଜିଟାଲ ଭାରତର ଏକ ଉଦାହରଣ କନ୍ଧମାଳ ଜିଲ୍ଲାରେ ଆଜି ଦେଖିବାକୁ ମିଳିଛି। ବାଲ ରକ୍ଷା ଭାରତର ସହାୟତାରେ ଏକ ନୂତନ ପଦକ୍ଷେପ ରୂପେ ଆଜି କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ “ଫିଡ଼ବ୍ୟାକ କିଓସ୍କ”ର ଉଦ୍ଘାଟନ ମୁଖ୍ୟ ଚିକତ୍ସା ଅଧିକାରୀ ଡ଼ା. ଅକ୍ଷୟ କୁମାର ସାହୁଙ୍କ ଦ୍ୱାରା କରାଯାଇଛି। ଏହି କିଓସ୍କ ଦ୍ୱାରା ଚିକିତ୍ସାଳୟରେ ସ୍ୱାସ୍ଥ୍ୟସେବା ପାଉଥିବା ରୋଗୀ ଓ ତାଙ୍କର ସହଯୋଗୀମାନେ ସ୍ୱତନ୍ତ୍ର ଓ ସହଜ ଭାବରେ ନିଜର ପ୍ରତିକ୍ରିୟା ଦେଇପାରିବେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଚିକିତ୍ସା ସେବାର ଗୁଣବତ୍ତା ଉପରେ ନିରନ୍ତର ଅନୁସରଣ ଓ ସୁଧାରକୁ ସୁନିଶ୍ଚିତ କରିବା।
ବାଲ ରକ୍ଷା ଭାରତର ଓଡିଶା ମୁଖ୍ୟ ଡ଼ଃ. ଅଭିଜିତ୍ ଭଦ୍ର କାର୍ଯ୍ୟକ୍ରମ ବିଷୟରେ ସଂକ୍ଷେପ ବିବରଣୀ ଦେଇଥିଲେ। ଏହି ଅବସରରେ ୧୦୦୦ ଦିନର ଗୁରୁତ୍ୱ” ବିଷୟରେ ଆଲୋଚନା ହୋଇଥିଲା। ହେଲଥ ଏଟିଏମ, ଡିଜିଟାଲ ଷ୍ଟେଥୋସ୍କୋପ, ବିପଦ ସଂକୁଳ ଗର୍ଭବତୀ ମହିଳାଙ୍କୁ ଗୃହ ପରିଦର୍ଶନ, ସ୍ୱାସ୍ଥ୍ୟ ପରୀକ୍ଷା ଓ ସ୍ୱାସ୍ଥ୍ୟ ପରାମର୍ଶ ଭଳି ସେବାଦ୍ବାରା ମାତୃ ଓ ଶିଶୁ ସ୍ୱାସ୍ଥ୍ୟକୁ କିପରି ସୁଦୃଢ଼ି କରଣ କରାଯାଇ ପାରିବ ତାହା ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମେଡିକାଲ କଲେଜ ଅଧ୍ୟକ୍ଷ ଡ଼ା. ନରେନ୍ଦ୍ର ବେହେରା, ଜାତୀୟ ସ୍ୱାସ୍ଥ୍ୟ ମିଶନର ଡିପିଏମ ଗୀତାଞ୍ଜଳି ଦାସ, ଡିପିଏଚଓ ଡ଼ଃ କଲ୍ୟାଣୀ ମିଶ୍ର, ଡ଼ଃ ପ୍ରସନ୍ନ ତ୍ରିପାଠୀ, ପି. ଓ ସରୋଜଲତା ଦେଇ, ସ୍ଵାତି ସଂଗଠନର ମୁଖ୍ୟ ଇଂ ହରିଶଙ୍କର ରାଉତ, ସମାଜ ସେବୀ ରମେଶ ଚନ୍ଦ୍ର ମହାନ୍ତି ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବାଲ ରକ୍ଷା ଭାରତର କାର୍ଯ୍ୟକାରୀ ବିଭାଗ ମୁଖ୍ୟ ପ୍ରଦୀପ ମିଶ୍ର ଦେଶରେ ପ୍ରଥମ ଥର ଭାବେ ସରକାରୀ ଡାକ୍ତରଖାନାରେ ଏହି ବ୍ୟବସ୍ଥା ଆରମ୍ଭ ହେବା ବିଷୟରେ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଆଶା, ଅଙ୍ଗନବାଡି କର୍ମୀ ଓ ଯୁବ ଚାମ୍ପିୟନମାନେ ନିଜ ଅଭିଜ୍ଞତା ବିଷୟରେ ଆଲୋଚନା କରିଥିଲେ। ବିଭିନ୍ନ ଅଂଶଗ୍ରହଣକାରୀଙ୍କୁ ଉଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା।



