ଆକ୍ରମଣ ମାମଲାର ଅଭିଯୁକ୍ତ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅଧିନସ୍ଥ ହଳଦିଆପଦର ଗ୍ରାମରେ ଗତ ଜାନୁୟାରୀ ୨୯ ତାରିଖରେ ଯୁବକକୁ ଧାରୁଆ ଅସ୍ତ୍ର ଓ ପଥରରେ ଆକ୍ରମଣ କରିବା ମାମଲାରେ ମଙ୍ଗଳବାର ଗୋଳନ୍ଥରା ଥାନା ପୋଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ହଳଦିଆପଦର ଗ୍ରାମର ବେଙ୍ଗ ଓରଫ ସୁମନ ଦାସ (୨୦) ବୋଲି ପୋଲିସ ସୂଚନା ଦେଇଛି। ସୂଚନା ଅନୁସାରେ ଏହି ଥାନା ଅଧିନସ୍ଥ ହଳଦିଆପଦର ଗ୍ରାମର ଆଶିଷ କୁମାର ପଣ୍ଡା କାମ ସାରି ମୋଟରସାଇକେଲ ଯୋଗେ ଗତ ୨୯ ତାରିଖ ସନ୍ଧ୍ୟାରେ ଗ୍ରାମକୁ ଫେରୁଥିବା ବେଳେ ରେଳ ଫାଟକ ନିକଟରେ ସେହି ଗ୍ରାମର ସୁମନ ଗାଡି ସମୁଖରେ ଛିଡା ହୋଇ ରହିଥିଲେ। ଆଶିଷକୁ ସୁମନ ଆଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରି ଟଣା ଓଟରା କରିଥିଲେ। ଏହି ସମୟରେ ସୁମନ ସମେତ ପାଞ୍ଚ ଜଣ ମିଶି ଆଶିଷକୁ ଧାରୁଆ ଅସ୍ତ୍ର ଓ ପଥରରେ ଆକ୍ରମଣ କରି ରକ୍ତାକ୍ତ କରି ସୁନା ମୁଦି, ଚେନ ଓ ୧୦ ହଜାର ଟଙ୍କା ଛଡେଇ ନେଇଥିବା ନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ତଦନ୍ତ ହୋଇଥିଲା। ଘଟଣା ପରଠାରୁ ସୁମନ ଓ ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିଲେ। ମଙ୍ଗଳବାର ଗ୍ରାମରେ ଅଭିଯୁକ୍ତ ବେଙ୍ଗ ଥିବା ଖବର ପାଇ ପୋଲିସ ଚଡ଼ାଉ କରି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
Comments are closed.