ମଣ୍ତି ସ୍ଥାନାନ୍ତର ବିରୋଧରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର

ଆଠଗଡ: ଆଠଗଡ ବ୍ଲକରେ ଚାଷୀଙ୍କ ଖରିଫ ଧାନ ମଣ୍ଡି ମାଧ୍ୟମରେ କ୍ରୟ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଆଠଗଡ ଓ ତିଗିରିଆର ୩୫ଟି ପ୍ରାଥମିକ କୃଷି ସେବା ସମବାୟ ସମିତି ମାଧ୍ୟମରେ ଗତ ୩ ତାରିଖରୁ ଏହି ମଣ୍ଡି ଆରମ୍ଭ ହେବା ଦିନଠାରୁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସମସ୍ୟା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି। ଆଠଗଡ ବ୍ଲକ ଅନ୍ତର୍ଗତ କୁମାରପୁର ପଞ୍ଚାୟତରେ ଚାଷୀମାନେ ଛଅଗାଁ ସେବା ସମବାୟ ସମିତି ଜରିଆରେ କୁମାରପୁର ଗ୍ରାମର ବଳିପୁର ମୌଜାର ଶନି ପଡିଆରେ ଦୀର୍ଘ ବର୍ଷ ଧରି ହେଉଥିବା ମଣ୍ତିରେ ଧାନ ବିକ୍ରୟ କରନ୍ତି। ମାତ୍ର ଚଳିତ ବର୍ଷ କିଛି ଲୋକ କୁମାରପୁର ଖେଳ ପଡିଆରେ ମଣ୍ତି କରିବା ପାଇଁ ଦରଖାସ୍ତ କରିଥିବା ଉକ୍ତ ଅଞ୍ଚଳର ଚାଷୀମାନେ ଅଭିଯୋଗ କରିଛନ୍ତି। ସଂପୃକ୍ତ ଖେଳ ପଡିଆଟି ହେଉଛି କୁମାରପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ଏବଂ ସେଠାରେ ସ୍କୁଲର ଛାତ୍ରଛାତ୍ରୀ ପ୍ରତିଦିନ ଖେଳାଖେଳି କରନ୍ତି। ଉକ୍ତ ବିଦ୍ୟାଳୟ ପଡିଆରେ ମଣ୍ତି ଖୋଲାଗଲେ ପିଲାମାନଙ୍କ ଖେଳରେ ବ୍ୟାଘାତ ସୃଷ୍ଟି ହେବା ସହ ଏହି ପଡିଆରେ ମଣ୍ଡି ହେଲେ ଗାଡିମଟର ବିଶେଷକରି ଧାନ ବୋଝେଇ ଟ୍ରକ ଓ ଟ୍ରାକ୍ଟର ଚଳାଚଳ କରିବ। ଫଳରେ କୋମଳମତି ବିଦ୍ୟାର୍ଥୀଙ୍କ ପାଇଁ ବିପଦ ହେବା ସଙ୍ଗେ ସଙ୍ଗେ ପଡିଆଟି ତାର ଅସ୍ତିତ୍ଵ ହରାଇବ ବୋଲି ଗ୍ରାମବାସୀ ମାନେ ଲିଖିତ ଅଭିଯୋଗ କରିଛନ୍ତି। ତାଛଡା ଗମନାଗମନ ଓ ଧାନ ପରିବହନ ପାଇଁ ଅଞ୍ଚଳର ଶହ ଶହ ଚାଷୀ ଅସୁବିଧାର ସମ୍ମୁଖୀନ ହେବେ। ଏସବୁକୁ ଦୃଷ୍ଟିରେ ରଖି ଧାନ ମଣ୍ଡି  ପୂର୍ବରୁ ଚାଲି ଆସିଥିବା ସ୍ଥାନରେ ଅପରିବର୍ତ୍ତିତ କରି ରଖିବା ପାଇଁ ଚାଷୀ ମାନେ ଦାବି କରିଛନ୍ତି। କୁମାରପୁର ଅଞ୍ଚଳର ୫୦ରୁ ଉର୍ଦ୍ଧ୍ବ ଚାଷୀ ମଙ୍ଗଳବାର  ଆଠଗଡ ଆସି ଏ ସମ୍ପର୍କିତ ଏକ ଦାବିପତ୍ର ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମାଙ୍କୁ ପ୍ରଦାନ କରି ଚାଷୀଙ୍କ ସ୍ଵାର୍ଥ ଓ ସୁବିଧାକୁ ଦୃଷ୍ଟିରେ ରଖି ମଣ୍ଡି ସ୍ଥାନାନ୍ତର ନକରିବାକୁ ନିବେଦନ କରିଛନ୍ତି।

Comments are closed.