ଆଠଗଡ: ଓଡିଶାର ସ୍ଵାର୍ଥ ରକ୍ଷା କରି ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ କେବଳ ବିଜୁ ଜନତା ସକ୍ଷମ। ୨୪ ବର୍ଷ ଶାସନ କାଳରେ ରାଜ୍ୟରେ ଯେଉଁ ବିକାଶଧାରା ଗତିଶୀଳ ହୋଇଥିଲା ତାହା ଏବେ ବିଜେପି ସରକାର ଦ୍ୱାରା ଗତିରୋଧ ହୋଇଛି। ଦେଶର ସମ୍ବିଧାନ, ଗଣତନ୍ତ୍ର ଓ ନ୍ୟାୟିକ ବ୍ୟବସ୍ଥା ଏବେ ସଂକଟ ମଧ୍ୟ ଦେଇ ଗତି କରୁଛି ବୋଲି ଆଠଗଡରେ ବିଜେଡିର ୨୮ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଦଳର କଟକ ଜିଲ୍ଲା ସଭାପତି ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଓ ପୂର୍ବତନ ମନ୍ତ୍ରୀ ତଥା ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ମତବ୍ୟକ୍ତ କରିଥିଲେ। ଏକ ସମତାଭିତ୍ତିକ ସମାଜ ଗଠନର ବିଚାରଧାରା ବିଜେଡିର ମୂଳମନ୍ତ୍ର ହୋଇଥିବା ବେଳେ ମୌଳବାଦୀ ଚିନ୍ତାଧାରା ଓ ବିଚାରଧାରା ରଖିଥିବା ଭାରତୀୟ ଜନତା ପାର୍ଟି ଦେଶରେ ବିଦ୍ବେଷଭାବ ସୃଷ୍ଟି କରି ବିଭାଜନ କରିବାକୁ ଉଦ୍ୟମ କରୁଛି ବୋଲି ଦୁଇ ବରିଷ୍ଠ ବିଜେଡି ନେତା ଅଭିଯୋଗ କରିଥିଲେ। ଆଠଗଡର ଜନସାଧାରଣ ତାଙ୍କୁ ଲଗାତାର ୮ମ ଥର ପାଇଁ ନିର୍ବାଚିତ କରିଥିବାରୁ ଶ୍ରୀ ଗଭୀର କୃତଜ୍ଞତା ଜଣାଇବା ସହ ଆଠଗଡବାସୀଙ୍କ ସ୍ଵାର୍ଥ ରକ୍ଷା ଓ ବିକାଶାଧାରାକୁ ଆଗେଇନେବା ଲାଗି ଲଢାଇ ଜାରି ରହିବ ବୋଲି କହିଥିଲେ। ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତଙ୍କ ପୌରୋହିତ୍ୟରେ ମହିଳା କଲେଜ ନିକଟ ମିନି ଷ୍ଟାଡିୟମଠାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ଅତିଥିମାନେ ଦଳୀୟ ପତାକା ଉତ୍ତୋଳନ କରିବା ସହ ପ୍ରଦୀପ ପ୍ରଜ୍ବଳନ କରି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ପ୍ରାରମ୍ଭରେ ବିଧାୟକ ଶ୍ରୀ ସ୍ୱାଇଁ ଓ ସାଂସଦ ଶ୍ରୀ ସାମନ୍ତରାୟ ନିକଟସ୍ଥ ପୂଜ୍ଯପୂଜା ପୀଠରେ ସ୍ଵର୍ଗତ ଵିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ରାଜନୈତିକ, ସାଙ୍ଗଠନିକ, ସାମାଜିକ ନ୍ୟାୟ, ସମ୍ବିଧାନ ସୁରକ୍ଷା ଆଦି ୯ଟି ପ୍ରସ୍ତାବ ଗୃହିତ ହୋଇଥିଲା।
ସୂଚନାଯୋଗ୍ୟ ଯେ ସାଧାରଣ ନିର୍ବାଚନରେ ବିଜୟ ଲାଭ ପରେ ଅସୁସ୍ଥତା କାରଣରୁ ଵିଧାୟକ ଶ୍ରୀ ସ୍ଵାଇଁ ନିର୍ବାଚନ ମଣ୍ଡଳୀକୁ ବିଗତ ୬ମାସ ଧରି ଆସି ପାରିନଥିଲେ। ଏହି କାରଣରୁ ତାଙ୍କୁ ମୁଣ୍ଡଳି ସେତୁ ନିକଟରୁ ଶହ ଶହ କର୍ମୀ ଓ ସମର୍ଥକ ଏକ ବିଶାଳ ଶୋଭାଯାତ୍ରାରେ ପାଛୋଟି ଆଣି ସହର ପରିକ୍ରମା କରାଯାଇ ସଭାସ୍ଥଳକୁ ଆସିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ତିଗିରିଆ ବ୍ଲକ ବିଜେଡି ସଭାପତି ଅଜିତ ଧୀର, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁନୀଲ ପରିଡା, ଜିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ବାଘ, ସଂଜୟ ମଲ୍ଲିକ, ମିନତୀ ଗାଗରାଇ, ସସ୍ମିତା ରାଉତ, ଏନ୍ଏସି ଅଧ୍ୟକ୍ଷା ସସ୍ମିତା ରାଉତ, ଉପାଧ୍ୟକ୍ଷ ବି ଶୁଭ୍ରଶଙ୍କର ଜ୍ୟୋତି, ଆଠଗଡ ବ୍ଲକ ଉପାଧ୍ୟକ୍ଷ ସୁବାସ ମଲ୍ଲିକ, ତିଗିରିଆ ବ୍ଲକ ଉପାଧ୍ୟକ୍ଷ ମାନସ ସାହୁ ଓ ଆଠଗଡ ନଗର ବିଜେଡି ସଭାପତି ଶିଶିର ପ୍ରସାଦ ମାନସିଂହ ପ୍ରମୁଖ ଯୋଗଦାନ କରି ଉଦବୋଧନ ଦେଇଥିଲେ।



