ସମ୍ବଲପୁର: ସମ୍ବଲପୁର ପୁଲିସ ପକ୍ଷରୁ ଚାଲିଥିବା ନିଶା ଓ ସଟ୍ଟା ବିରୋଧି ଅଭିଯାନରେ ମଙ୍ଗଳାବାର ୭ ଜଣଙ୍କୁ ଗିରଫ କରିଛି। ସଦର ଏସଡିପିଓ ତୁଫାନ ବାଗଙ୍କ ସୂଚନାନୁଯାୟୀ, ଚାଲିଥିବା ଅଭିଯାନ କ୍ରମରେ ସଦର ଏସଡିପିଓ ଅଞ୍ଚଳର ବିଭିନ୍ନ ଥାନା ଅଞ୍ଚଳରୁ ବେଆଇନ ନିଶା କାରବାର ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସଟ୍ଟା କାରବାର ପାଇଁ ୩ ଜଣଙ୍କୁ ଗିରଫ କରାଯାଇଛି। ଟାଉନ ଥାନାରୁ ମାତ୍ର ୧୦୦ ମିଟର ଦୂର ଲକ୍ଷ୍ମୀ ଟକିଜ ଛକ ଅଞ୍ଚଳରେ ଚଢ଼ଉ ସମୟରେ ମୁଦିପଡ଼ା ଅମ୍ବେଦକର ନଗର ନିବାସୀ ସାଗର କୁମ୍ଭାର (୨୯) ନାମକ ଯୁବକଙ୍କୁ ଧରି ତା ନିକଟରୁ ୩୦ଟି ନିଶା କଫ ସିରପ, ୧୦ ଲିଟର ଦେଶୀ ମଦ, ୧୦ଟି ଷ୍ଟ୍ରିପ ନିଶା ବଟିକା ଓ ୧ ଲିଟର ଅପମିଶ୍ରିତ ନିଶା ଦ୍ରବ୍ୟ ଜବତ କରିଛି। ଏ ନେଇ ଏକ ମାମଲା ରୁଜୁ କରି ଯୁବକଙ୍କୁ ଗିରଫ କରାଯାଇ ଅଦାଲତକୁ ଚାଲାଣ କରାଯାଇଛି। ସେହିଭଳି ରେଙ୍ଗାଲି ଅଞ୍ଚଳର ପଣ୍ଡଲୋଚ ଅଞ୍ଚଳରେ ଚଢ଼ଉ ସମୟରେ ପଣ୍ଡଲୋଇ ନିବାସୀ ଅମନ ମରେଇ (୨୧) ଓ ବଣ୍ଟି ପାଉଲେ (୨୪) ନାମକ ୨ ଜଣ ଯୁବକଙ୍କୁ ଧରାଯାଇ ସେମାନଙ୍କ ନିକଟରୁ ୧ ଲିଟର ଅପମିଶ୍ରିତ ନିଶା ଦ୍ରବ୍ୟ, ୧୯ଟି ନିଶା କଫ ସିରପ, ଗୋଟିଏ ଷ୍ଟ୍ରିପ ନିଶା ବଟିକା, ୫ ଲିଟର ଦେଶୀ ମଦ ଓ ଗୋଟିଏ ମୋଟର ସାଇକେଲ ଜବତ କରାଯାଇଛି। ଅନ୍ୟ ଏକ ଘଟଣାର ରେଙ୍ଗାଲି ଥାନା ଅନ୍ତର୍ଗତ ରାମଚନ୍ଦ୍ର ନଗର ଛକ ଠାରେ ଚଢ଼ଉ ସମୟରେ ପଣ୍ଡଲୋଇ ନିବାସୀ ମନୋରଞ୍ଜନ ପାତ୍ର (୨୫) ନାମକ ଯୁବକଙ୍କୁ ଗିରଫ କରାଯାଇ ତା ନିକଟରୁ ୧୩ଟି ନିଶା କଫ ସିରପ, ଗୋଟିଏ ଲିଟର ଅପମିଶ୍ରିତ ନିଶା ଦ୍ରବ୍ୟ, ଗୋଟିଏ ଷ୍ଟ୍ରିପ ନିଶା ବଟିକା, ୫ ଲିଟର ଦେଶୀ ମଦ ଓ ଗୋଟିଏ ମୋଟର ସାଇକେଲ ଜବତ କରାଯାଇଛି। ଏଣୁ ରେଙ୍ଗାଲି ଥାନାରେ ୨ଟି ପୃଥକ ପୃଥକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତ ମାନଙ୍କୁ ଅଦାଲତକୁ ଚାଲାଣ କରାଯାଇଛି।
ଏସଡିପିଓ ଶ୍ରୀ ବାଗ ଆହୁରୀ କହିଛନ୍ତି ଯେ, ସେହିଭଳି ସଟ୍ଟା ବିରୋଧି ଅଭିଯାନ କ୍ରମରେ ଟାଉନ ଥାନା ସମ୍ମୁଖରେ ଥିବା ପରଠା ଗଳିରେ ଚଢ଼ଉ ସମୟରେ ସାହିଲ ଅଲ୍ଲୀ ନାମକ ମୋତିଝରନ ନିବାସୀ ଯୁବକଙ୍କୁ ଗିରଫ କରି ତା ନିକଟରୁ ସଟ୍ଟା ଚାର୍ଟ କାଗଜ, ନଗଦ ୫୦ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଯୁବକ ଜଣକ ଆଭାଷୀ ମାଧ୍ୟମରେ ଟଙ୍କା ନେଣଦେଣ କରୁଥିବାର ତଦନ୍ତ ସମୟରେ ଜଣାପଡ଼ିବାରୁ ତାର ମୋବାଇଲକୁ ମଧ୍ୟ ଜବତ କରାଯାଇ ଯାଞ୍ଚ କରାଯାଉଛି। ଏ ନେଇ ଏକ ମାମଲା ରୁଜୁ କରି ଟାଉନ ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରି ଅଦାଲତକୁ ଚାଲାଣ କରିଛି। ସେହିଭଳି ଧନୁପାଲି ଥାନା ଅନ୍ତର୍ଗତ କୁମ୍ଭାରପଡ଼ା ଠାରେ ବେଆଇନ ସଟ୍ଟା ଖେଳାଉଥିବା ବେଳେ ଜଣେ ବରିଷ୍ଠ ନାଗରିକ ମହେଶ୍ୱର ମେହେର (୭୮) ଙ୍କୁ ଗିରଫ କରିଛି। ଚଢ଼ଉ ସମୟରେ ଅଭିଯୁକ୍ତ ବରିଷ୍ଠ ନାଗରିକଙ୍କ ନିକଟରୁ ସଟ୍ଟା କାଗଜ, ୨ଟି କଲମ, ଗୋଟିଏ କାର୍ବନ, ନଗଦ ୬ ହଜାର ୧ ଶହ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଧନୁପାଲି ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରିଛି। ଅନ୍ୟ ଏକ ଘଟଣାରେ ବରେଇପାଲି ପୁଲିସ ସଟ୍ଟା ଖେଳ ଚାଲୁଥିବାର ଖବର ପାଇ ରେମେଡ ଛକ ଅଞ୍ଚଳରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ରେମେଡ ନିବାସୀ ତୀର୍ଥବାସୀ ବେହେରା (୫୮) ଙ୍କୁ ଧରି ତା ନିକଟରୁ ସଟ୍ଟା କାଗଜ, ନଗଦ ୮୨୦ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଏ ନେଇ ଏକ ମାମଲା ରୁଜୁ କରି ବରେଇପାଲି ଥାନା ପୁଲିସ ଅଭିଯୁକ୍ତକୁ ଅଦାଲତକୁ ଚାଲାଣ କରିଛି। ଆଜି ସଟ୍ଟା ମାମଲା ଗୁଡିକରେ ୩ ଜଣଙ୍କୁ ଗିରଫ କରାଯାଇ ସମୁଦାୟ ୬ ହଜାର ୯୭୦ ଟଙ୍କା ଜବତ କରାଯାଇଥିବା ବେଳେ ନିଶା ମାମଲା ଗୁଡିରେ ୪ ଜଣଙ୍କୁ ଗିରଫ କରାଯାଇ ସମୁଦାୟ ୫୨ଟି ନିଶା କଫ ସିରପ, ୩ ଲିଟର ଅପମିଶ୍ରିତ ନିଶା ଦ୍ରବ୍ୟ, ୧୩ ଷ୍ଟ୍ରିପ ନିଶା ବଟିକା, ୨ଟି ମୋଟର ସାଇକେଲ, ୨୦ ଲିଟର ଦେଶୀ ମଦ ଜବତ କରାଯାଇଛି ବୋଲି ଏସଡିପିଓ ଶ୍ରୀ ବାଗ କହିଛନ୍ତି।



