ଜିଲାସ୍ତରୀୟ ବିକାଶ ମେଳା ଉଦ୍‌‌ଘାଟିତ

ଫୁଲବାଣୀ: ଫୁଲବାଣୀ ସ୍ଥିତ କରୋନେସନ ପଡ଼ିଆରେ ଅନୁଷ୍ଠିତ ଓଡ଼ିଶା ସରକାରଙ୍କର ୧୦୦ ଦିନ ପୂର୍ତ୍ତି ଉପଲକ୍ଷେ ପ୍ରଗତିର ନୂତନ ସୂର୍ଯ୍ୟୋଦୟ କାର୍ଯ୍ୟକ୍ରମ, ଜିଲା ସ୍ତରୀୟ ବିକାଶ ମେଳା ପ୍ରଦର୍ଶନୀକୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ଗୋକୁଳାନନ୍ଦ ମଲ୍ଲିକ ଆଜି ଉଦ୍‌‌ଘାଟନ କରିଛନ୍ତି। ମୁଖ୍ୟ ଅତିଥିଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଲେ ତାଙ୍କ ସରକାର ମାତ୍ର ୧୦୦ ଦିନରେ ଓଡ଼ିଆ ଭାଷା ସଂସ୍କୃତି, ଓ ଐତିହ୍ୟକୁ ସମ୍ମାନ ଦେବା ସହିତ ୨ଶହ କୋଟିର ପାଣ୍ଠି ବ୍ୟବସ୍ଥା କରିଛନ୍ତି କାରଣ ଓଡ଼ିଆ ଅସ୍ମିତା ତାଙ୍କ ସରକାରର ପରିଚୟ। କୃଷିର ବିକାଶରେ ରାଜ୍ୟ ତଥା ଦେଶର ବିକାଶ। ସେଥିପାଇଁ ପ୍ରତି ଉପଖଣ୍ଡରେ ନିର୍ମାଣ ହେବ ଶୀତଳ ଭଣ୍ଡାର ଏବଂ ପ୍ରତି ବ୍ଲକରେ ପ୍ରତିଷ୍ଠା ହେବ କୃଷି ସମୃଦ୍ଧି କେନ୍ଦ୍ର। ପ୍ରାଥମିକ ଶିକ୍ଷାର ଗୁଣାତ୍ମକତା ବୃଦ୍ଧିକରିବା ଉଦ୍ଦେଶ୍ୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା କରିଛନ୍ତି ଫଳରେ ଗ୍ରାମାଞ୍ଝଳର ଛାତ୍ରଛାତ୍ରୀମାନେ ଉପକୃତ ହେବେ। ସୁଭଦ୍ରା ଯୋଜନାରେ ବିକଶିତ ଓଡ଼ିଶାର ସାରଥୀ ହେବେ ମହିଳାମାନେ। ଶିକ୍ଷାର ମାନ ବୃଦ୍ଧି କରିବ ପିଏମ୍‌‌-ଶ୍ରୀ ଯୋଜନା ଏବଂ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ସୂଚନା-ପ୍ରଯୁକ୍ତିବିଦ୍ୟା ପାଠ୍ୟକ୍ରମର ପ୍ରଚଳନ ହେବ। ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଯୋଗାଇବ ନଗଦବିହୀନ ସ୍ୱାସ୍ଥ୍ୟ ସେବା। ଶିଶୁ ଚିକିତ୍ସାକୁ ଅଗ୍ରାଧିକାର ଦିଆଯିବ। ଡ୍ରପ୍‌‌ ଆଉଟ୍‌‌ ହାର ରାକିବା ଲକ୍ଷ୍ୟରେ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ପ୍ରାଥମିକତା ଦିଆଯିବ। ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳିବ। ତାଙ୍କ ଡବଲ୍‌‌ ଇଞ୍ଜିନ ସରକାର ଦଳଗତ ନିର୍ବିିଶେଷରେ ଲୋକମାନଙ୍କ ପାଇଁ କାମକରିବ ବୋଲି ଶ୍ରୀ ମଲ୍ଲିକ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଫୁଲବାଣୀ ବିଧାୟକ ଉମାଚରଣ ମଲିକ ପ୍ରମୁଖ ଅତିଥିଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ୧୦୦ ଦିନର ସଫଳତା ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥିଭାବେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ସୁଭେନ୍ଦୁ ପାତ୍ର ଯୋଗଦେଇ ଉଦ୍‌‌ବୋଧନ ଦେଇଥିେଲେ। କନ୍ଧମାଳ ଜିଲାପାଳ ଅମ୍ରିତ୍‌‌ ଋତୁରାଜ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ରତ୍ନାକର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା, ମତ୍ସ୍ୟ ସମ୍ପଦ ଯୋଜନା, ସୁଭଦ୍ରା ଯୋଜନାର ହିତାଧିକାରୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସହାୟତା ରାଶି ପ୍ରଦାନ କରାଯାଇଥିଲା। ସେହିପରି ମୁଖ୍ୟ ଅତିଥିଙ୍କ ଦ୍ୱାରା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ବାଲିଗୁଡ଼ା ଦ୍ୱାରା ବାଲିଗୁଡ଼ାର ୨୦ଜଣ ଯୁବ ଉଦ୍ୟୋଗୀମାନଙ୍କୁ ୧ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ଏବଂ ବନ୍ଧନ ବିକାଶ କାର୍ଯ୍ୟକ୍ରମରେ ପ୍ରଗତି ବନ୍ଧନ ବିକାଶ କେନ୍ଦ୍ରକୁ ସମ୍ବର୍ଦ୍ଧନା କରାଯାଇଥିଲା। କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ମାନେ ଯୋଗଦେଇଥିଲେ। ସଭା ପରେ ପରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମରେ ଜିଲା ପ୍ରଶାସନର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.