୮୦ କିଗ୍ରା ଗଞ୍ଜେଇ ସମେତ କାର ଜବତ, ୩ ଗିରଫ

ସମ୍ବଲପୁର: ସମ୍ବଲପୁର ଜିଲା ଦେଇ ନିୟମିତ ଅବୈଧ୍ୟ ଗଞ୍ଜେଇ ଚାଲାଣ ହେଉଥିବାରୁ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚେକିଂ ସମୟରେ ଗଞ୍ଜେଇ ଚୋରା ଚାଲାଣକାରୀ ମାନେ ଧରାପଡୁଛନ୍ତି। ମଙ୍ଗଳବାର ସକାଳ ସମୟରେ ଅବକାରୀ ବିଭାଗର ଇଆଇଇବି ୟୁନିଟି ପକ୍ଷରୁ ବିଜୁ ଏକ୍ସପ୍ରେସ ୱେର ଶାସନ ଚେକ ଗେଟ ନିକଟରେ ଚେକିଂ ସମୟରେ ଏକ ସନ୍ଦିଗ୍ଧ କାରକୁ ଅଟକା ଯାଇଥିଲା। ଚେକିଂ ସମୟରେ ଉକ୍ତ ଗାଡିରେ ଲୁଚାଇ ଚାଲାଣ କରାଯାଉଥିବା ୮୦ କିଗ୍ରା ଗଞ୍ଜେଇ ଜବତ ହୋଇଥିଲା। ଏଣୁ ଗାଡିରେ ଯାତ୍ରା କରୁଥିବା ୩ ଚାଲାଣକାରୀ ରାଜସ୍ଥାନ ରାଜ୍ୟର ଜୟପୁର ଜିଲା ନିବାସୀ ଧର୍ମେନ୍ଦ୍ର ସିସୋଦିଆ (୪୨), ରାଜସ୍ଥାନ ଅଲୱର ଜିଲା ନିବାସୀ ସୁମିତ କୁମାର (୩୦) ଏବଂ ଦିଲ୍ଲୀ ନିବାସୀ ନିରଜ ସିଂ (୨୭)ଙ୍କୁ ଗିରଫ କରାଯାଇଛି। ଜବତ ହୋଇଥିବା ଗଞ୍ଜେଇ, ଗାଡି ଓ ଅନ୍ୟାନ୍ୟ ସାମଗ୍ରୀ ଗୁଡିକର ଆନୁମାନିକ ମୂଲ୍ୟ ୧୩ ଲକ୍ଷ ଟଙ୍କା ହେବ। ଅଭିଯୁକ୍ତ ମାନେ ଉମରକୋଟ (ନବରଙ୍ଗପୁର) ଅଞ୍ଚଳରୁ ଦିଲ୍ଲୀକୁ ଏହି ଗଞ୍ଜେଇ ଚାଲାଣ କରୁଥିଲେ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.