ବୌଦ୍ଧ: ଜୁଲାଇ ମାସ ସରିବାକୁ ବସିଥିବା ବେଳେ ରାଜ୍ୟରେ ମୌସୁମୀ ସକ୍ରିୟ ହେବା ସହିତ ବର୍ଷାର ପ୍ରକୋପ ବୃଦ୍ଧି ହୋଇଛି। ପ୍ରତିବର୍ଷ ଜୁଲାଇ ଠାରୁ ସେପ୍ଟେମ୍ବର ମାସ ଶେଷ ହେବା ପର୍ଯ୍ୟନ୍ତ ବୌଦ୍ଧ ଜିଲାରେ ବର୍ଷା ବିତ୍ପାତ ଘଟିବା ସହିତ ମହାନଦୀ ଓ ତେଲନଦୀରେ ବନ୍ୟା ପରିସ୍ଥିତି ଲାଗି ରହିଥାଏ। ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ବନ୍ୟା ଆଶଙ୍କା ରହିଥିବା ବେଳେ ନଦୀକୂଳରେ ରହୁଥିବା ପରିବାରମାନେ ଆତଙ୍କିତ ଅବସ୍ଥାରେ ରହିଥାନ୍ତି। ଜିଲାରେ ମହାନଦୀ ଓ ତେଲନଦୀ ଦୁଇଟି ଚିରସ୍ରୋତା ନଦୀ ପ୍ରବାହିତ ହେଉଥିବା ବେଳେ ବାଘ ଓ ସାଲୁଙ୍ଖି ଭଳି ଛୋଟ ନଦୀ ବନ୍ୟା ବିଭୀଷିକା ସୃଷ୍ଟି କରିବାରେ ମୁଖ୍ୟ କାରଣ ହୋଇଥାଏ। ୧୯୮୨ର ପ୍ରଳୟଙ୍କାରୀ ବନ୍ୟାରେ ସାଲୁଙ୍ଖି ନଦୀରେ ଭୀଷଣ ବନ୍ୟାଜଳ ବୌଦ୍ଧଜିଲାରେ ବିଭୀଷିକା ସୃଷ୍ଟି କରିଥିଲା। ସେହିପରି ୨୦୦୦ ମସିହା ପରଠାରୁ ପ୍ରତିବର୍ଷ ତେଲନଦୀର ବନ୍ୟାଜଳ ତଳମୁଣ୍ଡକୁ ବିପଦ ସୃଷ୍ଟି କରିଆସିଛି। ତେଲନଦୀ କଳାହାଣ୍ଡି ଜିଲାରୁ ଜିଲାର କଣ୍ଟାମାଳ ବ୍ଲକ ଦେଇ ମନମୁଣ୍ଡା ଠାରେ ମହାନଦୀରେ ମିଶିଥିବାବେଳେ କନ୍ଧମାଳ ଜିଲାରୁ ବାହାରିଥିବା ସାଲୁଙ୍ଖି ନଦୀ ବୌଦ୍ଧ ସହରର ଉପରମୁଣ୍ଡରେ ବଲାଶିଙ୍ଗା ଗ୍ରାମ ନିକଟରେ ମହାନଦୀ ସହ ସମ୍ମିଳିତ ହୋଇଛି । ୧୯୮୨ ବନ୍ୟା ପରଠାରୁ ବୌଦ୍ଧ ଜିଲ୍ଲାରେ ମହାନଦୀ ଶଯ୍ୟାରେ ପ୍ରବଳ ବାଲି ପୋତି ହୋଇଯିବା ଯୋଗୁଁ ଏହା ମଧ୍ୟ ବନ୍ୟାର ପ୍ରମୁଖ କାରଣ ପାଲଟିଥାଏ। ତେବେ ପ୍ରତିବର୍ଷ ବନ୍ୟାରେ ନଦୀ କୂଳ ଖାଇ ଚାଲିଥିବା ବେଳେ ଅନେକ ସ୍ଥାନରେ ମହାନଦୀ ଶଯ୍ୟାରେ ବାଲି ପୋତି ହୋଇଯିବା ଯୋଗୁଁ ମୌସୁମୀ ପୂର୍ବରୁହିଁ ବନ୍ୟା ଆଶଙ୍କାରେ ନଦୀକୂଳିଆ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଥାନ୍ତି। ତେଲନଦୀ ମୁହାଁଣରେ ସୁବର୍ଣ୍ଣପୁର ସହରର ସୁରକ୍ଷା ପାଇଁ ନଦୀକୂଳରେ ପଥରପେଚିଂ ଓ ନଦୀବନ୍ଧ ରାସ୍ତା ତିଆରି ହେବାପରେ ଏହା ମନମୁଣ୍ଡାବାସୀଙ୍କ ପାଇଁ ବିପଦର କାରଣ ପାଲଟିଲାଣି। ମନମୁଣ୍ଡା ପଟେ ମଧ୍ୟ ତେଲନଦୀ କୂଳରେ ପଥର ପେଚିଂ ସହ ନଦୀ କୂଳର ଉପଯୁକ୍ତ ସୁରକ୍ଷା ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଅଛି। ସେହିପରି ବୌଦ୍ଧଜିଲାରେ ମନମୁଣ୍ଡା ଠାରୁ ହରଭଙ୍ଗା ବ୍ଲକର ମାରଡା ପର୍ଯ୍ୟନ୍ତ ପ୍ରାୟ ୧୨୦ କିମି ମହାନଦୀ କୂଳେ କୂଳେ ୨୦ ହଜାରରୁ ଅଧିକ ପରିବାର ନଦୀକୂଳରେ ଘର କରି ରହୁଥିବା ବେଳେ ଅନେକ ସ୍ଥାନରେ ବନ୍ୟା ପାଣି ପଶି ପ୍ରତିବର୍ଷ କ୍ଷୟକ୍ଷତି କରୁଅଛି। ନଦୀ କୂଳର ସୁରକ୍ଷା ଲାଗି ପଥର ପ୍ୟାଚିଂ ସହିତ ବୃକ୍ଷ ରୋପଣ ପାଇଁ ପ୍ରତିବର୍ଷ ଯୋଜନା ହୋଇ କେବଳ କାଗଜ କଲମରେ ରହିଯାଉଛି। ସରକାର ନଦୀକୂଳର ସୁରକ୍ଷା ସହିତ ପରିବେଶର ସୁରକ୍ଷା ପାଇଁ ସବୁଜ ମହାନଦୀ ଯୋଜନା ଆରମ୍ଭ କରିଥିଲେ। କିନ୍ତୁ ଜିଲାରେ ଏହି ଯୋଜନା ହଜିଗଲାଣି। ନଦୀକୂଳର ସୁରକ୍ଷା ପାଇଁ ବୌଦ୍ଧଜିଲାରେ ମହାନଦୀ କୂଳେ କୂଳେ ଆଡିବନ୍ଧ ରାସ୍ତା ନିର୍ମାଣ କରାଗଲେ ବନ୍ୟାର ସ୍ଥାୟୀ ପ୍ରତିକାର ସହିତ ଗମନା ଗମନ କ୍ଷେତ୍ରରେ ବିକାଶ ହୋଇପାରନ୍ତା। ଏହାବ୍ୟତୀତ ବୌଦ୍ଧଠାରେ ମହାନଦୀ ଗର୍ଭରେ ରହିଥିବା ଦ୍ୱୀପଗ୍ରାମ ମର୍ଜାକୁଦର ଚାରିପଟେ ଏକ ଆଡିବନ୍ଧ ରାସ୍ତା ନିର୍ମାଣ କରାଗଲେ ଏହା ନଦୀକୂଳର ସୁରକ୍ଷା ସହିତ ପର୍ଯ୍ୟଟନର ବିକାଶରେ ମଧ୍ୟ ସହାୟକ ହୋଇପାରିବ ବୋଲି ମତପ୍ରକାଶ ପାଉଅଛି।
Popular Categories



