କେନ୍ଦୁଝରଗଡ଼: ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାର ସୀମାବର୍ତ୍ତୀ ବାଂଶପାଳ ଓ ସୁନ୍ଦରଗଡ ଜିଲାର ବଣାଇଁ ବ୍ଲକକୁ ସଂଯୋଗ କରୁଥିବା କୁଶକଳା-ସିଙ୍ଗପୁର-ବଣାଇଁ ସୀମାନ୍ତ ୧୪.୭୬୯ କି.ମି. ରାସ୍ତାର ଉନ୍ନତିକରଣ ନିମନ୍ତେ ରାସ୍ତା ଓ କୋଠାବାଡି ବିଭାଜନ କେନ୍ଦୁଝର ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇ ଠିକାଦାରଙ୍କ ସହ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷର ହୋଇ କାର୍ଯ୍ୟାରମ୍ଭ ହୋଇଥିଲା। ୧୪.୬୮କୋଟି ଟଙ୍କା ବ୍ୟୟରେ ନିର୍ମିିତ ହେବାକୁ ଥିବା ଏହି ରାସ୍ତାର ଉନ୍ନତିକରଣ ନିମନ୍ତେ ଭଞ୍ଜଦେଓ କନଷ୍ଟ୍ରକ୍ସନ ଠିକାଦାର ସଂସ୍ଥା ସହ ଚୁକ୍ତିନାମା ସ୍ୱାକ୍ଷର ହୋଇ ୧୯ ଜୁଲାଇ ୨୦୨୩ ସୁଦ୍ଧା ପ୍ରକଳ୍ପ ଶେଷ ହେବା କଥା। ତେବେ ଇତିମଧ୍ୟରେ ସମ୍ପୃକ୍ତ ଠିକା ସଂସ୍ଥା ମାଲିକଙ୍କ ଅକାଳ ବିୟୋଗ ପରେ ୨.୫କି.ମି. ରାସ୍ତାର ନିର୍ମାଣ କାର୍ଯ୍ୟ ବାକି ପଡିଥିବା ବେଳେ ଏବେ ଉକ୍ତ ଅସମ୍ପୂର୍ଣ୍ଣ ରାସ୍ତା ସମ୍ପୂର୍ଣ୍ଣ ହେବାନେଇ ଆଶଙ୍କା ଦେଖାଦେଇଛି। ତେବେ ସବୁଠାରୁ ବଡକଥା, ଉକ୍ତ ରାସ୍ତାରେ ନିର୍ମାଣ ଚାଲିଥିବା ୩ଟି ସେତୁ ଚୁକ୍ତି ସ୍ୱାକ୍ଷର ଅନୁଯାୟୀ ଧାର୍ଯ୍ୟ ସମୟ ଠାରୁ ୪ବର୍ଷ ଅବଧି ଶେଷପରେ ମଧ୍ୟ ଅସମ୍ପୂର୍ଣ୍ଣ ହୋଇ ପଡିରହିବା କେନ୍ଦୁଝର ଓ ସୁନ୍ଦରଗଡ ଜିଲାକୁ ସଂଯୋଗ କରୁଥିବା ଏହି ରାସ୍ତାର କାର୍ଯ୍ୟକାରିତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜ୍ୟ ଯୋଜନାରୁ ବ୍ୟୟବରାଦ ହୋଇ ୮.୬୭କୋଟି ଟଙ୍କା ବ୍ୟୟରେ ନଗିତାଇନାଳ ସେତୁ ଏବଂ ରାଜ୍ୟ ଭିତ୍ତିଭୂମି ଉନ୍ନତିକରଣ ପାଣ୍ଠିରୁ ୭.୬୧କୋଟି ଟଙ୍କା ବ୍ୟୟରେ ଧୋବାକାଚିଣିନାଳ ସେତୁ ନିର୍ମାଣ ନିମନ୍ତେ ପୁରୀ ଜିଲା କାକଟପୁର ପାଟସୁନ୍ଦରପୁରର ମେସର୍ସ କେବିଏମ୍ କନଷ୍ଟ୍ରକ୍ସନ ନାମକ ଠିକାଦାରୀ ସଂସ୍ଥା ସହ ୩୧ ଡିସେମ୍ବର ୨୦୧୮ରେ ଚୁକ୍ତି ସ୍ୱାକ୍ଷର ହୋଇ ୩୦ ଡିସେମ୍ବର ୨୦୨୦ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହୋଇ ଯାତାୟାତ ଯୋଗ୍ୟ ହେବାକଥା। ଚୁକ୍ତିନାମା ସ୍ୱାକ୍ଷର ଅନୁଯାୟୀ ୪ବର୍ଷ ବିତିବାକୁ ବସିଥିବା ବେଳେ ନଗିତାଇନାଳ ସେତୁ ଢ଼ଳାଇ କାର୍ଯ୍ୟ ନିକଟରେ ଶେଷ ହୋଇଥିବା ବେଳେ ଆପ୍ରୋଚ୍ ରାସ୍ତା ସହ ସେତୁର ରେଲିଂ କାର୍ଯ୍ୟ ଅଦ୍ୟାବଧି ଶେଷ ହୋଇନାହିଁ। ସେହିଭଳି ଧୋବାକାଚିଣି ସେତୁ ବୈଷୟିକ ସମସ୍ୟା ଦର୍ଶାଇ ଆଜକୁ ଦୀର୍ଘ ୪ବର୍ଷ ଧରି ନିର୍ମାଣ କାର୍ଯ୍ୟ ଅଧାରେ ପକାଇ କାର୍ଯ୍ୟ ବନ୍ଦ ରହିଥିବା ବେଳେ ବିଭାଗ ପକ୍ଷରୁ କେବଳ ସମ୍ପୃକ୍ତ ଠିକାଦାରଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରି ନୀରବ ରହିବା ଉକ୍ତ ପ୍ରକଳ୍ପର କାର୍ଯ୍ୟକାରୀତା ନେଇ ସାଧାରଣରେ ଆଶଙ୍କା ସୃଷ୍ଟି କରିଛି। ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀ ଓ ସମ୍ପୃକ୍ତ ଠିକାଦାର ସଂସ୍ଥା ସହ ମିଳିତ ବୈଠକ ନିଷ୍ପତ୍ତି ଅନୁଯାୟୀ ୨୦ ଅପ୍ରେଲ ୨୦୨୪ରୁ ବନ୍ଦ ରହିଥିବା ଧୋବାକାଚିଣି ସେତୁର ନିର୍ମାଣ କାର୍ଯ୍ୟ ପୁନଃ ଆରମ୍ଭ କରିବାକୁ ଥିଲେ ହେଁ ଅଦ୍ୟାବଧି ଉକ୍ତ ସେତୁର ନିର୍ମାଣ କାର୍ଯ୍ୟ ଆରମ୍ଭ ନହେବା କାରଣରୁ ଜିଲା ବିକାଶରେ ବାଧା ସୃଷ୍ଟି କରୁଥିବା ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ କଳା ତାଲିକାଭୁକ୍ତ ସହ ଜୋରିମାନା କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ କେନ୍ଦୁଝର ଜିଲା ଠିକାଦାର ସଂଘ ସମ୍ପାଦକ ଅନୁପ କୁମାର ମହାନ୍ତି ଦାବି କରିଛନ୍ତି । ସେହିଭଳି ଉକ୍ତ ରାସ୍ତାରେ ନିର୍ମାଣାଧିନ ବୋଇଙ୍ଗା ସେତୁକୁ ରାଜ୍ୟ ଯୋଜନାରା ୫.୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ପାଇଁ ଦେବଗଡର ତୁଳସୀ କନ୍ଷ୍ଟକ୍ସନ ସହ ୧ ଫେବୃୟାରୀ ୨୦୧୯ରେ ଚୁକ୍ତି ସ୍ୱାକ୍ଷର ହୋଇ ୩୧ ଜୁଲାଇ ୨୦୨୦ରେ ଶେଷ ହେବାକଥା । ମାତ୍ର ଉକ୍ତ ସେତୁ ମଧ୍ୟ ଅଦ୍ୟାବଧି ଅଧପନ୍ତରିଆ ହୋଇ ପଡିରହିବା ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
Popular Categories



