ଗଞ୍ଜାମରୁ ଚୋରୀ ଗାଡ଼ି ଗଜପତିରୁ ଉଦ୍ଧାର

ପାତ୍ରପୁର: ଜରଡ଼ା ଥାନା ଖାରିଆଗୁଡ଼ା ପଞ୍ଚାୟତ ସୁନ୍ଦର୍ ବଲ୍ଲଭ ଜଗଦେବପୁର ଗ୍ରାମରୁ ଗତ ରାତ୍ର ଚୋରୀ ହୋଇଥିବା ଏକ ଯାତ୍ରୀବାହୀ ବସ ପୋଲିସ ନଅ ଘଣ୍ଟା ମଧ୍ୟରେ ଉଦ୍ଧାର କରିଛି। ଏସ ବି ଜଗଦେବପୁର ଗ୍ରାମରୁ ଦିଗପହଣ୍ଡି ଦେଇ ବ୍ରହ୍ମପୁର ଯାତାୟାତ କରୁଥିବା ନୀଳକଣ୍ଠ ନାମକ ଯାତ୍ରୀବାହୀ ବସ ଗତକାଲି ସନ୍ଧ୍ୟାରେ ଫେରିଥିଲା। ସବୁ ଦିନ ଭଳି ଗତ ରାତ୍ର ଗାଡ଼ିର ସଫେଇ କାର୍ଯ୍ୟ ଶେଷ ହେବା ପରେ ଡ୍ରାଇଭର ଓ କଣ୍ଡକ୍ଟର ଯାଇ ବିଶ୍ରାମ ନେଇ ଥିଲେ। ଗାଡ଼ି ମଧ୍ୟରେ ହେଲପର ଶୋଇଥିଲେ। ତେବେ ସକାଳୁ ବସ କର୍ମଚାରୀ ଉଠି ଦେଖିବା ବେଳକୁ ଗାଡ଼ି ନଥିବା ଜାଣି ବିବ୍ରତ ହୋଇ ପଡ଼ିଥିଲେ। ଗାଡ଼ି ନଥିବା ନେଇ ଗାଡ଼ି ମାଲିକକୁ ଜଣାଇବା ସହ ତାଙ୍କରି କଥାରେ ଖାରିଆ ଗୁଡ଼ା ଫାଣ୍ଡିକୁ ଖବର ଦେଇଥିଲେ। ଖାରିଆଗୁଡ଼ା ଫାଣ୍ଡି ଅଧିକାରୀ ସୁରେଶ ଚନ୍ଦ୍ର ମୁର୍ମୁ ତୁରନ୍ତ ଟିମ୍ ସହିତ ରାସ୍ତାରେ ଥିବା ବିଭିନ୍ନ ବ୍ୟକ୍ତିଙ୍କ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ କିଛି ଲୋକ ଗାଡ଼ି ଦୃତ ଗତିରେ ନେବା ସୂଚନା ପାଇଥିଲେ। ଏହା ପରେ ଗାଡ଼ିଟି ଗଜପତି ଜିଲ୍ଲା ପଟେ ନେଇ ଥିବା ଜାଣି ଅଗ୍ରସର ହୋଇଥିଲେ। ତେବେ ବିଭିନ୍ନ ଲୋକଙ୍କୁ ଏସମ୍ପର୍କରେ ବୁଝିବା ସହ ରାମଗିରୀ ନିକଟ ସିନ୍ଦୁରା ବାଡ ଗ୍ରାମ ଠାରୁ ଅନତି ଦୂରରେ ରାସ୍ତାରେ ଏକ ଟିପରକୁ ବାଟ ଦେଇ କାଦୁଅରେ ଏକ ବସ ଅଟକି ଥିବା ଖବର ମିଳିଥିଲା। ତୁରନ୍ତ ପୋଲିସ ସେହି ସ୍ଥାନରେ ପହଞ୍ଚିବା ସହିତ ଚୋରୀ ହୋଇଥିବା ଗାଡ଼ିଟି ଠାବ କରିବାରେ ସଫଳ ହୋଇଥିଲେ। ଏହା ପରେ ବସ କର୍ମଚାରୀଙ୍କ ସହାୟତାରେ ବସଟିକୁ ଫାଣ୍ଡିକୁ ଅଣାଯାଇଛି। ବସ ମାଲିକ ଗାଡ଼ି ଚୋରୀ ସମ୍ପର୍କରେ ପୋଲିସରେ ଅଭିଯୋଗ ଦେବା ପରେ ଏକ ମକଦ୍ଦମା ରୁଜୁ ହୋଇଛି। ବସ ହେଲପରଙ୍କ କୌଣସି ସନ୍ଧାନ ମିଳିନଥିବା ବେଳେ ଗାଡ଼ି ଚୋରୀ ଘଟଣାରେ ବସ ହେଲପର କାର୍ଯ୍ୟ ସନ୍ଦେହ ଘେରକୁ ଆସିଥିବା ବେଳେ ଏକାଧିକ ବ୍ୟକ୍ତି ସଂପୃକ୍ତ ଥିବା ନେଇ ଆଲୋଚନା ହେଉଛି।

Comments are closed.