ଶ୍ରମିକ ଓ କର୍ମଚାରୀ ଛଟେଇ ପ୍ରତିବାଦରେ ଶ୍ରମିକଙ୍କ ଧାରଣା, ୭ ଦିନ ମହଲତ ଲୋଡିଲେ କର୍ତ୍ତୃପକ୍ଷ

କେନ୍ଦୁଝରଗଡ଼଼: ସଦର ଥାନା ଅଧିନ ହଳଦିଆଗୁଣାସ୍ଥିତ ଏମ୍‌‌ଏସ୍‌‌ପି ସ୍ପଞ୍ଜ ଲୁହା କାରଖାନାରେ ଶ୍ରମିକ ଓ କର୍ମଚାରୀଙ୍କୁ ବେଆଇନ ଛଟେଇ ସହ ବେତନ ହ୍ରାସ ପ୍ରତିବାଦ ଏବଂ ପାରିପାର୍ଶିକ ଅଞ୍ଚଳର ଉନ୍ନତିରେ ଅସହଯୋଗ ପ୍ରତିବାଦରେ ସ୍ଥାନୀୟ ଗୋବର୍ଦ୍ଧନ ପଞ୍ଚାୟତ ସରପଞ୍ଚ ସଞ୍ଜୟ କୁମାର ମୁଣ୍ଡାଙ୍କ ନେତୃତ୍ୱରେ ଶନିବାର ସକାଳ ୬ରୁ କାରଖାନାର ମୁଖ୍ୟଫାଟକ ବନ୍ଦ କରି ଧାରଣା ଦିଆଯାଇଛି। ଫଳସ୍ୱରୂପ ଶନିବାର କାରଖାନା ଭିତରକୁ କର୍ମଚାରୀ କିମ୍ବା ଅଧିକାରୀ କାହାରିକୁ ପ୍ରବେଶ କରିବାକୁ ଦିଆନଯିବାରୁ ଉତ୍ତଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବରପାଇ ଘଟଣାସ୍ଥଳରେ ସଦର ଥାନା ପୁଲିସ ପହଞ୍ଚି ଆନ୍ଦୋଳନରତ ଶ୍ରମିକ ଓ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ ହେଁ କୌଣସି ସୁଫଳ ମିଳିନଥିଲା। କାରଖାନା ସ୍ଥାପନ ସମୟରେ ସ୍ଥାନୀୟ ଅଞ୍ଚଳର ଶିକ୍ଷିତ ବେକାରୀଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ସହ ପାରିପାର୍ଶିକ ଅଞ୍ଚଳର ଉନ୍ନତି ପାଇଁ କାରଖାନା କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେବାସହ ଏହାକୁ ପାଳନ କରି ଆସୁଥିଲେ। ତେବେ ଗତ ଡିସେମ୍ବର ମାସରେ ନୂତନ ଭାବେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଅର୍ପିତ ଲୋହିଆ ଯୋଗଦେବା ପରଠାରୁ ବେଆଇନ ଭାବେ ଶ୍ରମିକ ଓ କର୍ମଚାରୀଙ୍କୁ ଛଟେଇ ସହ ପାରିପାର୍ଶିକ ଅଞ୍ଚଳର ଉନ୍ନତିକୁ ସମ୍ପୂର୍ଣ୍ଣ ଅଣଦେଖା କରି ଆସିବାରୁ ଅସନ୍ତୋଷ ଲାଗି ରହିଥିଲା। ଏପରିକି ଶ୍ରମିକ ଓ କର୍ମଚାରୀଙ୍କ ମାସିକ ବେତନ ହ୍ରାସ ନେଇ ଶୁକ୍ରବାର କେତେବ କର୍ମଚାରୀ ମାନସମ୍ବଳ ଅଧିକାରୀଙ୍କୁ ଭେଟି ସେମାନଙ୍କ ଅସନ୍ତୋଷ ଜାହିର କରିବା ପରେ ଏହାକୁ ନେଇ କାରଖାନା କର୍ତ୍ତୃପକ୍ଷ ଶ୍ରମିକ ଓ କର୍ମଚାରୀଙ୍କ ବିରୋଧରେ ସ୍ଥାନୀୟ ଥାନାର ଦ୍ୱାରସ୍ଥ ହେବା ଏବଂ ଶନିବାର ଉକ୍ତ ଶ୍ରମିକ ଓ କର୍ମଚାରୀଙ୍କୁ କାରଖାନା ଭିତରକୁ ପ୍ରବେଶ ଅନୁମତି ନଦେବାରୁ ବାଧ୍ୟହୋଇ ଶ୍ରମିକ ଓ କର୍ମଚାରୀଙ୍କ ପକ୍ଷରୁ କାରଖାନାର ଦୁଇ ମୁଖ୍ୟଫାଟକକୁ ବନ୍ଦ କରି ସକାଳ ୬ଟାରୁ ଆନ୍ଦୋଳନକୁ ବ୍ୟାପକ କରାଯାଇଥିଲା। ବେଆଇନ ଭାବେ ଛଟେଇ କରାଯାଇଥିବା ଶ୍ରମିକ ଓ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି, ହ୍ରାସ କରାଯାଇଥିବା ବେତନ ବୃଦ୍ଧି ସହ ପ୍ରଦାନ, କାରଖାନା ସ୍ଥାପନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ମୁତାବକ ପାରିପାର୍ଶିକ ଅଞ୍ଚଳର ଉନ୍ନତିରେ ସମ୍ପୂର୍ଣ୍ଣ ସହଯୋଗ ଏବଂ ନୂତନ ଭାବେ ଯୋଗ ଦେଇଥିବା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଲୋହିଆଙ୍କୁ ତୁରନ୍ତ ଅପସାରଣ ଦାବିରେ ଶ୍ରମିକ ଓ କର୍ମଚାରୀ ନିଜ ନିଜ ଜିଦ୍‌‌ରେ ଅଟଳ ରହି ଆନ୍ଦୋଳନକୁ ବ୍ୟାପକ କରିଛନ୍ତି। କାରଖାନାର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଉପରୋକ୍ତ ୪ଦଫା ଦାବି ସମ୍ପର୍କରେ ଆଲୋଚନା କରି ଆସନ୍ତା ୭ ଦିନ ମଧ୍ୟରେ ପଦକ୍ଷେପ ଗ୍ରହଣ ପ୍ରତିଶ୍ରୁତି ଦେବାପରେ ଅପରାହ୍ନ ୪ଟାରେ ଆନ୍ଦୋଳନକୁ ପ୍ରତ୍ୟାହାର କରାଯାଇଥିଲା।

Comments are closed.