ଗଠନ ହେବ ପଞ୍ଚାୟତସ୍ତରୀୟ କମିଟି, ଲୋକଙ୍କ ଅଭିଯୋଗର ହେବ ସମାଧାନ

ଗୋପାଳପୁର: ଗୋପାଳପୁର ବିଧାୟକ ତଥା ପରିବହନ ଖଣି ଓ ଇସ୍ପାତମନ୍ତ୍ରୀ ବିଭୂତି ଭୂଷଣ ଜେନା ଏକ ଚାରିଦିନିଆ ନିଜ ନିର୍ବାଚନୀ ମଣ୍ଡଳୀ ଗସ୍ତରେ ଆସି ଆଜି ଠାରୁ ୩ ଦିନିଆ ବିଭିନ୍ନ ପଞ୍ଚାୟତ ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଗୁରୁବାର ସଂଧ୍ୟାରେ ମନ୍ତ୍ରୀ ଶ୍ରୀ ଜେନା ନିଜ ଗୋଳନ୍ଥରା ସ୍ଥିତ ବାସଭବନରେ ପହଞ୍ଚିବା ସହ ନିଜ ନିର୍ବାଚନୀ ମଣ୍ଡଳୀର ବିଭିନ୍ନ ଶକ୍ତି କେନ୍ଦ୍ର ପ୍ରମୁଖ, ମଣ୍ଡଳ ସ୍ତରୀୟ କମିଟି ସଦସ୍ୟ ସମେତ ବୁଥ ସ୍ତରୀୟ କମିଟି ସଦସ୍ୟ ମାନଙ୍କ ସହ ଏକ‌ ବୈଠକର ଆୟୋଜନ କରିଥିଲେ। ଆଜି ଠାରୁ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ବିଭିନ୍ନ ପଞ୍ଚାୟତ ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ପ୍ରଥମ ଦିନରେ ମନ୍ତ୍ରୀ ଶ୍ରୀ ଜେନା ବିଶ୍ବନାଥପୁର ପଞ୍ଚାୟତ ଗସ୍ତ କରିବା ସହ ସେଠାରେ ଥିବା କାଶି ବିଶ୍ୱନାଥ ମନ୍ଦିରରେ ପୂଜାର୍ଚ୍ଚନା ପୂର୍ବକ ବିଶ୍ବନାଥ ପୁର ପଞ୍ଚାୟତ ବାସୀଙ୍କୁ ତାଙ୍କୁ ଭୋଟ ଦେଇ ଜିତାଇ ଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହା ସହ ପଞ୍ଚାୟତ ରେ ରହିଥିବା ବିଭିନ୍ନ ଅଭାବ ଅସୁବିଧା ସହ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ମନ୍ତ୍ରୀ ଶ୍ରୀ ଜେନାଙ୍କ ସହ ଆଲୋଚନା ବେଳେ ସେ ସୂଚନା ଦେଇଛନ୍ତି ଯେ ପ୍ରତି ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ କମିଟି ଗଠନ ହେବା ସହ ସେଠାରେ ଲୋକେ ନିଜର ଅଭାବ ଅସୁବିଧା ନେଇ ଅଭିଯୋଗ କରିବେ। ତାହାର ତୁରନ୍ତ ସମାଧାନ କରାଯିବ। ଲୋକଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ନେଇ ଅବଗତ କରାଇବା ସହ ସେମାନଙ୍କୁ କିପରି ସେଗୁଡ଼ିକର ସୁଫଳ ମିଳିବ ପଞ୍ଚାୟତ ସ୍ତରୀୟ କମିଟି କାମ କରିବ ବୋଲି ମତପୋଷଣ କରିଥିଲେ।

Comments are closed.