ବୌଦ୍ଧ: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକଆ ବୌଦ୍ଧ ଗସ୍ତରେ ଆସି ଜିଲାରେ ଦୁଇଟି ନିର୍ବାଚନୀ ସମାବେଶରେ ସାମିଲ ହୋଇଛନ୍ତି। ପୂର୍ବାହ୍ନରେ କଣ୍ଟାମାଳ ବ୍ଲକ ପଲଶାଗୋରା ଯାତ୍ରା ପଡ଼ିଆଠାରେ ଅନୁଷ୍ଠିତ ସମାବେଶରେ ବିରାଟ ମିଶ୍ରଣ ସଭାରେ ସାମିଲ ହୋଇଥିଲେ। ସେଠାରୁ ବୌଦ୍ଧ ଆସି ଐତିହାସିକ ରାମେଶ୍ୱର ମନ୍ଦିର ଓ ଜଗନ୍ନାଥ ମନ୍ଦିର ଦର୍ଶନ କରିବାପରେ ତୁଳସୀ କଲ୍ୟାଣ ମଣ୍ଡପଠାରେ ଆୟୋଜିତ କର୍ମୀ ସମାବେଶରେ ଯୋଗଦେଇଥିଲେ। ଜିଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବେଶରେ ମନ୍ତ୍ରୀ ଶ୍ରୀପ୍ରଧାନ ରାଜ୍ୟ ସରକାରଙ୍କ ବିଫଳତା ନେଇ ବର୍ଷିବା ସହିତ ମୋଦି ସରକାର ବିଭିନ୍ନ ଜନକଲ୍ୟାଣ ଯୋଜନାରେ ରାଜ୍ୟକୁ କୋଟି କୋଟି ଟଙ୍କାର ସହାୟତା ପ୍ରଦାନ କରିଥିବା ପ୍ରକାଶ କରିଥିଲେ। କେବଳ ବୌଦ୍ଧ ଜିଲାରେ ୩୬୦ ହଜାର ଲୋକଙ୍କୁ ମାଗଣାରେ ୫ କିଲୋ ଚାଉଳ, ୬୦ ହଜାର ପରିବାରକୁ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ମାଗଣା ଗ୍ୟାସ ସଂଯୋଗ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୬୪ ହଜାର ଲୋକଙ୍କୁ ବାସଗୃହ ସହାୟତା, ୮୭୨୨୭ ପରିବାରକୁ ପାଇଖାନା ନିର୍ମାଣ ପାଇଁ ସହାୟତା ଏବଂ ମନରେଗା ଯୋଜନାରେ ୪୦୮ କୋଟି ଟଙ୍କାର ସହାୟତା କେନ୍ଦ୍ର ସରକାର ଯୋଗାଇ ଦେଇଛନ୍ତି। ରାଜ୍ୟରୁ ବିଜେଡି ସରକାରକୁ ହଟାଇ ଡବଲ ଇଞ୍ଜିନ ସରକାର ବସାଇବାକୁ ମନ୍ତ୍ରୀ ଶ୍ରୀ ପ୍ରଧାନ ଆହ୍ୱାନ ଜଣାଇଥିଲେ।
Popular Categories



