କେନ୍ଦୁଝରଗଡ଼଼: ସରକାରୀ ଯାନ୍ତ୍ରୀକ ମହାବିଦ୍ୟାଳୟ କେନ୍ଦୁଝରର ଛାତ୍ରାବାସରେ ଜଣ୍ଡିସ ରୋଗରେ ପ୍ରାୟ ୨୮ଜଣ ଛାତ୍ର ଆକ୍ରାନ୍ତ ହେବାପରେ ଅନ୍ତେବାସୀ ମହଲରେ ଆତଙ୍କ ଖେଳିଯାଇଛି। ଛାତ୍ରାବାସରେ ରହୁଥିବା ପ୍ରଥମବର୍ଷ ଅନ୍ତେବାସୀ ଗୁରୁବାର ଠାରୁ ପ୍ରଥମେ ଜଣ୍ଡିସ୍ ରୋଗରେ ଆକ୍ରାନ୍ତ ହେବାପରେ କେତେକ ଛାତ୍ର ନିଜସ୍ୱ ଉଦ୍ୟମରେ ଡାକ୍ତରଙ୍କୁ ଦେଖାଇ ଚିକିତ୍ସା ପରାମର୍ଶ ସହ ଔଷଧ ସେବନ କରି ଆସୁଥିଲେ। ତେବେ ଶୁକ୍ରବାର ୨୮ଜଣ ଅନ୍ତେବାସୀ ଜଣ୍ଡିସ୍ ରୋଗରେ ଆକ୍ରାନ୍ତ ହେବା ନେଇ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଖବର ପାଇ ଜିଲା ସ୍ୱାସ୍ଥ୍ୟ ବିଭାଗର ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବସନ୍ତ କୁମାର ପାତ୍ରଙ୍କ ନେତୃତ୍ୱରେ ଏକ ଡାକ୍ତରୀ ପ୍ରତିନିଧି ଦଳ ଛାତ୍ରାବାସରେ ପହଞ୍ଚି ଜଣ୍ଡିସ୍ ଆକ୍ରାନ୍ତ ୧୨ଜଣ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଆବଶ୍ରକୀୟ ଚିକିତ୍ସା ସହାୟତା ଓ ଔଷଧ ଯୋଗାଇ ଦେଇଥିଲେ।
କେଉଁ କାରଣରୁ ଜଣ୍ଡିସ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼଼ିବାରେ ଲାଗିଛି ସେ ନେଇ ଡାକ୍ତରୀ ପ୍ରତିନିଧି ଦଳ ଶୁକ୍ରବାର ପାନୀୟ ଜଳ ଓ ଆକ୍ରାନ୍ତଙ୍କ ରକ୍ତ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିବା ବେଳେ ଦିନେ ଦୁଇଦିନ ମଧ୍ୟରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଡାକ୍ତର ଶ୍ରୀ ପାତ୍ର ଏହା କହିଛନ୍ତି। ଏଥିସହ ଅନ୍ତେବାସୀଙ୍କୁ ବାହାର ଫାଷ୍ଟଫୁଡ ଖାଦ୍ୟକୁ ଡାକ୍ତରୀ ଦଳ ସମ୍ପୂର୍ଣ୍ଣ ବାରଣ କରିଥିବା ବେଳେ ଶନିବାର ଫୁଡ ଆଣ୍ଡ ସେଫ୍ଟି ବିଭାଗର ଅଧିକାରୀ ଛାତ୍ରାବାସରେ ପହଞ୍ଚି ଖାଦ୍ୟ ନମୂନା ମଧ୍ୟ ଯାଞ୍ଚ କରିଛନ୍ତି। ଜଣ୍ଡିସ୍ ଆକ୍ରାନ୍ତ ଖବର ପାଇବା ପରେ ୧୬ଜଣ ଛାତ୍ର ସେମାନଙ୍କ ଅଭିଭାବକଙ୍କ ସଙ୍ଗରେ ଘରକୁ ଯାଇଥିବା ବେଳେ ବର୍ତ୍ତମାନ ଜଣ୍ଡିସ୍ ଆକ୍ରାନ୍ତ ୯ଜଣ ଅନ୍ତେବାସୀ ଛାତ୍ରାବାସରେ ଥିବା ଏବଂ ପରିସ୍ଥିତି ନିୟନ୍ତ୍ରଣାଧିନ ଥିବା ମହାବିଦ୍ୟାଳୟର ଅଧ୍ୟକ୍ଷ ଇଂ ତ୍ରିଲୋଚନ ସାହୁ କହିଛନ୍ତି।



