ବିଭିନ୍ନ ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଆଜି “ଜାତୀୟ ବିଜ୍ଞାନ ଦିବସ” ପାଳିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ ଗୁରୁଜୀ କାଳିଚରଣ ହୋତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ ପୂର୍ବକ ସମସ୍ତଙ୍କର ଶୁଭ କାମନା କରି ଶିଶୁମାନେ ଭବିଷ୍ୟତରେ ବୈଜ୍ଞାନିକ ହେବା ପାଇଁ ମାର୍ଗଦର୍ଶନ ଦେଇଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମକୁନ୍ଦ ମହାରଣା ସ୍ବାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ।

ପାଟଣା: ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ତୁରୁମୁଙ୍ଗା ଠାରେ ଜାତୀୟ ବିଜ୍ଞାନ ଦିବସ ପାଳନ କରାଯାଇଛି। ମୁଖ୍ୟ ଅତିଥି ଭାବେ ଦଧିବାମନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ବରିଷ୍ଠ ପ୍ରାଧ୍ୟାପକ ସେବକ ଚନ୍ଦ୍ର ସାହୁଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରାଯାଇଥିଲା। ବିଦ୍ୟାଳୟର ଉପସଭାପତି ସୁଧାଂଶୁ ଶେଖର ସାହୁଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା। ବୈଜ୍ଞାନିକ ସି.ଭି. ରମଣଙ୍କର ଯୁଗାନ୍ତକାରୀ ଉଦ୍ଭାବନକୁ ସ୍ମରଣ କରିବା ପାଇଁ ଆଜି ସାରା ଭାରତ ବର୍ଷରେ ଜାତୀୟ ବିଜ୍ଞାନ ଦିବସ ପାଳନ କରାଯାଉଛି। ଅଧ୍ୟକ୍ଷ ଶିଶୁଙ୍କୁ ଆଗାମୀ ଭବିଷ୍ୟତରେ ବୈଜ୍ଞାନିକ ମନୋଭାବ ରଖି ସୁବୈଜ୍ଞାନିକ ହେବା ନିମନ୍ତେ ପ୍ରେରଣା ପ୍ରଦାନ କରିଥିଲେ।

ପାଟଣା: ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ସ୍ଵାମ ପାଟଣାରେ ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ ହୋଇ ଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଧାନ ଆଚାର୍ଯ୍ୟ ଗଣେଶ୍ୱର କର ଦୀପ ପ୍ରଜ୍ଜ୍ୱଳନ କରି ଉକ୍ତ ଦିବସ ପାଳନର ଆଭିମୂଖ୍ୟ କଥନ ତଥା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ବିଜ୍ଞାନ ଗୁରୁଜୀ ହୀରାଲାଲ ମହାନ୍ତ ବୈଜ୍ଞାନିକ ଡଃ ସି. ଭି ରମଣଙ୍କ ସମ୍ବନ୍ଧରେ ବିସ୍ତୃତ ତଥ୍ୟ ଉପସ୍ଥାପନା କରିଥିଲେ।

Comments are closed.