ଉଚ୍ଚଶକ୍ତି ସଂପନ୍ନ ବିଦ୍ୟୁତ୍‌‌ ସବ୍‌‌ ଷ୍ଟେସନର ଶିଳାନ୍ୟାସ

ଆଠଗଡ଼: ଆଠଗଡ଼ ବ୍ଲକର ଇଚ୍ଛାପୁର ପଞ୍ଚାୟତ ଅନ୍ତର୍ଗତ ମୁକ୍ତାଦେଇପୁରଠାରେ ବୁଧବାର ଏକ ୩୩/୧୧କେଭିର ଉଚ୍ଚ ଶକ୍ତି ସଂପନ୍ନ ବିଦ୍ୟୁତ୍‌‌ ସବ୍‌‌ ଷ୍ଟେସନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଆଠଗଡ଼ ବିଦ୍ୟୁତ୍‌‌ ଡିଭିଜନ ଦ୍ୱାରା ମୁଖ୍ୟମନ୍ତ୍ରୀ ଶକ୍ତି ଉନ୍ନୟନ ଯୋଜନା ମାଧ୍ୟମରେ ୧୩.୨୩କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ବିଦ୍ୟୁତ୍‌‌ ସବ୍‌‌ ଷ୍ଟେସନରେ ୨ଟି ୫ଏମଭିଏ ଟ୍ରାନ୍ସଫରର୍ମର ବସିବ। ସ୍ଥାନୀୟ ବିଧାୟକ ତଥା କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ବିଦ୍ୟୁତ୍‌‌ ସବ୍‌‌ଷ୍ଟେସନ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ନିଜ ବକ୍ତବ୍ୟରେ ଆଠଗଡ଼ ଅଞ୍ଚଳରେ ବିଦ୍ୟୁତ୍‌‌ ଯୋଗାଣକୁ ବ୍ୟବସ୍ଥିତ ଓ ବିକଶିତ କରିବା ଲାଗି ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ପ୍ରକାଶ କରିଥିଲେ। ଇଚ୍ଛାପୁର ପଞ୍ଚାୟତରେ ପ୍ରତିଷ୍ଠିତ ହେବାକୁ ଥିବା ଏହି ବିଦ୍ୟୁତ୍‌‌ ସବ୍‌‌ଷ୍ଟେସନ ଦ୍ୱାରା ତିଗିରିଆ ବ୍ଲକର ଗୋଡିଝରିଆ, ଭିରୁଡା ଓ ହରିଡାପଶି, ଆଠଗଡ଼ ବ୍ଲକର ଇଚ୍ଛାପୁର, ପତଣ୍ଡା, ମାଟିକୋଟ, ଭାଗୀରଥିପୁର, ଅଚଳକୋଟ, ଅରଖପାଟଣା, ମାରୁଗୋଠ, ନୂଆବନ୍ଧ ଓ ଜେନାପଦା ଗ୍ରାମର ହଜାର ହଜାର ଲୋକ ଉପକୃତ ହୋଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ। ଏହି କାର୍ଯ୍ୟକ୍ରମରେ ଆଠଗଡ଼ ବିଦ୍ୟୁତ୍‌‌ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ପବିତ୍ର କୁମାର ସାହୁ, କଟକ ଅଧିକ୍ଷଣ ଯନ୍ତ୍ରୀ ଇଂ ମନୋଜ କୁମାର ଦାସ, ଆଠଗଡ଼ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ସନ୍ତୋଷ କୁମାର ସାମନ୍ତରାୟ, ବ୍ଲକ ଉପାଧ୍ୟକ୍ଷ ସୁବାସ ମଲ୍ଲିକ, ଜିଲ୍ଲାପରିଷଦ ସଭ୍ୟା ଶାନ୍ତିଲତା ବେହେରା, ପୂର୍ବତନ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୁନିଲ ପରିଡ଼ା, ଇଚ୍ଛାପୁର ସରପଞ୍ଚ କବିରାଜ ସାହୁ, ସମିତିସଭ୍ୟ ମୋନାଲିସା ସାହୁ, ପୂର୍ବତନ ସମିତି ସଭ୍ୟ ଦେବରାଜ ସାମଲଙ୍କ ସମେତ ବହୁ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ।

Comments are closed.