ସମ୍ବଲପୁର ମହାନଗର ନିଗମ – ଟେଣ୍ଡର ପକାଉ ନାହାନ୍ତି ଠିକାଦାର
ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ପକ୍ଷରୁ ନିୟମିତ ଅଧିନସ୍ଥ ଅଞ୍ଚଳରେ ବିକାଶମୂଳକ କାର୍ୟ୍ୟ ପାଇଁ ବିଭିନ୍ନ ପ୍ରକାରର ଟେଣ୍ଡର ଗୁଡିକ ଆହ୍ୱାନ କରାଯାଉଛି। ତେବେ ଅନେକ ବିକାଶମୂଳକ କାର୍ୟ୍ୟ ପାଇଁ ନିଗମ କତ୍ତୃପକ୍ଷ ପକ୍ଷରୁ ଆହୁତ ଟେଣ୍ଡର ଗୁଡିକରେ ଆଗ ଭଳି ଠିକାଦାର ମାନେ ଅଂଶଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି। ବିଗତ ୫ ତାରିଖରେ ମହାନଗର ନିଗମ ପକ୍ଷରୁ ଟେଣ୍ଡର ସଂଖ୍ୟା ୩୬/ଏସଏମସି-ଏସବିପି/୨୦୨୩-୨୪ ଅନୁଯାୟୀ ନିଗମ ଅଧିନସ୍ଥ ଅଞ୍ଚଳ ଗୁଡିକରେ ୨ କୋଟିରୁ ଉର୍ଦ୍ଧ ବିଭିନ୍ନ ପ୍ରକାରର ବିକାଶ ମୂଳକ କାର୍ୟ୍ୟ ନିମନ୍ତେ ସମୁଦାୟ ୮୦ଟି ଟେଣ୍ଡର ଆହ୍ୱାନ କରାଯାଇଥିଲା। ତେବେ ଆହ୍ୱାନ କରାଯାଇଥିବା ୮୦ ରୁ ୪୮ଟି ଟେଣ୍ଡର ଗୁଡିକରେ କୌଣସି ଠିକାଦାର ଅଂଶଗ୍ରହଣ କରି ନାହାନ୍ତି। ସେହିଭଳି ୯ଟି ଟେଣ୍ଡରରେ ଜଣେ ମାତ୍ର ଠିକାଦାର ଓ ୨୨ଟି ଟେଣ୍ଡରରେ ୨ରୁ ଉର୍ଦ୍ଧ ଠିକାଦାର ଅଂଶଗ୍ରହଣ କରିଛନ୍ତି। ୯ଟି ଟେଣ୍ଡରରେ ମାତ୍ର ଜଣେ ଲେଖାଏଁ ଠିକାଦାର ଭାଗ ନେଇଥିବାରୁ ସରକାରୀ ନିୟମାନୁଯାୟୀ ଉକ୍ତ କାମ ଗୁଡିକ ପାଇଁ ପୁର୍ନବାର ଟେଣ୍ଡର ଆହ୍ୱାନ ଆଗାମୀ ଦିନରେ ହେବ। ଏଣୁ ବିକାଶମୂଳକ କାର୍ୟ୍ୟ ପାଇଁ ଆହୁତ ୮୦ଟି କାମ ଗୁଡିକ ମଧ୍ୟରୁ ୫୭ଟି କାମ ପାଇଁ ଠିକାଦାର ମାନେ ଅନିଚ୍ଛୁକ ଥିବାରୁ ପୁର୍ନବାର ଟେଣ୍ଡର ଆଗାମୀ ଦିନରେ ଆହୁତ କରାଯିବ।
ଫଳରେ ସମ୍ବଲପୁରର ବିକାଶମୂଳକ କାର୍ୟ୍ୟ ଗୁଡିକ ବିଳମ୍ବିତ ହେଉଛି। ଏବେ ଜନତା ବିକାଶକୁ ଏକ ପ୍ରମୁଖ ବିଷୟ ରୂପେ ନେଉଥିବା ବେଳେ ସାଧାରଣ ନିର୍ବାଚନ ଏବେ ମୁଣ୍ଡ ଉପରେ ରହିଛି। ସମ୍ବଲପୁରରେ ଜନତା ପୂର୍ବରୁ ଧିମା ବିକାଶମୂଳକ କାର୍ୟ୍ୟ ଯୋଗୁଁ ଅସନ୍ତୁଷ୍ଟ ରହିଥିବା ବେଳେ ଠିକାଦାର ମାନେ ବିକାଶ କାର୍ୟ୍ୟ ଗୁଡିକର ଟେଣ୍ଡରରେ ସାମିଲ ନ ହେବା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। ଏଥି ସହ ଏବେ ବିକାଶ ପ୍ରମୁଖ ନିର୍ବାଚନୀ ମୁଦ୍ଦା ହେଉଥିବାରୁ ଶାସକ ଦଳ ପାଇଁ ଏହା ମୁଣ୍ଡବ୍ୟଥାର ବଡ କାରଣ ହୋଇଛି।
ଅପରପକ୍ଷରେ ବିକାଶମୂଳକ କାର୍ୟ୍ୟରେ ପୂର୍ବ ଭଳି ଠିକାଦାର ମାନେ ସାମିଲ ନ ହେବା ପଛରେ ପ୍ରବଳ ପ୍ରତିଯୋଗିତା ସହିତ ବଜାର ଦର ସହିତ ସରକାରୀ ଦରର କୌଣସି ତାଳମେଳ ରହୁ ନାହିଁ। ଫଳରେ ବିଗତ ଦିନ ଅନେକ ଠିକାଦାର କ୍ଷତି ସହି ଥିବାରୁ ସେମାନେ ଏବେ କାମ ଓ ଦର ଏବଂ କାର୍ୟ୍ୟସ୍ଥଳ ଯଦି ସେମାନଙ୍କୁ ସୁହାଉଛି, ତାହା ହେଲେ ସେମାନେ ଟେଣ୍ଡର ପ୍ରକ୍ରିୟାରେ ସାମିଲ ହେଉଛନ୍ତି। ପୂର୍ବରୁ ମଧ୍ୟ ଏଭଳି ସ୍ଥିତି ଦେଖାଯାଇଥିବା ବେଳେ ଦିନକୁ ଦିନ ଏହି ସ୍ଥିତ ଗମ୍ଭୀର ହେଉଛି ଏବଂ ଏହାର ପ୍ରଭାବ ସମ୍ବଲପୁର ମହାନଗର ନିଗମର ବିକାଶ ଉପରେ ପ୍ରତ୍ୟକ୍ଷ ରୂପେ ପଡୁଛି। ଏଣୁ କାରଣ ଯାହା ଥାଉ ନା କାହିଁକି ଏହି ସମସ୍ୟାର ସମାଧାନ ପାଇଁ ସମସ୍ତ ପକ୍ଷଙ୍କୁ ବିଶ୍ୱାସରେ ନେଇ ରାସ୍ତା ବାହାର କରିବାକୁ ପଡ଼ିବ ବୋଲି ସବୁ ମହଲରୁ ମତ ପ୍ରକାଶ ପାଉଛି।
Comments are closed.