ବଢୁଛି ଖରା, ଅଚଳ ଅମୃତ ଧାରା

ଭବାନୀପାଟଣା: ଗତ ମଙ୍ଗଳବାର ଠାରୁ ସହରର ତାପମାତ୍ରା ୩୫ ଡିଗ୍ରୀ ଡେଇଁଲାଣି। ଗରମ ଏମିତି ଯେ ରାଜ୍ୟ ପାଣିପାଗ ବିଭାଗ ତାଲିକାରେ ତୃତୀୟ, ଚତୁର୍ଥ ସ୍ଥାନରେ ଭବାନୀପାଟଣାର ନାଁ ରହୁଛି। ତେବେ ଖରା ଦିନରେ ଛାଇ ଆଉ ପିଇବା ପାଣିର ବ୍ୟବସ୍ଥା ରହିବା ଜରୁରୀ। ପୋଷ୍ଟ ଅଫିସ ପାଖ, ପୁରୁଣା କଚେରି ଭଳି  କିଛି ସର୍ବସାଧାରଣ ସ୍ଥାନ ଏବଂ ଛକରେ ପୁରୁଣା ଗଛ ଥିବାରୁ ଛାଇ ମିଳୁଛି। ନଗରପାଳିକା ସମେତ ଅନ୍ୟ କିଛି ସଙ୍ଗଠନ ଦ୍ଵାରା ସହରରେ ପ୍ରାୟ ୧୬ରୁ ଅଧିକ ଅମୃତ ଧାରା ରହିଛି। ହେଲେ ନଗରପାଳିକାର ସବୁଦିନିଆ ଜଳଛତ୍ର ଅବା ଅମୃତ ଧାରା ରୁ ସାଧା ପାଣି ଟିକେ ବି ଝରୁ ନାହିଁ। ଏଣୁ ଚିନ୍ତାରେ ପଥିକ।

 

ନଗରପାଳିକା ଦ୍ଵାରା ସହରର ବିଭିନ୍ନ ଛକ ଜାଗା ମାନଙ୍କରେ ପ୍ରାୟ ୧୧ ଟି ଅମୃତଧାରା ସ୍ଥାପନ ହେଇଛି। ସହରର କଲେଜ ଛକ, ସରକାରୀ ବାଳିକା ହାଇସ୍କୁଲ ଛକ, ବିଜୁ କଲ୍ୟାଣ ମଣ୍ଡପ, ପୁରୁଣା ସିନେମା ହଲ୍ ଛକ, ଘୋଡାଘାଟ ଛକ, ଡାକ୍ତରଖାନା ଛକ, ତହସିଲ ଅଫିସ ସାମ୍ନା, ନକଟିଗୁଡ଼ା ଛକ, ଗାୟତ୍ରୀ ମନ୍ଦିର ଛକ, ଜେଲଖାନା ଛକ, ବସଷ୍ଟାଣ୍ଡ ସମ୍ମୁଖ ପ୍ରଭୃତି ସ୍ଥାନରେ ଅମୃତଧାରା ସ୍ଥାପନ ହେଇଛି। ବୋର୍ ୱେଲ ଖୋଲାଯାଇ ପାଣି ଟାଙ୍କି ଖଞ୍ଜା ଯାଇଛି। ଅଥଚ ଅଧିକାଂଶ ସ୍ଥାନରେ କେଉଁଠି ଟ୍ୟାପ ନାହିଁ ତ ଆଉ କେଉଁଠି ପାଇପ ମୁହଁକୁ ବନ୍ଦ କରାଯାଇ ଥିବା ଦେଖିବାକୁ ମିଳିଛି। ଆଉ କେଉଁଠି ଟ୍ୟାପ ଥିଲେ ବି ପାଣି ଝରୁନି। ପୁଣି ଅମୃତଧାରାର ଟାଇଲ ହେଉ କି ଆଖପାଖ ଅଞ୍ଚଳ ଆବର୍ଜନାରେ ଭର୍ତ୍ତି। ଏଣୁ ଅମୃତଧାରା ଗୁଡ଼ିକୁ ଦେଖିଲେ, ଶେଷଥର ପାଇଁ କେବେ ଏହା ବ୍ୟବହାର ହେଇଥିଲା ତାହା ଆକଳନ କରିବା ମୁସ୍କିଲ।

Comments are closed.