ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ
କେନ୍ଦୁଝରଗଡ଼: ଜେଲରୋଡସ୍ଥିତ କେନ୍ଦୁଝରଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବୁଧବାର ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ କେନ୍ଦୁଝର ପରିସରର ଓଡିଆ ଭାଷା ବିଭାଗ ସହକାରୀ ପ୍ରାଧ୍ୟାପକ ଡ. ଶିଶିର ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ ମାତୃଭାଷା ହିଁ ମନୁଷ୍ୟର ପ୍ରାଣ ସ୍ୱରୁପ, ମାତୃଭାଷା ବ୍ୟତିରେକ ଅନ୍ୟ ଭାଷାରେ ମନର ଭାବକୁ ସହଜରେ ପ୍ରକାଶ କରିହୁଏ ନାହିଁ ବୋଲି କହିଥିଲେ। ପ୍ରଧାନାଚାର୍ୟ୍ୟ ରାଜେନ୍ଦ୍ର ପ୍ରସାଦ ଅଗସ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା।
ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ‘ଆନ୍ତର୍ଜାତୀୟ ମାତୃଭାଷା ଦିବସ‘ପାଳିତ ହୋଇ ଯାଇଛି। ଏହି ଅବସରରେ ପରିଚାଳନା ସମିତିର କୋଷାଧ୍ୟକ୍ଷ ପ୍ରେମାନନ୍ଦ ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ ସମସ୍ତଙ୍କର ଶୁଭ କାମନା କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ୟ୍ୟ ମକୁନ୍ଦ ମହାରଣା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ଭାବେ କାଳିଚରଣ ହୋତା ଯୋଗ ଦେଇ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରି ଶିଶୁ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ। ରେମଣ୍ଡା ଠାରେ ‘ବିଶ୍ବ ମାତୃଭାଷା ଦିବସ’ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟରେ ମାତୃଭାଷା ପ୍ରମୁଖ ସମୀର କୁମାର ମେହେର ଶିଶୁମାନଙ୍କୁ ମାତୃଭାଷା ଦିବସର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଚତୁର୍ଥ ଶ୍ରେଣୀର ଭଉଣୀ ମାନେ ‘ପାହାଡ଼ର ଡାକ’ ଏକାଙ୍କିକା ପ୍ରଦର୍ଶନ କରିଥିଲେ।
ଆଠଗଡ଼: ଆଠଗଡ଼ ସହରର ରାସରସିକପୁର ୟୁଜିୟୁପି ସ୍କୁଲରେ ବୁଧବାର ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷକ ଦେବରାଜ ନାୟକ ଏଥିରେ ପୌରୋହିତ୍ୟ କରି ଆମ ମାତୃଭାଷାର ବିକାଶ ପାଇଁ ସମସ୍ତେ ଚେଷ୍ଟିିତ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଯେଉଁ ଜାତି ନିଜ ମାତୃଭାଷାର ଯେତେ ଅଧିକ ପ୍ରଚାର, ପ୍ରସାର ଓ ବିକାଶ କରିଛି ସେହି ଜାତି ସେତିକି ଅଧିକ ଉନ୍ନତି କରିଛି ବୋଲି ଏଥିରେ ଯୋଗ ଦେଇଥିବା ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ଶିକ୍ଷକ ଓ ଶିକ୍ଷୟିତ୍ରୀ ମତପ୍ରକାଶ କରିଥିଲେ। ଏହି ଅବସରରେ ଆୟୋଜିତ ବକ୍ତୃତା ଓ କୁଇଜ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।
ଚୌଦ୍ୱାର: ଚୌଦ୍ୱାର ଗାନ୍ଧିଛକ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆନ୍ତର୍ଜାିତୀୟ ମାତୃଭାଷା ଦିବସ ବୁଧବାର ପାଳିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟା ସ୍ନୀଗ୍ଧା ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଚାର୍ଯ୍ୟା କବିତା ଜେନା ଯୋଗଦେଇ ମାତୃଭାଷାର ଉପାଦେୟତା ସଂପର୍କରେ ଛାତ୍ରଛାତ୍ର ମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ପିଲା ମାନଙ୍କ ମଧ୍ୟରେ କବିତା ଆବୃତି, କବି ଓ ଲେଖକ ମାନଙ୍କ ଫଟୋଚିତ୍ର ପ୍ରଦର୍ଶନୀ, ଢଗଢମାଳି ଆଦି ପ୍ରଦର୍ଶନ କରାଯାଇଥିଲା। ଆଚାର୍ଯ୍ୟ ବାଣୀ ଭୁଷଣ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
Comments are closed.