ନିଯୁକ୍ତି ଓ ସ୍ୱୟଂଶାସିତ ଜିଲା ଦାବିରେ ବିକ୍ଷୋଭ

କେନ୍ଦୁଝରଗଡ଼: ଧରଣୀଧର ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ କେନ୍ଦୁଝରକୁ ତୁରନ୍ତ ପୂର୍ଣ୍ଣ କାର୍ଯ୍ୟକ୍ଷମ ସହ ରୋଗୀ ସେବା ଯୋଗାଣ ଏବଂ ଉକ୍ତ ଅନୁଷ୍ଠାନରେ ସ୍ଥାନୀୟ ଶିକ୍ଷିତ ବେକାରୀଙ୍କୁ ଯୋଗ୍ୟତାଭିତ୍ତିରେ ନିଯୁକ୍ତି ପ୍ରଦାନ ଦାବିରେ ମା’ତାରିଣୀ ଜନସେବା ଟ୍ରଷ୍ଟ କେନ୍ଦୁଝର ପକ୍ଷରୁ ବୁଧବାର ଅପରାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ ସଭା ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟ ସଭାପତି ତୁଳସୀ ପାତ୍ର ଓ ସମ୍ପାଦକ ତ୍ରିନାଥ ସେଠୀଙ୍କ ନେତୃତ୍ୱରେ ଟ୍ରଷ୍ଟ ସଦସ୍ୟ ସଦସ୍ୟା ହାତରେ ପ୍ଲାକାର୍ଡ ଧରି ଧରଣୀଧର ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ କେନ୍ଦୁଝର ନିକଟରୁ ଏକ ଶୋଭାଯାତ୍ରାରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମେହିକାଲ କଲେଜକୁ ରୋଗୀମାନଙ୍କ ଯାତାୟାତ ସୁବିଧାକୁ ଦୃଷ୍ଟିରେ ରଖି କେମ୍ପସଡା-ସେଣ୍ଡକାପ-ରାଇକଳା ପର୍ଯ୍ୟଦନ୍ତ ପୂର୍ତ୍ତବିଭାଗ ରାସ୍ତା ପ୍ରଶସ୍ତିକରଣ, ଜିଲାରେ କାର୍ଯ୍ୟକ୍ଷମ ଖଣି ସ ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ଯୁବ ଗୋଷ୍ଠୀଙ୍କୁ ନିଯୁକ୍ତି, ଟ୍ରଲର, ରେଳ ଓ ପାଇପ ଲାଇନ ଯୋଗେ ଜିଲାରୁ ଖଣିଜସମ୍ପଦ ପରିବହନ ତୁରନ୍ତ ବନ୍ଦ କରିବା, ଜିଲାର ଅର୍ଥାକ ବିକାଶ କରିବାକୁ ହେଲେ ତୁରନ୍ତ ଏକ ବୃହତ୍‌‌ ଇସ୍ପାତ କାରଖାନା ନିର୍ମାଣ କରିବା, ଖଣିଜ ପାଣ୍ଠି କାର୍ଯ୍ୟାଳୟ ସମେତ ଜିଲାର ବିଭିନ୍ନ କାର୍ଯ୍ୟାଳୟରେ ଡିଏମ୍‌‌ଏଫ୍‌‌ ଅଧିନରେ କେନ୍ଦୁଝର ଜିଲାର ମେଧାବୀ ବେକାରୀଙ୍କୁ ନିଯୁକ୍ତି ପ୍ରଦାନ, ପ୍ରତି ପଞ୍ଚାୟତରେ ଡିଏମଏଫ୍‌‌ ପାଣ୍ଠିରୁ ମାଗଣାରେ କମ୍ପ୍ୟୁଟର ଶିକ୍ଷା ପ୍ରଦାନ, ବୈଷୟିକ ଶିକ୍ଷାର ବିକାଶ ପାଇଁ ଯାନ୍ତ୍ରୀକ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ଏବଂ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସହ କେନ୍ଦୁଝରକୁ ଏକ ସ୍ୱୟଂଶାସିତ ଜିଲା ଭାବେ ଘୋଷଣା କରିବାକୁ ଟ୍ରଷ୍ଟ ପକ୍ଷରୁ ଦାବି କରାଯାଇଛି। କେନ୍ଦୁଝର ସହରରୁ ନିର୍ଗତ ବର୍ଜ୍ୟବସ୍ତୁକୁ ପର୍ଯ୍ୟଟନ କେନ୍ଦ୍ର ସିଦ୍ଧମଠ ନିକଟରେ ଜମା ନକରିଏହାର ସଠିକ୍‌‌ ବର୍ଜ୍ୟବସ୍ତୁ ପରିଚାଳନା କରିବା, ଜିଲାରେ ବୃଦ୍ଧି ପାଉଥିବା ବାୟୁ ପ୍ରଦୁଷଣକୁ ରୋକିବାକୁ ହେଲେ ବ୍ୟାପକ ଚାରାରୋପଣ କରିବା ଏବଂ କେନ୍ଦୁଝର ଦେଇ ଦିଲ୍ଲୀ, କୋଲକତା ଓ ଅଯୋଧ୍ୟାକୁ ରେଳ ଚଳାଚଳ କରିବାକୁ ଟ୍ରଷ୍ଟ ପକ୍ଷରୁ ଦାବି କରାଯାଇଛି।

Comments are closed.