ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ ଉପଲକ୍ଷେ ଆଜି ମହିଳା ସ୍ନାତକ ମହିଳା ମହାବିଦ୍ୟାଳୟ କଣ୍ଟାବାଞ୍ଜି ପରିସରରେ ଅଧକ୍ଷ୍ୟ ରାଜେନ୍ଦ୍ର ପୁରୋହିତଙ୍କ ସଭାପତିତ୍ୱରେ “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ସାମୁହିକ ଭାବେ ଓ ଏକା ସାଙ୍ଗରେ ଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ଗାୟନ କରି ଓଡ଼ିଆ ମାଟି, ଭାଷା ଓ ବୀରପୁତ୍ର ମାନଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଅଧ୍ୟାପକ ଯୁଧିଷ୍ଠିର ବେହେରା, ରାଜୀବ ମେହେର, ସୋମନାଥ ମେହେର, ଜିତେନ୍ଦ୍ର ସୁନା, ଡ଼କ୍ଟର ନେପାଳ ସେଠୀ ଅଧ୍ୟାପିକା ସୁନନ୍ଦା ରଥ, ରଶ୍ମି ରମିତା ମେହେର, ଲିପନିତା ପଧାନ, ନିରବତୀ ପଧାନ ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଏହି ଅବସରରେ ଓଡ଼ିଆ ଅଧ୍ୟାପକ ଯୁଧିଷ୍ଠିର ବେହେରା ଭାଷା ହିଁ ଭବିଷ୍ୟତ ଓ ଭାଷାର ଗୁରୁତ୍ୱ ଉପରେ ଛାତ୍ରୀମାନଙ୍କ ପାଖରେ ଆଲୋକପାତ କରିଥିଲେ। ଏହି ସଭାକୁ ଇଂରାଜୀ ଅଧ୍ୟାପକ ସୋମନାଥ ମେହେର ପରିଚାଳନା କରିଥିବାବେଳେ ସ୍ୱାଗତ ଭାଷଣ ଲିପନିତା ପ୍ରଦାନ ଦେଇଥିଲେ। ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ଛାତ୍ରୀ ମାନଙ୍କୁ ମିଠା ବଣ୍ଟନ କରିବା ସହିତ ନେପାଳ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।

ଗୋପାଳପୁର: ଆଜି ଠାରୁ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ଠାରେ ବିଶ୍ବ ଓଡ଼ିଆ ଦିବସ ପାଳନ ହେଉଥିବା ବେଳେ ଏହି କ୍ରମରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ମଧ୍ୟ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଶ୍ବବିଦ୍ୟାଳୟ ପକ୍ଷରୁ ସ୍ଥାନୀୟ ସମ୍ମିଳନୀ କକ୍ଷ ପରିସରରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଓଡ଼ିଶାର ଅନ୍ୟାନ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନ ପରି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ମଧ୍ୟ ଏହି କାର୍ଯ୍ୟକ୍ରମକୁ ଆଭାସୀ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା। ସରକାରଙ୍କ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରାରମ୍ଭରେ ଓଡ଼ିଶାର ବରପୁତ୍ରଙ୍କ ଠାରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ, କୁଳସଚିବ ସଚ୍ଚିଦାନନ୍ଦ ନାୟକ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ସୁଶାନ୍ତ କୁମାର ବରାଳ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଦିବା ୧୧ଟା ସମୟରେ ବିଶ୍ଵବିଦ୍ୟାଳୟର ନୂତନ ସମ୍ମିଳନୀ କକ୍ଷ ଠାରେ ସମୂହ ଭାବେ ଉତ୍କଳର ସଙ୍ଗୀତ ବନ୍ଦେ ଉତ୍କଳଜନନୀ ଗାନ କରା ଯାଇଥିଲା। କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, କୁଳସଚିବ ସଚ୍ଚିଦାନନ୍ଦ ନାୟକ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ, ନୋଡାଲ ଅଧିକାରୀ ଡକ୍ଟର ସଦାନନ୍ଦ ନାୟକ, ବିତ୍ତ ନିୟନ୍ତ୍ରକ, ପରୀକ୍ଷା ନିୟନ୍ତ୍ରକ, ବରିଷ୍ଠ ପ୍ରଫେସର, ଶିକ୍ଷକ ଶିକ୍ଷୟତ୍ରୀ, ଅଣଶିକ୍ଷକ କର୍ମଚIରୀ, ଶତାଧିକ ଛାତ୍ର ଛାତ୍ରୀ ପ୍ରଭୃତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସମସ୍ତ ବ୍ଲକ୍, ପୌରପାଳିକା, ଶିକ୍ଷାନୁଷ୍ଠାନ ମାନଙ୍କରେ ନିଜ ନିଜ ମାତୃଭାଷାର ସମ୍ମାନ ଓ ଗୌରବ ପାଇଁ ଏହି ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ସଦର ବ୍ଲକ ପରିସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡିଆଙ୍କ ଅଧ୍ୟକ୍ଷତାରେ ମହାଆଡମ୍ବର ସହ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ରତ୍ନାକର ସାହୁ, ବ୍ଲକ ଅଧ୍ୟକ୍ଷା ଗୌରୀ ପଡ଼ିଆମି ଉପସ୍ଥିତ ଥିଲେ। ମଞ୍ଚାସିନ ଅତିଥି ମାନେ ପ୍ରଭୁ ଶ୍ରୀ ଜଗନ୍ନାଥ ଓ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ଜିଲ୍ଲାର ସାହିତ୍ୟିକ, ଲେଖକ, କବି, ଗବେଷକଙ୍କୁ ଅତିଥିଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା।

ଲକ୍ଷ୍ମୀପୁର: ଓଡ଼ିଆ ବିଶ୍ବ ସାହିତ୍ୟ ସମ୍ମିଳନୀ ରାଜ ଧାନୀ ସହିତ ସାରା ରାଜ୍ୟରେ ପାଳନ ହେଉଥିବା ବେଳେ କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ ମଧ୍ୟ ପାଳିତ ହୋଇଯାଇଛି। ଏହି ଅବସରରେ ଏକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ଥାନୀୟ ନେତୃତ୍ବ ବୃନ୍ଦଙ୍କ ସହିତ ସାହିତ୍ୟକ ଓ ସାମ୍ବାଦିକ, ଶିକ୍ଷକ ଏବଂ ଶିକ୍ଷାବିତ୍ ଯୋଗଦେଇ ସରକାରଙ୍କ ଏଭଳି ଏକ ମହତ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଏହି ଉପଲକ୍ଷେ ବିଭିନ୍ନ ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

ପାଟଣା: ଆଜି ପୂର୍ବାହ୍ଣରେ ପାଟଣା ବ୍ଲକ ମୁଖ୍ୟାଳୟ ଠାରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏବିଡ଼ିଓ ଚିତ୍ତରଞ୍ଜନ ନାୟକଙ୍କ ସଂଯୋଜନାରେ ଓଡିଶା ସାହିତ୍ୟ ଏକାଡେମୀର କେନ୍ଦୁଝର ଜିଲ୍ଲା ସଦସ୍ୟ ପିନାକୀ ମିଶ୍ର ମୁଖ୍ୟ ଅତିଥି, ଆକାଶବାଣୀ, କେନ୍ଦୁଝରର ଉଦଘୋଷିକା ଓ ସାହିତ୍ୟିକା ଇନ୍ଦୁମତୀ ପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧ ମାଝୀ, ସାହିତ୍ୟିକ ଭରତ ଚନ୍ଦ୍ର ସାହୁ,ପାର୍ଥ ସାରଥୀ ବେଜ ଏବଂ ଜିପିଇଓ ରଶ୍ମିରେଖା ମହାନ୍ତି ସମ୍ମାନନୀୟ ଅତିଥି ରୂପେ ଯୋଗ ଦେଇ ଓଡ଼ିଆ ଭାଷା ସାହିତ୍ୟ ଉପରେ ଆଲୋକପାତ କରିଥିଲେ। ଓଡ଼ିଆ ସାହିତ୍ୟର କ୍ରମବିକାଶ ଓ ଉତ୍ତରଦାୟିତ୍ୱ ବିଷୟରେ ସବିଶେଷ ଆଲୋଚନା ହୋଇଥିଲା। ବ୍ଲକ ପରିସରରେ ଏକ ପୁସ୍ତକ ପ୍ରଦର୍ଶନୀ ଆୟୋଜିତ ହେଇ ପ୍ରଶଂସା ସାଉଁଟିବା ଉଲ୍ଲେଖନୀୟ ଉପଲବ୍ଧି ଥିଲା। ଅନେକ ଉତ୍ସାହୀ ସାହିତ୍ୟିକ ଏବଂ ଛାତ୍ରଛାତ୍ରୀ ଏହି ପୁସ୍ତକ ପ୍ରଦର୍ଶନୀ ବୁଲି ଦେଖିବା ସହ ଏହାର ଆନନ୍ଦ ନେଇଥିଲେ। ପ୍ରାୟ ୧ହଜାର ଗୁରୁତ୍ୱପୂର୍ଣ୍ଣ ଓଡ଼ିଆ ପୁସ୍ତକ ଏଥିରେ ପ୍ରଦର୍ଶିତ ହୋଇଥିଲା। ପାଟଣା ଅଞ୍ଚଳରେ ଭାଷା ସାହିତ୍ୟ ଓ ଶିକ୍ଷାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବୀରକିଶୋର ଦାଶ, ଭରତ ଚନ୍ଦ୍ର ସାହୁ, ଶାନ୍ତନୁ କୁମାର ସାହୁ, କୈଳାସ ବାରିକ ଓ ସନାତନ ଦାଶଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହା ସହ ଦୁଇଟି ପାଲା ଦଳ ମାଧ୍ୟମରେ ଓଡ଼ିଆ ଭାଷା ସାହିତ୍ୟ ଆଧାରିତ ସଚେତନତା ସୃଷ୍ଟି କରାଯାଇଥିଲା।

ପାଟଣା: ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ପାଳନ ଅବସରରେ ପ୍ରଧାନ ଶିକ୍ଷୟିତ୍ରୀ କବିତା ସ୍ୱାଇଁଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ହୃଷୀକେଶ ମହାନ୍ତ ଯୋଗ ଦେଇ ଓଡ଼ିଆ ଭାଷାର ମହତ୍ଵ ସମ୍ପର୍କରେ ସୂଚନା ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ କମିଟିର ସଭାପତି ନୟନି ନାଏକ, ସମାଜସେବୀ ଉଗ୍ରସେନ ନାଏକ, ଓସ୍କାର ସଦସ୍ୟ ବନବିହାରୀ ମହାନ୍ତ ଓଡ଼ିଆ ଭାଷା କିଭଳି ବିଶ୍ଵ ସ୍ତରରେ ପରିଚିତ ହେବ ସେ ସମ୍ପର୍କରେ ମତ ପ୍ରକାଶ କରିଥିଲେ। ମୁଖ୍ୟ ବକ୍ତା ଭାବେ ପିପିଳିଆ ଲକ୍ଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଅଲେଖ ପ୍ରସାଦ ସାହୁ ଯୋଗ ଦେଇ ଓଡ଼ିଆ ସାହିତ୍ୟର ଇତିହାସ ଉପରେ ବର୍ଣ୍ଣନା କରିଥିଲେ। ୨୦୦ ଛାତ୍ରଛାତ୍ରୀଙ୍କୁ ନେଇ ଚିତ୍ରାଙ୍କନ, ସଙ୍ଗୀତ, ଝୋଟି, ଓଡ଼ିଆ କବିତା ଭଳି ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା ଓ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ଶିକ୍ଷକ ଶିବଚରଣ ମହାନ୍ତ, ଶିକ୍ଷୟିତ୍ରୀ ମନୋଜ ମଞ୍ଜରୀ ମହାନ୍ତ ଓ ପ୍ରଗତି ପ୍ରଧାନ ଉପସ୍ଥିତ ଥିଲେ।

Comments are closed.