ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ଫୁଲବାଣୀ: ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ଶୁଣାଣି। ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଶୁଣାଇଛନ୍ତି ଫୁଲବାଣୀ ପୋସ୍କ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା। ଜରିମାନା ଅନାଦୟେ ଅଧିକ ଏକ ବର୍ଷ ଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ ପୀଡିତା ନାବାଳିକାଙ୍କୁ ୧୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ହେଇଛନ୍ତି କୋର୍ଟ। ମିଳିଥିବା ସୁଚନା ଅନୁଯାୟୀ, ପୀଡିତା ଜଣେ ୧୬ ବର୍ଷିୟା ନାବାଳିକା। ସେ ଫୁଲବାଣୀର ଫିରିଙ୍ଗିଆ ଥାନା ଅଞ୍ଚଳର। ୨୦୧୯ ମସିହା ଫେବୃଆରୀ ମାସରେ ପୀଡିତାଙ୍କ ପରିବାର ଲୋକେ ବାହାର ଗାଁକୁ ଯାଇଥିବା ବେଳେ ପୀଡିତା ଘରେ ଥିବା ଦୋକାନ ଖୋଲି ବସିଥିଲେ। ଏହି ସମୟରେ ଅଭିଯୁକ୍ତ ଦୁଃଶାସନ ପ୍ରଧାନ ଦୋକାନକୁ ଯାଇ ନାବାଳିକାଙ୍କୁ ବାକିରେ ବିଡି଼ ମାଗିଥିଲେ। ପୀଡିତା ବାକି ଦେବାକୁ ମନା କରିବାରୁ ଅଭିଯୁକ୍ତ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ଏହାପରେ ପୀଡିତା ଦୋକାନରୁ ଘରକୁ ଚାଲିଯିବାରୁ ଅଭିଯୁକ୍ତ ଜଣଙ୍କ ପୀଡିତାଙ୍କ ପଛେ ପଛେ ଘର ଭିରକୁ ପଶି ତାଙ୍କୁ ଦୁଷ୍କର୍ମ କରିଥିଲେ। ଏହାସହ ଦୁଷ୍କର୍ମ ବିଷୟରେ ଅନ୍ୟ କାହାକୁ କହିଲେ ତାଙ୍କ ପରିବାର ଲୋକଙ୍କୁ ଜୀବନରେ ମାରି ଦେବେ ବୋଲି ପୀଡିତାଙ୍କୁ ଧମକ ଦେଇଥିଲା ଅଭିଯୁକ୍ତ। ଏହାପରେ ପୀଡିତା ଅନ୍ୟ ଦିନ ଗାଧୋଇବାକୁ ଯାଇଥିବା ବେଳେ ଅଭିଯୁକ୍ତ ଦୁଃଶାସନ ପୁଣି ପୀଡିତାକୁ ନାନା ପ୍ରକାର ଧମକ ଦେଇ ମଧ୍ୟ ଦୁଷ୍କର୍ମ କରିଥିଲା। ଏମିତି ବାରମ୍ବାର ଦୁଷ୍କର୍ମ ପରେ ନାବାଳିକା ଜଣଙ୍କ ଗର୍ଭବତୀ ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ନାବାଳିକାଙ୍କ ଶରୀର ଅସୁସ୍ଥ ହେବାରୁ ନାବାଳିକା ଜଣଙ୍କ ନିଜ ମାଆଙ୍କୁ ସବୁକଥା କହିଥିଲେ। ନାବାଳିକାଙ୍କ ମାଆ ତାଙ୍କୁ ମେଡିକାଲ ନେଇ ପରୀକ୍ଷା କରିବା ପରେ ସେ ୮ ମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା। ଏହାପରେ ପରିବାର ଲୋକେ ଗାଁରେ ଏକ ବୈଠକ ବସାଇଥିଲେ। ଏଥିରେ ଗ୍ରାମବାସୀମାନେ ନାବାଳିକାକୁ ଅଭିଯୁକ୍ତ ତାଙ୍କ ଘରେ ରଖିବା ପାଇଁ ନିଷ୍ପତ୍ତି ନେଇଥିଲେ। ଗ୍ରାମବାସୀଙ୍କ ନିଷ୍ପତ୍ତି ମୁତାବକ ଅଭିଯୁକ୍ତ ଗର୍ଭବତୀ ନାବାଳିକାକୁ ନିଜ ଘରେ ରଖିଥିଲେ। ଏହାପରେ ନାବାଳିକା ଜଣଙ୍କ ଏକ କନ୍ୟା ସନ୍ତାନ ଜନ୍ମ କରିଥିଲେ। ତେବେ ଏହି ସମୟରେ ତାଙ୍କୁ ଫୁଲବାଣୀ ମେଡିକାଲରେ ରଖାଯାଇଥିଲା। ନାବାଳିକା ନିଜ ଘର ଲୋକଙ୍କୁ ଖବର ଦେଇ ଡକାଇଥିଲେ ଏବଂ ନାବାଳିକାଙ୍କୁ ଅଭିଯୁକ୍ତ ନିଜ ଘରେ ଅତ୍ୟାଚାର କରୁଥିବା ବିଷୟରେ ବାପା ମାଆଙ୍କୁ କହିଥିଲେ। ପରେ ନାବାଳିକାଙ୍କ ବାପା ଏନେଇ ଅଭିଯୁକ୍ତଙ୍କ ବିରୋଧରେ ଫିରିଙ୍ଗିଆ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ ଥାନାରେ ମାମଲା ରୁଜୁ ହୋଇଥିଲା। ଯାହାର ଆଜି ବିଚାର କରି ଫୁଲବାଣୀ ଏଡିଜେ ପୋସ୍କୋ କୋର୍ଟ ରାୟ ପ୍ରକାଶ କରିଛନ୍ତି। ସୂଚନା ଥାଉକି ଅଭିଯୁକ୍ତ ପୂର୍ବରୁ ବିବାହିତ ଥିବା ବେଳେ ତାଙ୍କର ତାଙ୍କର ୪ଟି ସନ୍ତାନ ଅଛନ୍ତି।

Comments are closed.