ଆଠଗଡ଼ ପ୍ରିମିୟର ଲିଗ୍ କ୍ରିକେଟ – ଫାଇନାଲରେ ଛଅଗାଁ
ଆଠଗଡ଼: ଆଠଗଡ଼ ମହୋତ୍ସବ ପଡ଼ିଆରେ ଚାଲିଥିବା ପ୍ରଥମ ଆଠଗଡ଼ ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୯ମ ଦିନରେ ୨ଟି କ୍ୱାର୍ଟର ଫାଇନାଲ ଓ ଗୋଟିଏ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ କ୍ୱାର୍ଟର ଫାଇନାଲରେ ଗୋବରା କ୍ରିକେଟ କ୍ଲବ (୯୧) ମଞ୍ଚେଶ୍ୱର କ୍ରିକେଟ କ୍ଲବ(୯୦)କୁ ପରାସ୍ତ କରି ବିଜୟୀ ହୋଇ ସେମିଫାଇନାଲକୁ ଉନ୍ନୀତ ହୋଇଥିଲା। ତେବେ ମଞ୍ଚେଶ୍ୱର ଦଳର ରଜତ୍ ଖଟେଇ ୨୦ବଲ୍ ରୁ ଧୂଆଁଧାର ୪୭ରନ୍ ସଂଗ୍ରହ କରିଥିବାରୁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷିତ କରାଯାଇଥିଲା। ୨ୟ କ୍ୱାର୍ଟର ଫାଇନାଲରେ ମେଘା କ୍ଲବ (୮୫)କୁ ହରାଇ ଛଅଗାଁ କ୍ଲବ(୧୪୪)ରନ୍ ସଂଗହ କରିବା ସହ ସେମିଫାଇନାଲକୁ ଉନ୍ନୀତ ହୋଇଥିଲା। ଛଅଗାଁ ଦଳର ପ୍ରତାପ ଚନ୍ଦ୍ର ପ୍ରଧାନ ୧୭ବଲ୍ ରୁ ଧୂଆଁଧାର ୫୮ରନ୍ ସଂଗ୍ରହ କରିବା ସହିତ ୩ଟି ମୂଲ୍ୟବାନ ୱିକେଟ ନେବା ଯୋଗୁଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚନା କରାଯାଇଥିଲା। ପରେ ପରେ ୮ ଓଭର ବିଶିଷ୍ଟ ସେମିଫାଇନାଲ ମ୍ୟାଚରେ ଧୂଆଁଧାର ବ୍ୟାଟିଂ କରି ଛଅଗାଁ କ୍ଲବ ୧୪୩ରନ୍ ସଂଗ୍ରହ କରିଥିଲେ। ଏହାର ଜବାବରେ ଗୋବରା କ୍ଲବ ମାତ୍ର ୯୮ରନ୍ ସଂଗ୍ରହ କରି ପରାଜୟ ବରଣ କରିଥିଲା। ଛଅଗାଁ ଦଳ ପକ୍ଷରୁ ଶୁଭ୍ରଜିତ୍ ଥାଟୋଇ ୨୦ବଲ୍ରେ ୫୨ରନ୍ ସଂଗ୍ରହ କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ତୁଷାର ସାହୁ, ପ୍ରଭାତ ଥାଟୋଇ ଓ ମାନସ ମଲ୍ଲିକ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଲକ୍ଷ୍ମୀନାରାୟଣ ବେହେରା, ପୂର୍ଣ୍ଣଚନ୍ଦ୍ର ସାହୁ, ଲିଟନ ସ୍ୱାଇଁ, ପ୍ରଦୀପ ଜେନା ଓ ସଂଜୟ କୁମାର ସାହୁ ଅମ୍ପାୟାର ଭାବେ ଖେଳଗୁଡିକୁ ପରିଚାଳନା କରିଥିବାବେଳେ ବିବେକ ପ୍ରଧାନ ଓ ଅନୁପ ତ୍ରିପାଠୀ ସ୍କୋରର ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।
Comments are closed.