୫୦୦ ଗ୍ୟାସ ସିଲିଣ୍ଡର ଜବତ, ନଅ ଜଣ କୋର୍ଟ ଚାଲାଣ

ରେଙ୍ଗାଲିକ୍ୟାମ୍ପ: ବିଭିନ୍ନ ଜିଲ୍ଲାରୁ ଗ୍ୟାସ ସିଲିଣ୍ଡର ଚୋରି କରି ବିକ୍ରି କରୁଥିବା ଚୋର ଗ୍ୟାଙ୍ଗକୁ ଆଜି ଅତାବିରା ପୋଲିସ ଗିରଫ କରିବାରେ ସଫଳ ହୋଇଛି। ସୂଚନା ଅନୁଯାୟୀ ଗତ ଡିସେମ୍ବର ମାସ ୪ ତାରିଖ ଦିନ ଅତାବିରା ଥାନାର ଅନତି ଦୂରରେ ଥିବା ଏକ ଗ୍ୟାସ ଗୋଡାଉନରୁ ବିଳମ୍ବିତ ରାତିରେ ୧୫୮ଟି ଗ୍ୟାସ ସିଲିଣ୍ଡର ଚୋରି କରି ଚୋର ମାନେ ଫେରାର ମାରିଥିଲେ। ଏହି ଖବର ପାଇ ଗୋଡାଉନର ମାଲିକ ସିଦ୍ଧାର୍ଥ ଶଙ୍କର ପଣ୍ଡା ଅତାବିରା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଗୋଡ଼ାଉନର ଜଗୁଆଳିଙ୍କୁ ଧମକ ଚମକ ଦେଇ ଗୋଡାଉନର ଚାବି ଓ ମାଲିକର ମୋବାଇଲ ନମ୍ବର ମାଗିଥିଲେ। ନ ହେଲେ ଜୀବନରେ ମାରିଦେବୁ ବୋଲି ଧମକ ଦେଇଥିଲେ। କିନ୍ତୁ ତା ପାଖରେ ଚାବି କି ମୋବାଇଲ ନଂ କିଛି ନ ଥିବା ପ୍ରକାଶ କରିଥିଲା। ତେଣୁ ବାହାର ପଟୁ ତାକୁ ତାଲା ମାରି ଜଣେ ଜଗି ରହିଥିଲା। ଗୋଡାଉନର ସଟର କାଟି ଗୋଟିଏ ଗାଡ଼ିରେ ସିଲିଣ୍ଡର ଗୁଡ଼ିକ ବୋଝେଇ କରି ଫେରାର ମାରିଥିଲେ। ପରେ ଏହି ଘଟଣା ସେ ମାଲିକକୁ ଜଣାଇଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଜାରି ରଖିଥିଲା। ଗତକାଲି ଅତାବିରାର କିଛି ବ୍ୟାଡମିଣ୍ଟନ ଖେଳାଳି ବିଜେପୁରରୁ ଫେରୁଥିବା ବେଳେ ଅତାବିରା ଦୁର୍ଗା ମନ୍ଦିର ସମ୍ମୁଖରେ ତାଙ୍କ ଆଗରେ ଗାଡ଼ିରେ ବୋଝେଇ ହୋଇଥିବା କିଛି ଗ୍ୟାସ ସିଲିଣ୍ଡରର ଶବ୍ଦଶୁଣି ସନ୍ଦେହ କରି ଗାଡ଼ିକୁ ଅଟକାଇ ପୋଲିସକୁ ଖବର ଦେଇଥିଲେ। ଖବରପାଇ ଅତାବିରା ଥାନା ଅଧିକାରୀ ସୁକୁମାର ତ୍ରିପାଠୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିରେ ଥିବା ତିନି ଜଣଙ୍କୁ ପଚରା ଉଚୁରା କରିବାରୁ ସେମାନେ ତାହା ଚୋରି କରିଥିବା ପ୍ରକାଶ କରିଥିଲେ। ତେଣୁ ଏମାନଙ୍କୁ ଗିରଫ କରିବା ସହ ଗାଡ଼ିରେ ବୋଝେଇ ହୋଇଥିବା ବିଭିନ୍ନ କମ୍ପାନୀର ୫୦୦ଟି ଗ୍ୟାସ ସିଲିଣ୍ଡର ସହ ଗାଡ଼ିକୁ ଜବତ କରିଥିଲେ। ଏହି ଅଭିଯୁକ୍ତ ମାନେ ହେଲେ ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ମାଝିପାଲିର ଡାନିଆଲ କେରକେଟା ଓରଫ ମୁଣ୍ଡା (୨୭), ସଞ୍ଜୟ ପ୍ରଧାନ (୩୫) ଓ ବିବେକାନନ୍ଦ ସାହୁ (୩୧), ବରେଇ ପାଲି ଥାନା ଅନ୍ତର୍ଗତ ଗୋପାଳପାଲିର ଆଶିଷ ସିଂ (୨୪), ଡିଲେଶ୍ୱର୍ ପରିଡ଼ା (୪୨), ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲିର ଦେବାଶିଷ ସେନାପତି ଓରଫ ସୁନା (୨୬), ସଦର ଥାନା ଅନ୍ତର୍ଗତ ଦଣ୍ଡେଇ ପାଲି ଶିନ୍ଦୁରପଙ୍କର ତାପସ କୁମାର ଗଡ଼ତିଆ (୨୩), କ୍ଷେତରାଜପୁର ଥାନା ଅନ୍ତର୍ଗତ ଦଳଦଳି ପଡ଼ାର କଲୁଆ ଓରଫ ଫିରୋଜ ଖାଁ (୪୩), ହୀରାକୁଦ ଥାନା ଅନ୍ତର୍ଗତ ପୁରୁଣା ବଜାରର ନରେଶ କୁମାର ସାହୁ (୪୨)।

Comments are closed.