ତିଲପଙ୍ଗା ଅଞ୍ଚଳରେ ମାଓ ପୋଷ୍ଟର, ସର୍ଚ୍ଚ ଅପରେସନ ଆରମ୍ଭ

ବୌଦ୍ଧ/ମନମୁଣ୍ଡା: ମନମୁଣ୍ଡା ଥାନା ତିଲପଙ୍ଗା ଅଞ୍ଚଳରୁ ମଙ୍ଗଳବାର ଦିନ ମାଓ ପୋଷ୍ଟର ଜବତ ଘଟଣାରେ ଜିଲାରେ ପୁଣିଥରେ ହଇଚଇ ସୃଷ୍ଟି କରିଛି। ସୂଚନା ପାଇବା ପରେ ମନମୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୋଷ୍ଟର ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି। ପୋଷ୍ଟର ମିଳିବା ପରେ ଏସପି ଫୋନ ଉଠାଉ ନ ଥିବା ବେଳେ ଜିଲା ପୁଲିସର ଅନ୍ୟ କୌଣସି ଅଧିକାରୀ ଏନେଇ ମୁହଁ ଖୋଲିବାକୁ ରାଜି ହେଉନାହାନ୍ତି। କେଉଁ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି ସେ ସଂପର୍କରେ ମଧ୍ୟ ସଠିକ୍‌‌ ତଥ୍ୟ ଗଣମାଧ୍ୟମକୁ ଦିଆଯାଉନାହିଁ।

ସୂଚନା ମୁତାବକ ଜିଲାର ଶଗଡ଼ା ଫାଣ୍ଡି ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ନଳକୂଅ, ଗଛ ଓ କାନ୍ଥମାନଙ୍କରେ ଏହି ପୋଷ୍ଟର ମରାଯାଇଥିବା ଦେଖାଯାଇଛି। ପୋଷ୍ଟରରେ କେକେବିଏନ ଡିଭିଜନ ପକ୍ଷରୁ ୮ ଗୋଟି ଦାବି ଉଲ୍ଲେଖ ରହିଛି। କେକେବିଏନ ଡିଭିଜନର ୫ ସହୀଦ କମ୍ରେଡଙ୍କୁ ଶ୍ରଦ୍ଧାଞ୍ଜଳୀ ସହ ବୌଦ୍ଧ କନ୍ଧମାଳ ସୀମାନ୍ତରୁ ଗଂଜେଇ ଚାଷ ବନ୍ଦ କରିବା, ଗଂଜେଇ ମାଫିଆଙ୍କୁ ନିଜ ଅଞ୍ଚଳରେ ପୁରାଇ ନଦେବା, ଯେଉଁମାନେ ଗଂଜେଇ ଚାଷ କରୁଛନ୍ତି ସେମାନଙ୍କୁ ତାଙ୍କ ନିକଟକୁ ଧରି ଆଣିବା ଓ ପିଏଲଜିରେ ଭର୍ତ୍ତି ହୋଇ ଜନ ପ୍ରତିରୋଧକୁ ତେଜ କରି ଜୀବନ ଜିବିକା ବଞ୍ଚାଇବାକୁ ଆହ୍ୱାନ ଦିଆଯାଇଛି। ତେବେ ଏହି ମାଓ ପୋଷ୍ଟରକୁ ପଢ଼ି ଜନସାଧାରଣଙ୍କ ମଧ୍ୟରେ ବିଭିନ୍ନ ମତପ୍ରକାଶ ପାଉଥିବା ଜଣାଯାଇଛି। ଯଦି ମାଓବାଦୀଙ୍କ ଦ୍ୱାରା ଏହି ପୋଷ୍ଟର ମରାଯାଇଛି ତେବେ କଂପ୍ୟୁଟର ମାଧ୍ୟରେ ଟାଇପ କରାଯାଇଥିବା ପୋଷ୍ଟରରେ ଲିଖିତ ଥିବା ମାର୍ଜିତ ଓଡ଼ିଆ ଭାଷାରୁ ଏଥିରେ ସ୍ଥାନୀୟ ଲୋକ ସଂପୃକ୍ତି ଥିବା ନେଇ ସନ୍ଦେହ ପ୍ରକାଶ ପାଉଅଛି। ଅନ୍ୟପଟେ ମାଓବାଦୀଙ୍କ ନାମରେ ପ୍ରଚାର କରି ଜଙ୍ଗଲ ମଧ୍ୟରେ ଭର୍ତ୍ତି ହୋଇଥିବା ଅମଳକ୍ଷମ ଗଂଜେଇ ଚାଷକୁ ସୁରକ୍ଷା ଦେବାକୁ ଏହା ଏକ ଯୋଜନା ବୋଲି ମଧ୍ୟ ସାଧାରଣରେ ଆଲୋଚନା ହେଉଅଛି। କିଛିଦିନ ପୂର୍ବରୁ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ନେଇ ଜିଲା ପୁଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା। ମାଓବାଦୀଙ୍କ ଦ୍ୱାରା ବ୍ୟବହୃତ ଅନେକ ସାମଗ୍ରୀ ମଧ୍ୟ ପୁଲିସ ଜବତ କରିଥିଲା। ଯଦି ପୁଲିସ ସୂଚନାରେ ସତ୍ୟତା ଅଛି ବୌଦ୍ଧ କନ୍ଧମାଳ ସୀମାନ୍ତ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତିକୁ ଅସ୍ଵୀକାର କରାଯାଇନପାରେ। କିନ୍ତୁ ଅନ୍ୟପଟେ ଜିଲାରେ ଚାଲିଥିବା ବ୍ୟାପକ ଗଂଜେଇ ଚାଷ ପ୍ରତି ଆକୃଷ୍ଟ ହୋଇ ଏହି ସମୟରେ ମାଓବାଦୀମାନେ ବୌଦ୍ଧ କନ୍ଧମାଳ ଜିଲା ସୀମାନ୍ତ ଜଙ୍ଗଲରେ ପ୍ରତିବର୍ଷ ଡେରା ପକାଉଥିବା ଆଲୋଚନା ହୋଇଥାଏ। ଯଦି ମାଓବାଦୀମାନେ ଗଂଜେଇ ଚାଷ ପ୍ରତି ଆକୃଷ୍ଟ ହୋଇ ଜିଲାକୁ ଆସୁଥାନ୍ତି ତ ମାଓ ପୋଷ୍ଟରରେ ଗଂଜେଇ ଚାଷକୁ ମାଓବାଦୀ ବିରୋଧ କରିବା ଭଳି ବାର୍ତାକୁ ସାଧାରଣରେ ଗ୍ରହଣ ଯୋଗ୍ୟ ହୋଇପାରୁନାହିଁ। ମାଓବାଦୀ ବିରୋଧ କଲେ ଜଙ୍ଗଲରେ ଗଂଜେଇ ଚାଷ ହୋଇପାରିବ ଏହାକୁ କେହି ଗ୍ରହଣ କରିପାରୁନାହାନ୍ତି। ଯଦି ଗ୍ରାମବାସୀମାନେ କରୁଥିବା ଗଂଜେଇ ଚାଷକୁ ମାଓବାଦୀ ବିରୋଧ କରୁଛନ୍ତି ତେବେ ଚାଷୀଙ୍କୁ ଏହି ବେଆଇନ ଚାଷ ପାଇଁ ସୁରକ୍ଷା ଯୋଗାଉଛି କିଏ ତାହା ତଦନ୍ତ ସାପେକ୍ଷ ନିଶ୍ଚୟ। ଜିଲା ପୁଲିସ ଠାରୁ ଆରମ୍ଭ କରି ଅବକାରୀ, ରାଜସ୍ୱ ଓ ବନ ବିଭାଗର ଅନେକ କର୍ମଚାରୀ ଏହି ବେଆଇନ ଚାଷ ପଛରେ ପ୍ରୋତ୍ସାହନ ଯୋଗାଇ ଆସୁଥିବା ଆଲୋଚନା ହେଉଅଛି। ଗଂଜେଇ ବ୍ୟବସାୟ ସହିତ ସିଧାସଳଖ ସଂପୃକ୍ତ ହୋଇ ଧରାପଡ଼ିବା ପରେ ଅନେକ ପୁଲିସ କର୍ମଚାରୀଙ୍କୁ ବଦଳି କରାଯାଇଛି କିମ୍ବା ନିଳମ୍ବିତ କରାଯାଇଛି। କିନ୍ତୁ ଏବେ ସବୁ ଥାନା ଫାଣ୍ଡିରେ ମାର୍କାମରା ପୁରୁଣା ମୁହଁ ଏହି ବେଆଇନ ଚାଷ ବନ୍ଦ କରିବା ଦିଗରେ ଜିଲା ପୁଲିସର ସାଧୁତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଅଛି। ନିକଟରେ ଜଣେ ଡିଭିଏଫ କନେଷ୍ଟବଳ ଗଂଜେଇ ବ୍ୟବସାୟୀଙ୍କ ଠାରୁ ଆଦାୟ ଟଙ୍କା ନେଇ ଆସୁଥିବାବେଳେ ଭିଜିଲାନସ ଦ୍ୱାରା ଧରାପଡ଼ିଥିଲେ। କିନ୍ତୁ ସଂପୃକ୍ତ କନେଷ୍ଟବଳଙ୍କ ନିକଟରୁ ସରକାରୀ ବନ୍ଧୁକ ଜବତ ହୋଇଥିଲେ ମଧ୍ୟ ଏହାକୁ ତଦନ୍ତ ପରିସରଭୁକ୍ତ କରାନଯାଇ ମାମଲାକୁ ଚାପି ଦିଆଯିବା ପରଦା ପଛର ଅନେକ କିଛି ସତ୍ୟ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଅଛି। ସୂଚନା ଯୋଗ୍ୟଯେ ସଂପୃକ୍ତ ଡିଭିଏଫ କନେଷ୍ଠବଳଙ୍କ ନାମରେ ଗତବର୍ଷ ବନ କର୍ମଚାରୀଙ୍କୁ ଗୁଳିକାଣ୍ଡ ଘଟଣାରେ ବୌଦ୍ଧ ଥାନାରେ ଏତାଲା ରହିଛି। ଏହା ସତ୍ୱେ ତାଙ୍କୁ କାହିଁକି ସରକାରୀ ବନ୍ଧୁକ ଦିଆଯାଇଥିଲା ତାହାକୁ ନେଇ ମଧ୍ୟ ବିଭାଗୀୟ କର୍ମଚାରୀଙ୍କ ମଧ୍ୟରେ ଆଲୋଚନା ହେଉଅଛି। ତେଣୁ ଏହି ବେଆଇନ ଚାଷ ପାଇଁ ଅନ୍ୟ କୌଣସି ଉପାୟ ନପାଇ ମାଓବାଦୀଙ୍କ ନାମ ନେଇ ପୋଷ୍ଟର ଜରିଆରେ ପ୍ରଚାର କରାଯାଇ ପାରିଥାଏ ବୋଲି ମଧ୍ୟ ଆଲୋଚନା ହେଉଅଛି। ମାଓ ପୋଷ୍ଟର ସଂପର୍କରେ ମନମୁଣ୍ଡା ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନଙ୍କୁ ପଚାରିବାରୁ ଘଟଣାର ତଦନ୍ତ ଚାଲିଥିବା ପ୍ରକାଶ କରିଛନ୍ତି।

Comments are closed.