ଡେସ୍କ: ପୁଲିସର କାମ ହେଉଛି ଚୋରାଚାଲାଣ ଧରିବା। ହେଲେ ନିଜେ ଚୋରାଚାଲାଣ କରୁଥିବା ବେଳେ ଧରା ପଡିଛନ୍ତି ପୁଲିସ କର୍ମଚାରୀ। ସୂଚନା ଅନୁଯାୟୀ, ଗତରାତିରେ ବେଗୁନିଆ ଥାନାରୁ ଜଣେ ହୋମ୍ଗାର୍ଡ ଏକ କାର୍ରେ ଜବତ ହୋଇଥିବା ବାଣ ଓ ମଦ ନେଉଥିଲେ। ଗତକାଲି ବେଗୁନିଆ ଥାନା ପୁଲିସ ବିପୁଳ ପରିମାଣର ବାଣ ଓ ମଦ ଜବତ କରିଥିଲା। ତେବେ ବିଳମ୍ବିତ ରାତିରେ ଥାନାରୁ ବାହାରକୁ କଣ ନିଆଯାଉଛି ବୋଲି ସନ୍ଦେହ କରି ସ୍ଥାନୀୟ ଲୋକେ କାରକୁ ଅଟକାଇ ଯାଞ୍ଚ କରିଥିଲେ।
କାରରେ ମଦ ଓ ବାଣ ଯାଉଥିବା ଜାଣିପାରି ସେମାନେ ସମ୍ପୃକ୍ତ ହୋମଗାର୍ଡ ପ୍ରକାଶ ମୁଦୁଲିକୁ ପଚରାଉଚୁରା କରିଥିଲେ କିନ୍ତୁ ସେ ସଠିକ ଭାବେ କିଛି କହି ପାରିନଥିଲେ। ସେ କେବଳ କହିଥିଲେ ଯେ ଏଭଳି କାର୍ଯ୍ୟରେ ଥାନାର ଅନ୍ୟ ପୁଲିସ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି। ପରେ ସେମାନେ କାର ଚାଳକ ଓ ହୋମଗାର୍ଡକୁ ଏସଡ଼ିପିଓଙ୍କ ଜିମା ଦେଇଥିଲେ। ତେବେ ଆଜି ଏହି ଘଟଣାରେ ସମ୍ପୃକ୍ତ ହୋମଗାର୍ଡ ଓ ଡ୍ରାଇଭରକୁ ଗିରଫ କରାଯାଇଥିବା ଏସଡ଼ିପିଓ କହିଛନ୍ତି।
ଅନେକ ସମୟରେ ଥାନା ପକ୍ଷରୁ ଜବତ କରାଯାଉଥିବା ଦ୍ରବ୍ୟର ତଥ୍ୟ ଲଗ ବୁକରେ ନ ଲେଖି, ପରେ ତାହାକୁ ଅନ୍ୟକୁ ବିକ୍ରି କରିଦିଆଯାଉଥିବା ଲୋକମାନେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ବେଗୁନିଆ ଥାନାର ଅନ୍ୟ କେତେଜଣ କର୍ମଚାରୀ ସାମିଲ ଅଛନ୍ତି, ସେ ନେଇ ତଦନ୍ତ ପାଇଁ ଦାବି ହୋଇଛି।



