ହୀରାକୁଦକୁ ଜଳପ୍ରବାହ କମିଛି ୭୮%
ଝାରସୁଗୁଡ଼ା: ମହାନଦୀରେ ଉପରମୁଣ୍ଡରୁ ହୀରାକୁଦ ନଦୀବନ୍ଧକୁ ଜଳପ୍ରବେଶ ପ୍ରାକ୍ ମୌସୁମୀ ଋତୁରେ ୭୭.୭୮ ପ୍ରତିଶତ ହ୍ରାସ ପାଇଛି। ଗତକାଲି ଓଡ଼ିଶା ଜଳସମ୍ପଦ ବିଭାଗ ତରଫରୁ ପ୍ରସ୍ତୁତ ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ସଂସଦର ଆଗାମୀ ମୌସୁମୀ ଅଧିବେଶନ ସକାଶେ ଜନୈକ ସାଂସଦ ମହାନଦୀ ଜଳ ବିବାଦ ନେଇ ତଥ୍ୟ ମାଗିଥିବାରୁ ଓଡ଼ିଶା ସରକାର ଏ ନେଇ ସବିଶେଷ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଏହି ରିପୋର୍ଟରେ କୁହାଯାଇଛି ଯେ, ଓଡ଼ିଶା ଉପରମୁଣ୍ଡରେ ଛତିଶଗଡ଼ ୬ଟି ଶିଳ୍ପ ଭିତ୍ତିକ ଆନିକଟ ନିର୍ମାଣ କରିବା ଫଳରେ ଅଣମୌସୁମୀ ଋତୁରେ ଜଳପ୍ରବାହ ଚିନ୍ତାଜନକ ଭାବେ ପ୍ରଭାବିତ ହେଉଛି। ଅନ୍ୟପକ୍ଷରେ ମୌସୁମୀ ଋତୁରେ କୌଣସି ପ୍ରାକ୍ ସୂଚନା ଦିଆ ନ ଯାଇ ଛତିଶଗଡ଼ର ଶେଷ ଆନିକଟ କଲମାର ସବୁ ଫାଟକ ଖୋଲାଯିବାରୁ ଅପ୍ରତ୍ୟାଶିତ ଓ ଆଶାତୀତ ଭାବେ ଜଳପ୍ରବେଶ କରୁଛି।
ପରବର୍ତ୍ତୀ ସମ୍ବାଦ ପଢିବା ପାଇଁ ଏହି ଲିଙ୍କ କ୍ଲିକ କରନ୍ତୁ https://samajalive.in/monsoon-session-of-parliament-3/482870.html
ରିପୋର୍ଟରେ କୁହାଯାଇଛି ଯେ, ମୌସୁମୀ ପୂର୍ବରୁ ମେ ମାସରେ ପୂର୍ବାପେକ୍ଷା ୭୭.୭୮ ପ୍ରତିଶତ ଜଳପ୍ରବେଶ ହ୍ରାସ ପାଇଥିବା ବେଳେ ଏପ୍ରିଲ ମାସରେ ୭୩ ପ୍ରତିଶତ ହ୍ରାସ ପାଇଛି। ଅନୁରୂପ ଭାବେ ମାର୍ଚ୍ଚରେ ୨୭.୬ ପ୍ରତିଶତ, ଫେବୃଆରୀେର ୩୯ ପ୍ରତିଶତ, ଜାନୁଆରୀରେ ୩୧ ପ୍ରତିଶତ, ନଭେମ୍ବର ଓ ଡିସେମ୍ବରରେ ଯଥାକ୍ରମେ ୪୧ ଓ ୩୩ ପ୍ରତିଶତ ଜଳପ୍ରବେଶ ହ୍ରାସ ପାଇଛି। ଏଥିନେଇ ୨୦୧୭ ମେ ୩୧ ତାରିଖରେ ଓଡ଼ିଶା ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଛତିଶଗଡ଼ର ନିଜ ସମକକ୍ଷଙ୍କୁ ଚିଠି ଲେଖିବା କେନ୍ଦ୍ରୀୟ ଜଳ ଆୟୋଗ ଭୁବନେଶ୍ବରରେ ଥିବା ମୁଖ୍ୟଯନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଏହାପରେ ଜୁନ୍ ୧ ତାରିଖ ବିଭାଗୀୟ ସଚିବ ନିଜ ସମକକ୍ଷଙ୍କୁ ଚିଠି ଲେଖିଥିବା ବେଳେ ଜୁନ୍ ୨ ତାରିଖ ସର୍ବୋଚ୍ଚ ଯନ୍ତ୍ରୀ ପୁଣି ନିଜ ସମକକ୍ଷଙ୍କୁ ଚିଠି ଲେଖି ପୁନଃ ଅନୁରୋଧ କରିଥିଲେ। ହେଲେ ଏହି ସବୁ ପ୍ରୟାସର କିଛି ସୁଫଳ ନ ମିଳିବାରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନ୍ ୩ ତାରିଖ ତତ୍କାଳୀନ
ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କଲମା ବ୍ୟାରେଜରୁ ଫାଟକ ଖୋଲିବାକୁ ଅନୁରୋଧ କରିଥିଲେ। ଏହାପରେ ଜୁନ୍ ୬ ତାରିଖ ଶ୍ରୀ ପଟ୍ଟନାୟକ ଏହି ମାମଲାରେ ହସ୍ତକ୍ଷେପ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। ଏହାସହ ନ୍ୟାୟାଧୀକରଣ ଗଠନ ପାଇଁ ଅନୁରୋଧ କରିଥିଲେ। ହେଲେ ବାରମ୍ବାର ଚିଠି ଲେଖିବା ସତ୍ତ୍ବେ ଛତିଶଗଡ଼ ସରକାର ପ୍ରାକୃତିକ ଜଳସ୍ରୋତ ବଜାୟ ରଖିବା ପାଇଁ ଫାଟକ ଖୋଲି ନ ଥିଲେ। ଖାଲି ଏହାନୁହେଁ ଏହି ସବୁ ଚିଠି ଲେଖାଯିବାର କିଛି ଦିନ ପୂର୍ବରୁ ୨୦୧୭ ମେ ୨୨ ତାରିଖ ରାୟପୁର ଠାରେ ମହାନଦୀ ଜଳ ବ୍ୟବହାରକୁ ଆନ୍ତଃରାଜ୍ୟ ଉପ ସମିତି ବୈଠକରେ ଜଳ ନିଷ୍କାସନ ନେଇ ସୂଚନା ଆଦାନ ପ୍ରଦାନ କରିବାକୁ ଆଲୋଚନା ହୋଇଥିଲା। ହେଲେ ମୌସୁମୀ ଋତୁରେ ଛତିଶଗଡ଼ ନିଜ ଓଡ଼ିଶା ସମକକ୍ଷଙ୍କୁ ସୂଚନା ସୁଦ୍ଧା ନ ଦେବା ଓଡ଼ିଶା ପାଇଁ ଅସୁବିଧାଜନକ ପରିସ୍ଥିତି ସୃଷ୍ଟି କରିଥିଲା। ଏହି ମାମଲାକୁ ନେଇ ସୁପ୍ରିମକୋର୍ଟେର ମାମଲା ବିଚାରଧୀନ ଥିବା ବେଳେ ଓଡ଼ିଶାର ଅନେକ ଅନୁରୋଧ ପରେ ୨୦୧୮ ଜାନୁଆରୀ ୧୩ ତାରିଖରେ ସର୍ବୋଚ୍ଚ ଅଦାଲତ ମହାନଦୀ ଜଳ ବିବାଦ ନ୍ୟାୟାଧିକରଣ ଗଠନ କରିବାକୁ ନିର୍ଦେଶ ଦେଇଥିଲେ। ଏହାପରେ ଭାରତ ସରକାରଙ୍କ ପକ୍ଷରୁ ୨୦୧୮ ମାର୍ଚ୍ଚ ୧୨ ତାରିଖ ନ୍ୟାୟାଧୀକରଣ ଗଠନ ନେଇ ରାଜପତ୍ରରେ ପ୍ରକାଶ କରାଯାଇଥିଲା। ଏେବ ସୁଦ୍ଧା ନ୍ୟାୟାଧିକରଣର ୩୪ଟି ବୈଠକ ହୋଇ ସାରିଥିବା ବେଳେ ଏପ୍ରିଲ ଓ ମେ ମାସରେ ଦଳ ୩ ପର୍ଯ୍ୟାୟେର କ୍ଷେତ୍ର ପରିଦର୍ଶନ କରି ଫେରିଛନ୍ତି। ଛତିଶଗଡ଼ ସରକାର ଉପରମୁଣ୍ଡରେ କ୍ରମାଗତ ଭାବେ ଆନିକଟ ତିଆରି କରି ପ୍ରାକୃତିକ ଜଳସ୍ରୋତକୁ ଅବରୋଧ କରି ଚାଲିଥିବା ବେଳେ ଓଡ଼ିଶା ସରକାର ୨୦୧୬ ମସିହା ଯାଏ ତାହା ଜାଣି ପାରି ନ ଥିଲେ। ଏହାକୁ ନେଇ ରାଜ୍ୟ ସରକାରଙ୍କୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଏ। ତେବେ ଏହି ରିପୋର୍ଟରେ କୁହାଯାଇଛି ଯେ, ନବୀନ ପଟ୍ଟନାୟକ ପ୍ରଥମ କରି ମୁଖ୍ୟମନ୍ତ୍ରୀ ହୋଇଥିବା ସମୟରେ ୨୦୦୦ ମସିହା ଜୁଲାଇ ୭ ତାରିଖ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀଙ୍କୁ ଚିଠି ଲେଖି ଅଣମୌସୁମୀ ଋତୁରେ ମହାନଦୀରେ ୨ ମିଲିୟନ ଏକର ଫୁଟ ଜଳ ନିଷ୍କାସନ କରିବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ହୀରାକୁଦ ବନ୍ଧରେ ୫. ୮୨ ମିଲିୟନ ଏକର ଫୁଟ ଜଳର ଚାହିଦା ରହୁଥିବାରୁ ଏହି ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ହୀରାକୁଦରେ ଜଳ ବିବାଦ ଏବେ ନ୍ୟାୟାଧିକରଣରେ ବିଚାରଧୀନ ଥିବା ବେଳେ ଏହାର କାର୍ଯ୍ୟ ଅବଧି ୨୦୨୬ ଏପ୍ରିଲ ୧୩ ତାରିଖକୁ ସମ୍ପ୍ରସାରରଣ କରାଯାଇଛି। ମହାନଦୀ ତଳମୁଣ୍ଡରେ ଥିବା ଓଡ଼ିଶାକୁ ନ୍ୟାୟାଧିକରଣରୁ ନ୍ୟାୟ ମିଳିବ ବୋଲି ଆଶା କରାଯାଉଛି।
ସୂଚନା ଥାଉ କି, ହୀରାକୁଦ ନଦୀବନ୍ଧର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ଆଜି (ମଙ୍ଗଳବାର) ସନ୍ଧ୍ୟା ୬ଟା ସୁଦ୍ଧା ଜଳସ୍ତର ୬୦୭. ୯୫ ଫୁଟ ରହିଛି। ଉପରମୁଣ୍ଡରୁ ୭୯, ୮୫୭ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୩୯, ୦୨୮ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି।
Comments are closed.