ଆଠଗଡ: ଆଠଗଡ଼ ଥାନା ଅନ୍ତର୍ଗତ କନ୍ଦରପୁର ନିକଟରେ ଏକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଉତ୍ତର ବାଙ୍କୀ ଅନ୍ତର୍ଗତ ମାଳବିହାରପୁର ଗ୍ରାମର ପଠାଣି ମୁଦୁଲି ବୁଧବାର ରାତିରେ ମେଘା ଗ୍ରାମରେ କାମସାରି ବାଇକରେ କନ୍ଦରପୁର ବାଟ ଦେଇ ନିଜ ଗ୍ରାମକୁ ଫେରୁଥିବାବେଳେ କନ୍ଦରପୁର ଗଡା ରାସ୍ତାରେ କୌଣସି ଗାଡି ଧକ୍କାରେ ହେଉ ଅବା ନିଜ ବାଇକରୁ ପଡି ଆହତ ହୋଇ ରାସ୍ତାରେ ପଡିଥିଲେ। କିଛି ଲୋକଙ୍କଠାରୁ ସୂଚନା ପାଇ ୧୦୮ ରୋଗୀବୁହା ଯାନରେ ତାଙ୍କୁ ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଠଗଡ ପୁଲିସ ମୃତଦେହ ଜବତ କରି ଗୁରୁବାର ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି। ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ଉପନିରୀକ୍ଷକ ବିଶ୍ବଜିତ ଜେନା ସୂଚନା ଦେଇଛନ୍ତି।
Popular Categories



