www.samajalive.in
Sunday, December 14, 2025
23.1 C
Bhubaneswar

ରାଜ୍ୟରେ ଜାତୀୟ ରାଜପଥର ବିକାଶ ଓ ରକ୍ଷଣାବେକ୍ଷଣ ବାବଦରେ ୫ ବର୍ଷରେ ଖର୍ଚ୍ଚ ୨୪ ହଜାର ୮୦୫ କୋଟି

ଡେସ୍କ: ଜାତୀୟ ରାଜପଥର ବିକାଶ ଏକ ନିରନ୍ତର ପ୍ରକ୍ରିୟା ଏବଂ ପ୍ରକଳ୍ପ କାର୍ଯ୍ୟକାରିତାରେ ଅନେକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡିଥାଏ ବୋଲି କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ କହିଛନ୍ତି। ରାଜ୍ୟସଭାରେ ଆଜି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଗଡ଼କରୀ କହିଛନ୍ତି, ଓଡ଼ିଶା ସମେତ ଦେଶର ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଜମି ଅଧିଗ୍ରହଣକୁ ସୁବ୍ୟବସ୍ଥିତ ଓ ତ୍ୱରାନ୍ୱିତ କରିବା, ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ପାଇଁ ପରିବେଶ ପୋର୍ଟାଲର ନବୀକରଣ, ରେଳବାଇରୁ ଆରଓବି/ଆରୟୁବିର ଜିଏଡି ଅନଲାଇନ ଅନୁମୋଦନ, ରାଜ୍ୟ ସରକାରଙ୍କ ସମେତ ସମସ୍ତ ଅଂଶୀଦାରଙ୍କ ସହ ବିଭିନ୍ନ ସ୍ତରରେ ସମୀକ୍ଷା ବୈଠକ ଆଦି ଏଥିରେ ଅନ୍ତର୍ଭୁକ୍ତ ବୋଲି ସେ କହିଛନ୍ତି।

ସାଂସଦ ଦେବାଶିଷ ସାମନ୍ତରାୟ ଓଡ଼ିଶାରେ ଜାତୀୟ ରାଜପଥ ପ୍ରକଳ୍ପରେ ବ୍ୟାପକ ବିଳମ୍ବ ହେବାର ପ୍ରମୁଖ କାରଣ ଏବଂ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ବିଳମ୍ବ ଓ ଓଡ଼ିଶାରେ ଜାତୀୟ ରାଜପଥର ଉନ୍ନତିକରଣ ଓ ରକ୍ଷଣାବେକ୍ଷଣ ତଥା ବଜେଟ୍ ଆବଣ୍ଟନ ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ।

- Advertisement -

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଜୟରାମ ଗଡ଼କରୀ କହିଥିଲେ ଯେ କେତେକ କ୍ଷେତ୍ରରେ ପ୍ରାକ୍ ନିର୍ମାଣ କାର୍ଯ୍ୟରେ ବିଳମ୍ବ, ଠିକାଦାରଙ୍କ ଆର୍ଥିକ ସମସ୍ୟା, ନିର୍ମାଣ ସାମଗ୍ରୀର ଅଭାବ, ଖଣି ଅନୁମତିରେ ବିଳମ୍ବ ଇତ୍ୟାଦି କାରଣରୁ କେତେକ ଜାତୀୟ ରାଜପଥ ପ୍ରକଳ୍ପ ଶେଷ ହେବାରେ ବିଳମ୍ବ ହୋଇଥାଏ। ସେ କହିଥିଲେ ଯେ କଟକ ସମ୍ବଲପୁର ପ୍ରକଳ୍ପ ମୁଖ୍ୟତଃ କୋଭିଡ୍, ଜମି ଅଧିଗ୍ରହଣ ଓ ମଞ୍ଜୁରିରେ ବିଳମ୍ବ ଓ ଠିକାଦାରଙ୍କ ଆର୍ଥିକ ସଙ୍କଟ ଯୋଗୁଁ ବିଳମ୍ବିତ ହେଉଛି। ସେ କହିଥିଲେ, ଗତ ୫ ବର୍ଷ ଓ ଚଳିତ ବର୍ଷ ଓଡ଼ିଶାରେ ଜାତୀୟ ରାଜପଥର ବିକାଶ ଓ ରକ୍ଷଣାବେକ୍ଷଣ ବାବଦରେ ୨୪ ହଜାର ୮୦୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ ୩ ହଜାର ୩୫୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୨୦୨୦-୨୧ରେ ୫ ହଜାର ୩୩୬ କୋଟି, ୨୦୧୧-୨୨ରେ ୪ ହଜାର ୫୧୦ କୋଟି, ୨୦୨୨-୨୩ରେ ୪ ହଜାର ୬୪୩ କୋଟି, ୨୦୨୩-୨୪ରେ ୫ ହଜାର ୯୪୮ କୋଟି ଓ ୨୦୨୪-୨୫ ଜୁନ୍ ପର୍ଯ୍ୟନ୍ତ ୧ ହଜାର ୧୩ କୋଟି ଟଙ୍କା ବ୍ୟୟ କରାଯାଇଛି।

ସେ କହିଛନ୍ତି, ଜାତୀୟ ରାଜପଥ-୫୫ର କଟକ-ସମ୍ବଲପୁର ସେକ୍ସନର କାର୍ଯ୍ୟ ୩ଟି ପ୍ୟାକେଜରେ ହାତକୁ ନିଆଯାଇଛି। ୫୫ ନମ୍ବର ଜାତୀୟ ରାଜପଥର କଟକ-ଅନୁଗୁଳ ସେକ୍ସନର ୪ ଲେନ୍ ପ୍ରଥମ ପର୍ଯ୍ୟାୟ ୫୯.୮୦ କିମି ପାଇଁ ବ୍ୟୟବରାଦ ହୋଇଥିବା ୧୧୦୮.୬୨ କୋଟିରୁ ୯୧୯.୪୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟ ୫୧.୮୦ କିମି ପାଇଁ ବ୍ୟୟବରାଦ ହୋଇଥିବା ୧୧୦୯.୮୦ କୋଟିରୁ ୮୪୦.୦୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ୫୫ ନମ୍ବର ଜାତୀୟ ରାଜପଥର ଅନୁଗୁଳ-ସମ୍ବଲପୁର ସେକ୍ସନକୁ ୪ ଲେନ୍ ୧୫୦.୮୬ କିମି ପାଇଁ ବ୍ୟୟବରାଦ ହୋଇଥିବା ୨୫୧୪.୦୭ କୋଟିରୁ ୨୨୨୧.୮୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories