ଭୁବନେଶ୍ବର: ଗୃହ ବିଭାଗ ପକ୍ଷରୁ ଯୁଗ୍ମ ସଚିବ ୧୮୪ଜଣ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଛଟେଇ ଉଦ୍ଦେଶ୍ୟରେ ଏକ ନୋଟିସ ଜାରି କରିଛନ୍ତି। ଏହି ନୋଟିସ ପାଇବାର ୩୦ଦିନ ମଧ୍ୟରେ କର୍ମଚାରୀମାନେ ସେମାନଙ୍କ ଚାକିରି ସମ୍ବନ୍ଧୀୟ କାଗଜପତ୍ର ଦାଖଲ କରିବାକୁ କୁହାଯାଇଛି। ଯେଉଁମାନେ ୬ବର୍ଷ ଚାକିରି କରିସାରିଲେଣି ସେମାନେ ଯେଭଳି ନିୟମିତ ପାଇଁ ଦାବି କରିପାରିବେ ନାହିଁ ତାହା ସ୍ବହସ୍ତାକ୍ଷର ଆକାରରେ ଦର୍ଶାଇବାକୁ କୁହାଯାଇଛି। ଏହାକୁ ନେଇ ଡାଟା ଏଣ୍ଟ୍ରି ଅପରେଟରଙ୍କ ମଧ୍ୟରେ ଛନକା ପଶିଛି। କୋଭିଡ ପାଇଁ ସରକାର ଜୀବନ ସହିତ ଜୀବିକାକୁ ଗୁରୁତ୍ବ ଦେଉଥିବାବେଳେ ଏହି ନୋଟିସ କ’ଣ ପାଇଁ ବୋଲି କେତେକ କର୍ମଚାରୀ ପ୍ରଶ୍ନ କରିଛନ୍ତି।
ଅନ୍ୟପକ୍ଷରେ ଯୁଗ୍ମ ସଚିବଙ୍କ ନୋଟିସରେ ଦର୍ଶାଯାଇଛି ଯେ ଯେଉଁମାନେ କନିଷ୍ଠ ଡାଟା ଏଣ୍ଟ୍ରି ଅପରେଟର ଭାବେ ଲୋକସେବାଭବନରେ ନିଯୁକ୍ତ ହୋଇଥିଲେ ସେମାନଙ୍କ ଚାକିରି ସମ୍ପୂର୍ଣ୍ଣ ଅସ୍ଥାୟୀ। ସରକାର ଯେତେବେଳେ ଚାହିଁବେ ତାଙ୍କୁ କାଢ଼ି ପାରିବେ। ସମ୍ପୃକ୍ତ କର୍ମଚାରୀ ନୋଟିସ ପାଇବାର ୩୦ଦିନ ମଧ୍ୟରେ ସେମାନଙ୍କ ଚାକିରି ସମ୍ବନ୍ଧୀୟ ପ୍ରମାଣପତ୍ର ସହିତ ଏକ ସ୍ବହସ୍ତାକ୍ଷର ଦେବେ। ଏହାସହିତ ତାଙ୍କ ନାମରେ କୌଣସି ଫୌଜଦାରୀ ମାମଲା ନଥିବା ଦର୍ଶାଇବାକୁ କୁହାଯାଇଛି।



