ଜାତୀୟ ଆଇନ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଉଚ୍ଚଶିକ୍ଷା ବିଭାଗର ଚିଠି: ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ୨୫% ସଂରକ୍ଷଣ

ଭୁବନେଶ୍ବର: କଟକ ନରାଜସ୍ଥିତ ଜାତୀୟ ଆଇନ ବିଶ୍ବବିଦ୍ୟାଳୟରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ୨୫% ସଂରକ୍ଷଣ ଯେଭଳି ଆସନ୍ତା ଶିକ୍ଷାବର୍ଷରୁ ମିଳିପାରିବ ସେ ଦିଗରେ ନିୟମାବଳୀ ପ୍ରସ୍ତୁତ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଅନୁରୋଧ କରାଯାଇଛି। ବିଭାଗୀୟ ସଚିବ ଶାଶ୍ବତ ମିଶ୍ର ଚିଠି ଲେଖି ଜାତୀୟ ଆଇନ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଜଣାଇଛନ୍ତି ଯେ, ଯୁକ୍ତ ଦୁଇ ବା ଦ୍ବାଦଶ ପାଠ୍ୟକ୍ରମରେ ଓଡ଼ିଶାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ରାଜ୍ୟ ସଂରକ୍ଷଣ କୋଟାରେ ସ୍ନାତକ ପାଠ୍ୟକ୍ରମରେ ନାମ ଲେଖାଇପାରିବେ। ଓଡ଼ିଶାର ଛାତ୍ରଛାତ୍ରୀ କିଭଳି ଭାବେ ଆସନ୍ତା ଶିକ୍ଷାବର୍ଷରୁ ସଂରକ୍ଷଣ ବ୍ୟବସ୍ଥାର ଲାଭ ଉଠାଇବା ସହ ସହଜରେ ନାମଲେଖାଇ ପାରିବେ ସେ ଦିଗରେ ନିୟାମାବଳୀ ପ୍ରସ୍ତୁତ କରି ଆବଶ୍ୟକ ପଦକ୍ଷେପ ନେବାକୁ କୁଳପତିଙ୍କୁ ଅନୁରୋଧ କରିଛନ୍ତି। ଜାତୀୟ ଆଇନ ବିଶ୍ବବିଦ୍ୟାଳୟ​‌ ପକ୍ଷରୁ ଡିସେମ୍ବର ୨୪ ତାରିଖରେ ସଂରକ୍ଷଣ ସମ୍ବନ୍ଧରେ ଚିଠି ଲେଖି ଉଚ୍ଚଶିକ୍ଷା ବିଭାଗକୁ ଅବଗତ କରାଯାଇଥିଲା।
ସୂଚନାଯୋଗ୍ୟ ମୋଟ ସିଟ୍‌ର ୨୫% ଓଡ଼ିଆ ପିଲାଙ୍କ ପାଇଁ ସଂରକ୍ଷଣ କରିବାକୁ ବାରମ୍ବାର ଦାବି ହେଉଥିଲା। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ଲେଖାଯିବା ସହ ପାର୍ଲାମେଣ୍ଟ ଓ ବିଧାନସଭାରେ ଏହି ପ୍ରସଙ୍ଗ ଉଠିଥିଲା। ଏ ଦିଗରେ ପଦକ୍ଷେପ ନେବା ଓ ଓଡ଼ିଶାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଆଇନ ବିଶ୍ବବିଦ୍ୟାଳୟରେ ସୁଯୋଗ ଦେବା ପାଇଁ ରାଷ୍ଟ୍ରପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ ଛାତ୍ରଛାତ୍ରୀ।

kalyan agarbati

Comments are closed.